Odiapua.com

ପ୍ରଶାସନର ଅପାରଗତାରୁ ଲୋକେ ମରାମତି କଲେ ରାସ୍ତା

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଦଳିଛି ସରକାର । କିନ୍ତୁ ବଦଳିନାହିଁ ସରକାରୀ ବାବୁଙ୍କର କାମ କରିବାର ଢାଂଚା । ସେମାନେ ମୋଟା ଅଂକର ଦରମା ନେଉଛନ୍ତି, ହେଲେ କାମରେ ମାରୁଛନ୍ତି ଢିଲା । ଏହହି କାରଣରୁ ରାସ୍ତାଘାଟ ମରଣଯନ୍ତା ପାଲଟିଥିବାବେଳେ ବିଭାଗୀୟ ଅଧିକାରୀମାନଙ୍କ ନଜର ପଡୁନାହିଁ ତାହା ଉପରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଆନନ୍ଦପୁର ମୁଖ୍ୟ ରାସ୍ତା କ୍ଷେତ୍ରରେ । ଏହି ରାସ୍ତା ଦେଇ ଦୈନନ୍ଦିନ ହଜାର ହଜାର ଗାଡି ଓ ଲୋକେ ଯିବାଆସିବା କରିଥାନ୍ତି । ମେଡିକାଲ ସେବା ହେଉ କି ଆମ୍ବୁଲାନ୍ସ ସେବା, ଦମକଳ ହେଉ କିମ୍ବା ସ୍କୁଲ ଗାଡି ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ମାତ୍ର ରାସ୍ତାରେ ଥିବା ଖାଲଢିପ ଉପରେ ବିଭାଗୀୟ ଅଧିକାରୀଙ୍କ ନଜର ପଡୁନାହିଁ । ଭଦ୍ରକ ଆନନ୍ଦପୁର ମୁଖ୍ୟ ରାସ୍ତା ରାନ୍ଦିଆ-ଓଭରବ୍ରିଜ୍‌ର ଯାତାୟତ ପଥଟିଏ ଏବେ ପାଲଟିଛି ମରଣଯନ୍ତା । ଏଭଳି ଖାଲଢିପ ହୋଇଛି ଯେ ପ୍ରତିଦିନ ଲୋକେ ଗାଡିରୁ ପଡି କ୍ଷତାକ୍ତ ହେଉଛନ୍ତି । ବର୍ଷାଦିନ ହୋଇଥିବାରୁ ରାସ୍ତାର ଖାଲ ସ୍ଥାନରେ ପାଣି ଜମି ଲୋକେ ଜାଣିନପାରିବାରୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାର ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ବହୁବାର ଅଭିଯୋଗ କଲେବି କେହି ନଶୁଣିବାରୁ ବାଧ୍ୟହୋଇ ଲୋକେ ଏବେ ରାସ୍ତାଟିକୁ ମରାମତି କରିଛନ୍ତି । ମାତ୍ର ଶହେ ମିଟର ଦୂରରେ ବେଦାନ୍ତ ଭଳି ଏକ ପ୍ରତିଷ୍ଠିତ କଂପାନୀ ଥାଇ ତାହାର ହଜାର ହଜାର ଗାଡି ପ୍ରତିଦିନ ଏହି ରାସ୍ତାଦେଇ ଯିବାଆସିବା କରୁଥିବାବେଳେ ସେଥିପ୍ରତି ତାର ଦୃଷ୍ଟି ପଡୁନାହିଁ । ଅନୁରୂପ ବ୍ରିଜ୍‌ରେ ଲାଗିଥିବା ଲାଇଟ୍ ବି କେବେଠୁ କଟିଗଲାଣି । ଫଳରେ ରାତିରେ ଯାଉଥିବା ଯାତ୍ରୀଙ୍କୁ ହିଁ ଭଗବାନ ଭରସା । ଦୀର୍ଘଦିନ ଧରି ପ୍ରଶାସନ ଏହି ରାସ୍ତାକୁ ମରାମତି ନକରିବାରୁ ବାଧ୍ୟହୋଇ ସ୍ଥାନୀୟ ଲୋକେ ରାସ୍ତାର ଖାଲଢିପ ସ୍ଥାନରେ ଗୋଡି ପକାଇ ମରାମତି କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ରାସ୍ତାଟିର ସ୍ଥାୟୀ ମରାମତି କରୁଛି କେବେ ।