ବାଲେଶ୍ୱର,୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ପ୍ରଶାସନର ଦୀର୍ଘଦିନର ପ୍ରଚେଷ୍ଟା ଗୁରୁବାର ଦିନ ସଫଳ ହେବା ସହ ରେମୁଣା ବଜାର ରାସ୍ତା ପାର୍ଶ୍ୱ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇପାରିଛି। ଜନସାଧାରଣଙ୍କ ସହଯୋଗ ସହ ଏକ୍ସନ ମୁଡ୍ରେ ଥିବା ପ୍ରଶାସନିକ ଟିମ୍ ଏହି ରାସ୍ତାର ଉଭୟ ପାର୍ଶ୍ୱ ମାଡ଼ିବସିଥିବା ଦୋକାନକୁ ଉଚ୍ଛେଦ କରିଥିବା ଦେଖିବାକୁ ମିଳିଛି। ଆସନ୍ତା ଦୁଇଦିନ ମଧ୍ୟରେ ୨ଶହରୁ ଅଧିକ ଦୋକାନ ଗୃହ ଉଚ୍ଛେଦ ପାଇଁ ଲକ୍ଷ୍ୟ ଥିବା ରେମୁଣା ତହସିଲଦାର ଚାନ୍ସ ନାୟକ ସୂଚନା ଦେଇଛନ୍ତି। ପଡ଼ୋଶୀ ମୟୁରଭଂଜ ଜିଲ୍ଲାକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ରେମୁଣା ଥାନା, ଇମାମୀ ପେପର ମିଲ୍ସ ଓ ବାଲେଶ୍ୱର ଆଲୋଏଜ ଶ୍ରୀଜଗନ୍ନାଥ ମନ୍ଦିର, ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମେତ ବହୁ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନକୁ ଦୈନିକ ହଜାର ହଜାର ଲୋକେ ଯା’ଆସ କରିଥା’ନ୍ତି। ମାତ୍ର ରେମୁଣାର ଦୋକାନୀମାନେ ଏହି ରାସ୍ତାପାଶ୍ୱର୍କୁ ଜବରଦଖଲରେ ରଖିବା ଫଳରେ ପ୍ରତି କ୍ଷଣରେ ଏଠାରେ ଟ୍ରାଫିକ୍ ଜାମ୍ ହେଉଥିଲା। ଗୋଟିଏ ମିନିଟରେ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ଯାଉଥିବା ଶହ ଶହ ଯାନବାହାନକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। ଭିଡ଼ କମାଇବାକୁ ରେମୁଣା ପୁଲିସକୁ ନାକେଦମ ହେବାକୁ ପଡ଼ୁଥିଲା। ସବୁଠାରୁ ବଡ଼କଥା ହେଲା ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ ହେବା ଫଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଗାଡ଼ି ମଧ୍ୟ ଲୋକଙ୍କ ସେବାରେ ଆସିପାରୁ ନଥିଲା। ଏହି ରାସ୍ତାର ସମ୍ପ୍ରସାରଣ ପାଇଁ ବହୁବାର ଅର୍ଥ ମଞ୍ଜୁର ହୋଇଛି, ମାତ୍ର ଜବର ଦଖଲ ଉଚ୍ଛେଦ ନହେବା କାରଣରୁ ତାହା ଫେରିଯାଇଛି। ପ୍ରଶାସନ ପକ୍ଷରୁ ବାରମ୍ବାର ଉଦ୍ୟମ ହୋଇ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯାଇ ପାରିନଥିଲା। ଶେଷରେ ଏହି ସଙ୍ଗୀନ ସ୍ଥିତିରେ ପ୍ରଭାବିତ ସ୍ଥାନୀୟ ବାସିନ୍ଦା ମୁହଁ ଖୋଲିବା ସହ ପ୍ରଶାସନକୁ ସମର୍ଥନ ଜଣାଇଥିଲେ। ରେମୁଣା ଅଞ୍ଚଳର ବୁଦ୍ଧିଜୀବୀଙ୍କ ସହଯୋଗ ପାଇ ପ୍ରଶାସନ ଗୁରୁବାର ଦିନ ଉଚ୍ଛେଦ କରିବାରେ ସଫଳ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରେମୁଣା ତହସିଲଦାର ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ୍ ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାରମ୍ଭରେ କିଛି ଦୋକାନୀ ଯଦିଚଃ ଏହି ଉଚ୍ଛେଦକୁ ବିରୋଧ କରିଥିଲେ, ତେବେ ଜନସାଧାରଣଙ୍କ ସହଯୋଗ, ପୁଲିସ ଓ ପ୍ରଶାସନର ଉଦ୍ୟମରୁ ସବୁକିଛି ସୁରୁଖୁରରେ ଚାଲିଥିବା ଲକ୍ଷ୍ୟ କରାଯାଇଥିଲା। ମାଜଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ସଦର ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀ ଓ ନୀଳଗିରି ଏସଡିପିଓଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସହଜରେ ଚାଲିଥିଲା। ଉତ୍ତେଜନା ମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରେମୁଣା, ବହରମପୁର, ସଦର ଓ ଟାଉନ ଥାନାର ଅଧିକାରୀ ଏବଂ ୪ ପ୍ଲାଟୁନ୍ ଫୁଲିସ ଫୋର୍ସ ଏହି ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଜବର ଦଖଲ ଉଚ୍ଛେଦ ପରେ ରାସ୍ତାର ଉଭୟ ପାଶ୍ୱର୍ରେ ୭ରୁ ୧୦ ଫୁଟ୍ ଫାଙ୍କା ହେଉଥିବା ବେଳେ ଏହା ସମ୍ପ୍ରସାରଣ ପରେ ଆଉ ଟ୍ରାଫିକ୍ ଜାମ ହେବାର ଆଶଙ୍କା ରହିବ ନାହିଁ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ଉଚ୍ଛେଦ ପରେ ପରେ ଡ୍ରେନ୍ ନିର୍ମାଣ ଓ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି।