Odiapua.com

ପ୍ରସିଦ୍ଧ ଦେବୀ ଘଣ୍ଟାଶୁଣି ଙ୍କ ବଳିଯାତ୍ରା ଉପରେ କରୋନା କଟକଣା

ବଲାଙ୍ଗୀର ୨୪-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସରକାରୀ କଟକଣାକୁ ନେଇ ପାର୍ବଣ ଋତୁରେ ବିନା ଭକ୍ତରେ ଚାଲିଛି ଦେବୀଙ୍କ ପୂଜାର୍ଚ୍ଚନା। କେବଳ ପ୍ରଥା ଓ ପରମ୍ପରାକୁ ବଞ୍ଚେଇ ରଖିବାକୁ ରୀତିନୀତି ପାଳନ କରିବେ ଭକ୍ତ। କରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ପ୍ରଶାସନ ତରଫରୁ ଅନେକ କଟକଣା ଜାରି କରାଯାଇଛି। ସେହିପରି ବଲାଙ୍ଗିର ଜିଲ୍ଲାର ଐତିହ ସମ୍ପନ୍ନ ପ୍ରସିଦ୍ଧ ଦେବୀ ଘଣ୍ଟାଶୁଣି0ଙ୍କ ବଳିଯାତ୍ରା ଉପରେ କଟକଣା ଲଗାଇଛନ୍ତି ପ୍ରଶାସନ। ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାଶୁଣି ଙ୍କ ପୀଠରେ ବଳି ଯାତ୍ରା ପ୍ରତି ବର୍ଷ ଦଶହରା ମହାନବମୀ ତିଥିରେ ଅନୁଷ୍ଠିତ ହୋଇଥାଏ। ବର୍ଷରେ ଥରେ ମା’ ଦିଆରୀ, ବା ବରୁଆ ଦେହରେ ଆବିର୍ଭାବ ହୋଇ ମନ୍ଦିରରୁ ବାହାରି ସମଗ୍ର ଜୀବଜଗତକୁ ଦର୍ଶନ ଦେଇ ଥାଆନ୍ତି। ପ୍ରଥା ଏବଂ ପରମ୍ପରା ଅନୁସାରେ ମା’ଘଣ୍ଟାଶୁଣି ଙ୍କ ମନ୍ଦିର ଦେଇ ତନ୍ତ୍ରପୀଠ ରାଣୀପୁର ଝରିଆଲ ମନ୍ଦିର କୁ ଯାଉଥିବା ଓ ଏଠି ସେ ସନ୍ୟ, ସାମନ୍ତ ସହ ରାତ୍ରି ଯାପନ କରି ଯିବା ମତ ପ୍ରକାଶ ପାଇଛି। ଏହି ମାଆ ଘଣ୍ଟାଶୁଣି ପୀଠ ସହ ଏହି ସହରରେ ଥିବା ଧବଳେଶ୍ବର ମନ୍ଦିରର ଏକ ଗୁମ୍ଫା ଦେଇ ସୁଡଙ୍ଗ ଦେଇ ଉକ୍ତ ତନ୍ତ୍ର ପୀଠ କୁ ଯାଉଥିବା ଐତିହାସିକ ତଥ୍ୟ ରହିଛି।

ଦୂର, ଦୁରାନ୍ତରୁ ଛେଳି, ମେଣ୍ଢା, ପାରା, କୁକୁଡ଼ା, ଆଦି ଦେବୀଙ୍କୁ ବଳିଦିଆଯାଇଥାଏ। ଚଳିତ ବର୍ଷ ଏହି ପରମ୍ପରା କେବଳ ମନ୍ଦିର ପ୍ରାଙ୍ଗଣରେ ହେବ ବୋଲି ପ୍ରଶାସନ ତରଫରୁ ସୂଚନା ମିଳିଛି। ବର୍ଷ ବର୍ଷର ଏହି ପରମ୍ପରା କରୋନା ମାଡ଼ରେ ଫିକା ପଡିଯାଇଥିବା ଆଲୋଚନା ହେଉଛି। ଯଦି ଏଭଳି ପଦକ୍ଷେପ ପ୍ରଶାସନ ନ ନିଏ ତେବେ ସହରରେ କରୋନା ମହାମାରୀର ଭୟାବହତା କେତେ ମାତ୍ରାରେ ବଢିବ ତାହା ଆକଳନ କରିବା ମୁସ୍କିଲ ହେବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଏ ନେଇ ସରକାରୀ ଆଇନ ଅନୁଯାୟୀ କଟକଣା ଲାଗୁ କରାଯାଇ ମନ୍ଦିର ପରିସରରେ ସମସ୍ତ ନୀତି ପାଳନ କରିବାକୁ ନିର୍ଦ୍ଦେଶ ଜାରୀ କରାଯାଇଛି। ପ୍ରତିବର୍ଷ ଦଶହରା ଅବସରରେ ସହ, ସହ ସଂଖ୍ୟା ରେ ବିଭିନ୍ନ ଜୀବ, ଜନ୍ତୁଙ୍କୁ ବଳି ଦିଆଯାଇଥାଏ, ଆଖ, ପାଖ ଗ୍ରାମାଞ୍ଚଳ ରୁ ବିପୁଳ ଜନ ସମାଗମ ହେଉଥିବା ବେଳେ ଚଳିତ ବର୍ଷ ଏହା ସମ୍ଭବ ହୋଇ ପାରିନାହିଁ।