Odiapua.com

ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା କରୋନା ସଚେତନତା

ହାଟଡ଼ିହି-୨୫ /୪, (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଲୋକମାନେ ସେତେଟା ସଚେତନ ହେଉ ନଥିବାରୁ ପ୍ରଶାସନ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ଆଜି ପ୍ରଶାସନ ପକ୍ଷରୁ ଛେନାପଦି ବଜାରରେ ଲୋକମାନଙ୍କୁ ସଚେତନ କରାଇବା ସହିତ ପରିବା ମାର୍କେଟରେ କିପରି ଜନଗହଳି ନହେବ ସେନେଇ ବଜାର କମିଟିର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ । ଆଜି ଦିନ ୧୦ଟାବେଳେ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ତହସିଲଦାର କିର୍ତ୍ତନ ବିହାରୀ ଓଝା, ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକ, ରାଜସ୍ୱ ନିରୀକ୍ଷକ ପୁରସ୍ତମ କୁଅଁର ପ୍ରମୁଖ ଛେନାପଦି ଛକରେ ପହଞ୍ଚି ବିଭିନ୍ନ ବ୍ୟବସାୟୀ ମାନଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୁରତା ବଜାୟ ରଖିବା ଓ ସମସ୍ତ ପରିବା ଓ ଫଳ ବ୍ୟବସାୟୀମାନେ ସାନିଟାରି ବ୍ୟବହାର କରିବାନେଇ ସଚେତନ କରାଇଥିଲେ । ବିଶେଷକରି ସକାଳୁ ସକାଳୁ ପରିବା ମାର୍କେଟରେ ଭିଡ ଜମୁଥିବାରୁ ଏହାକୁ ଶୃଙ୍ଖଳିତ କରିବାପାଇଁ ମା ତାରିଣୀଙ୍କ ମନ୍ଦିର ପଛପଟେ ଥିବା ପଡିଆକୁ ପନିପରିବା ଧରି ଆସୁଥିବା ଚାଷୀ ମାନଙ୍କୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏନେଇ ସରପଞ୍ଚ ବିମ୍ବାଧର ବିଶ୍ୱାଳ, ଦେବେନ୍ଦ୍ର କୁମାର ଜେନା, ଅମୀୟ ରଞ୍ଜନ ନାୟକ, କିଶୋର ଚନ୍ଦ୍ର ଆଚାର‌୍ୟ୍ୟ, ସୁଧାକର ଓଝା, ମହେଶ୍ୱର ସା, ହିମାଂଶୁ ନାୟକ, ସନ୍ୟାସୀ ସା ପ୍ରମୁଖ କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି କରୋନା ମୁକାବିଲା ଲାଗି କିପରି ସତର୍କତା ମୁଳକ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା କରିଥିଲେ ।