Odiapua.com

ପ୍ରଶାସନର ନଜର ଆଡୁଆଳରେ ଚାଲିଥିଲା ବେଆଇନ ମାଟି ଉତ୍ତୋଳନ, ଆଉ ଏକ ଗେଙ୍ଗୁଟି ନଦୀ ସୃଷ୍ଟି ଆଶଙ୍କା

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ତହସିଲ ଅଧିନ ଖଡିପଦା ପଞ୍ଚାୟତ କନକେଇ ଓ ବାଲୁକୁରିପାଟର ଗେଙ୍ଗୁଟି ନଦୀପଠାରୁ ପ୍ରତିଦିନ ଚୋରାରେ ଚାଲିଥିଲା ମାଟି ଓ ବାଲି ଉତ୍ତୋଳନ । ପ୍ରଶାସନର ନଜର ଆଡୁଆଳରେ ଏହି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ରାଜସ୍ୱ ବିଭାଗର କେତେକ କର୍ମଚାରୀଙ୍କ ହାତ ଥିବା କୁହାଯାଇଛି । ଦୈନିକ ଏଠାରୁ ଶହଶହ ଟ୍ରିପ ମାଟି ଓ ଫିଲିଂ ବାଲି ଉତ୍ତୋଳନ କରାଯାଇ ମାଫିଆ ମାନେ ମାଲେମାଲ ହେଉଛନ୍ତି । ତହସିଲଦାର ରାଧାକାନ୍ତ ବାରିକ ଓ ଅତିରିକ୍ତ ତହସିଲଦାର ଅଭିପ୍ସା ପଟ୍ଟନାୟକ ଏବଂ ପୁଲିସ ଫୋର୍ସ ସେଠାରେ ଅଚାନକ ପହଞ୍ଚି ଚଢଉ କରିଥିଲେ । ତହସିଲଦାରଙ୍କୁ ଦେଖି ଟ୍ରାକ୍ଟର ଗୁଡିକ ଫେରାର ହୋଇଯାଇଥିବା ବେଳେ ସେଥିମଧ୍ୟରୁ ୮ଟି ଟ୍ରାକ୍ଟର ଓ ଗୋଟିଏ ଜେସିବିକୁ ଜବତ କରାଯାଇ ଥାନାରେ ଅଟକ ରଖାଯାଇଛି । ତେବେ ଜବତ ଗାଡି ଗୁଡିକରୁ ଜୋରିମାନା ଆଦାୟ କରାଯିବ ବୋଲି ତହସିଲଦାର ଶ୍ରୀ ବାରିକ ସୂଚନା ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏ ଅଞ୍ଚଳଟି ଏକ ଖାଦନରେ ପରିଣତ ହୋଇଛି । ପ୍ରତିଦିନ ଦିନ ଓ ରାତି ବିଶେଷକରି ରାତିରେ ଏଠାରୁ ଜେସିବି ସହାୟତାରେ ନଦୀପଠାରୁ ମାଟି ତଢାଯାଇ ଟ୍ରିପ ଟ୍ରିପ ବିକ୍ରି ହେଉଛି । ନଦୀପଠାରୁ ଏପରି ମାଟି ଓ ଫିଲିଂ ବାଲି ଉଠାଣ ଯୋଗୁଁ ଏବେ ନଦୀ ଗାଁ ମୁହାଁ ହେଲାଣି । ପଠା ଅଞ୍ଚଳ କ୍ଷୟ ହେବାରେ ଲାଗିଛି । ନିକଟରେ ଥିବା ମା’ କନକଦୁର୍ଗା ଓ ଶିବ ମନ୍ଦିର ଏବଂ ସ୍ଥାନୀୟ ଗ୍ରାମ ପ୍ରତି ବିପଦ ଆଶଙ୍କା ରହିଛି । ଏହା ଏକ ବନ୍ୟାଞ୍ଚଳ ହୋଇଥିବାରୁ ଏହି କନକେଇରୁ ବନ୍ୟାଜଳ ବାହାରି ବ୍ଲକର ଅନ୍ୟ ସ୍ଥାନକୁ ବନ୍ୟାଜଳ ପ୍ଲାବିତ କରିଥାଏ । ଅଧିକ ମାତ୍ରାରେ ଭାରିଯାନ ଗାଁ ଭିତରେ ଦେଇ ଯାତାୟତ କରୁଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଗାଁର ବୟସ୍କ ଓ ରୋଗୀ ବ୍ୟକ୍ତି ରାତିରେ ଶୋଇବା କଷ୍ଟକର ହେଉଥିବା ବେଳେ ଗାଡିରୁ ନିର୍ଗତ ଧୂଆଁ ବାହାରି ପରିବେଷକୁ ପ୍ରଦୁଷଣ କରୁଛି । ଛୋଟ ପିଲା ଓ ବୟସ୍କ ଲୋକ ବିଭିନ୍ନ ଚର୍ମ ରୋଗର ସ୍ୱୀକାର ହେଉଛନ୍ତି । ରାଜସ୍ୱ ବିଭାଗର କେତେକ କର୍ମଚାରୀଙ୍କ ହାତ କରି ଏହି ମାଫିଆ ମାନେ ବେଧଡକରେ ଏହି ବେଆଇନ କାରବାର ଚଳାଇ ଆସୁଛନ୍ତି । ଫଳରେ ସରକାର ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ତେବେ ଜବତ ହୋଇଥିବା ଗାଡି ଗୁଡିକର ଫିଟନେସ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ପାଇଁ ଜିଲା ପରିବହନ ବିଭାଗର ତଦନ୍ତ କରିବା ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ସେହିପରି ବ୍ଲକର ବୈତରଣୀ, ଗେଙ୍ଗୁଟି ଓ କୋଚିଳା ନଦୀରୁ ବେଆଇନ ଭାବେ ଚୋରାରେ ବାଲି ଓ ମାଟି ଉତ୍ତୋଳନ କରାଯାଉଛି । ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବାରମ୍ବାର ରାଜସ୍ୱ ବିଭାଗକୁ ଜଣାଇଥିଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ତେଣୁ ପ୍ରଶାସନ ଏସବୁ ବେଆଇନ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇ ସେମାନଙ୍କ ବିରୋଧରେ ଦୃଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।