Odiapua.com

ପ୍ରଶାସନ ଶୁଣୁନାହିଁ : ନିଜ ଗାଁ ରାସ୍ତା ମରାମତି କଲେ ବନ୍ତଳାବାସୀ

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବାର ଡିଣ୍ଡିମ ପିଟୁଥିବାବେଳେ ଏବେ ବି ଜିଲାର ଅନେକ ଗାଁରେ ବିକାଶ ତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ୍ କାଦବରାଙ୍ଗ ପଂଚାୟତ ୪ନଂ ୱାର୍ଡର ଗାଁ ବନ୍ତଳା ଠାରେ । ଏଠି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଲୋକଙ୍କ ପାଇଁ ପାଲଟିଛି ସାତ ସପନ । ଏକ ଛୋଟିଆ ଗାଁ ବନ୍ତଳା ଯାହାର ଲୋକସଂଖ୍ୟା ପାଖାପାଖି ୭୦୦ । କାଦବରାଙ୍ଗ-ଆଡିଆ ଆରଡି ରାସ୍ତାକୁ ଏହି ଗାଁ ରାସ୍ତା ସଂଯୋଗ କରୁଛି । ଖରାଦିନକୁ ଛାଡି ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ସଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୌ ସମ୍ଭବ ନୁହେଁ, ଯଦ୍ୱାରା ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ଗାଁ ମଧ୍ୟକୁ ପ୍ରବେଶ କରିପାରିନଥାନ୍ତି । ଗାଁରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ସ୍କୁଲ, କଲେଜ ତଥା ଅଙ୍ଗନୱାଡି କେନ୍ଦ୍ରକୁ ଏହି ରାସ୍ତାଦେଇ ବିପଦ ସଂକୁଳ ପରିସ୍ଥିତିରେ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ତ୍ତମାନ ବର୍ଷାଋତୁ ଚାଲୁଥିବାରୁ ଗାଁ ରାସ୍ତା ଅତି ଶୋଚନୀୟ ହୋଇପଡିଛି । ଯଦ୍ୱାରା ଗ୍ରାମବାସୀମାନେ ଗମନାଗମନରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିର୍ବାଚନ ପୂର୍ବରୁ ଏହି ରାସ୍ତାରେ ବିଧାୟକଙ୍କ ପାଣ୍ଠିରୁ ମୋରମ୍ ବିଛାଯାଇଥିବାର ସୂଚନା ସ୍ଥାନୀୟ ବନ୍ତଳେଶ୍ୱର ଯୁବକ ସଂଘର ସଦସ୍ୟମାନେ ଦେବା ସହ ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ କିଶୋର ରାଉତ, କୈଳାସ ରାଉତ, ବସନ୍ତ ନାୟକ, ମହେନ୍ଦ୍ର ରାଉତ, ଦେବବ୍ରତ ଦାସ ଓ ବିଭୂତି ଭୂଷଣ ରାଉତ ପ୍ରମୁଖ ବାରମ୍ବାର ଦାବି କରିଆସିବା ସହ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇ ଆସୁଥିଲେ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନନିଆଯିବାରୁ ବାଧ୍ୟ ହୋଇ ଗ୍ରାମବାସୀଙ୍କ ସମେତ ବନ୍ତଳେଶ୍ୱର ଯୁବକ ସଂଘର ସଦସ୍ୟମାନେ ମିଶି ରାସ୍ତା ମରାମତି କରୁଥିବାର ଦେଖିବାକୁ ମିଳିଛି । ଏବଂ ପ୍ରଶାସନ ଆଗାମୀ ଦିନରେ ଏହି ରାସ୍ତା ପ୍ରତି ଦୃଷ୍ଟି ନଦେଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ପ୍ରକାଶ କରିଛନ୍ତି ।