Odiapua.com

ପ୍ରଶାସନ ଶୁଣିଲାନି; କରୋନା ସଂକ୍ରମିତ ଗାଁକୁ ସାନିଟାଇଜ କଲେ ବଦ୍ରୀ

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ନୂଆପୋଖରୀ ଗ୍ରାମର ବହୁ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । ସଂକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅଠର ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟ ସତୁରି ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ଏଭଳି ପରିସ୍ଥିତିରେ ଗ୍ରାମକୁ ସାନିଟାଇଜ କରାଯିବା ଜରୁରୀ ହୋଇପଡିଛି । ମାତ୍ର ସାନିଟାଇଜ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାରେ ଟାଳଟୁଳ ନୀତି ଗ୍ରହଣ କରିବାରୁ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ କର୍ମୀମାନେ ଆଜି ସଂପୃକ୍ତ ଗ୍ରାମ ସମେତ ଛତାବର ବଜାର, ପଞ୍ଚାୟତ କାର୍ଯ୍ୟାଳୟକୁ ସାନିଟାଇଜ କରିଥିବା ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ପ୍ରଦ୍ୟୁମ୍ନ ସେନାପତି, ପ୍ରହ୍ଲାଦ ସାହୁ, ଭଗବାନ ସାମଲ, ସ୍ୱରାଜ ମହାପାତ୍ର, ପ୍ରଭାତ ରାଉତ, ନିରଞ୍ଜନ ରାଉତ ପ୍ରମୁଖ ସାନିଟାଇଜ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟ କ୍ରମଗତ ଭାବେ ଚାଲୁ ରହିବ ବୋଲି ଶ୍ରୀ ଧଳ ସୂଚନା ଦେବା ସହ ପ୍ରଶାସନ ପକ୍ଷରୁ ଗ୍ରାମକୁ ଆସି ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ଦାବି କରିଛନ୍ତି ।