Odiapua.com

ପ୍ରଶାସକ ଚୟନ କରୁଛନ୍ତି କିଏ ହେବ ମନ୍ତ୍ରୀ

ଭୁବନେଶ୍ୱର ୨୬-୫ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଲଗାତାର ପଞ୍ଚମଥର ପାଇଁ ବିଜୁ ଜନତା ଦଳ ଓଡ଼ିଶାରେ ଶାସନ କ୍ଷମତାକୁ ଆସିଛି ଏବଂ ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ୨୯ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମନ୍ତ୍ରୀମଣ୍ଡଳରେ କେଉଁ ନେତାଙ୍କୁ ସରକାରରେ ମନ୍ତ୍ରୀ କରିବେ ସେଥିପାଇଁ ରାଜନୈତିକ ଶିବିରରେ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା। ଭିନ୍ନ ଆଡ଼ୁ ଭିନ୍ନ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଉଛି। ମାତ୍ର ବିଜେଡ଼ି ଅନ୍ତର ମହଲରୁ ଯେଉଁ ଖବର ହସ୍ତଗତ ହୋଇଛି ସେଥିରୁ ଜଣା ପଡ଼ିଛିଯେ, ମନ୍ତ୍ରୀମଣ୍ଡଳରେ ସେପରି କିଛି ନୂତନତ୍ୱର ଆଭାସ ମିଳୁନାହିଁ। ମନ୍ତ୍ରୀମାନଙ୍କର ଚୟନ ପ୍ରକ୍ରିୟା ପୂର୍ବରୁ ପ୍ରଚଳିତ ସେଇ ଚିରାଚରିତ ପ୍ରଥା ଅନୁସାରେ ହିଁ ହେଉଛି। ଓଡ଼ିଶା ସରକାରରେ ଥିବା କିଛି ବାହୁବଳୀ ଅଣ ଓଡ଼ିଆ ପ୍ରଶାସକଙ୍କ ନିଷ୍ପତ୍ତି ଅନୁସାରେ ଚୟନ କରାଯାଉଛି ମନ୍ତ୍ରୀମଣ୍ଡଳ। ଚଳିତ ନିର୍ବାଚନରେ କିଛି ମୁଷ୍ଟିମେୟ ଅଣ ଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କ ସୁପାରିଶରେ ଟିକେଟ ବଣ୍ଟନ କରିଥିଲା ବିଜେଡ଼ି। ବର୍ତ୍ତମାନ ସେହି ଅଣ ଓଡ଼ିଆ ଅଫିସରଙ୍କ ସୁପାରିଶ କ୍ରମେ ମନ୍ତ୍ରୀମଣ୍ଡଳର ଚୟନ କରାଯାଉଛି ବୋଲି ଏକ ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି। ବିଜେଡ଼ି କର୍ମୀ ଓ ନେତାମାନଙ୍କୁ ଭୁଆଁ ବୁଲେଇବା ପାଇଁ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ମୁଖ ଭାଗକୁ ଛଡ଼ାଯାଇଛି। ନେତା ଓ କର୍ମୀ ଜାଣୁଛନ୍ତିଯେ, ସେ ହିଁ କିଏ ମନ୍ତ୍ରୀ ହେବ, ସେ ନିଷ୍ପତ୍ତି ନେଉଛନ୍ତି। ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ନୟାଗଡ଼ର କରିତକର୍ମା ବିଧାୟକ ଡ. ଅରୁଣ କୁମାର ସାହୁ। ଏହି ଦୁଇ ବିଧାୟକ ପ୍ରସ୍ତୁତ କରୁଛନ୍ତି ଚିଠା। ଚିଠା ଯାଉଛି ତୃତୀୟ ମହଲା। ତୃତୀୟ ମହଲାରୁ ଚିଠା ଯାଉଛି ଏହି ଅଣ ଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କ ପାଖକୁ। ସେମାନେହିଁ ନିଷ୍ପତ୍ତି ନଉଛନ୍ତି କିଏ ହେବ ମନ୍ତ୍ରୀ। ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଉଥିବା ମନ୍ତ୍ରୀ ତାଲିକା ଏକ ମିଡ଼ିଆ ଆକଳନ। ମାତ୍ର ପ୍ରକୃତରେ ଯେଉଁମାନେ ବିଡେଡ଼ି ସରକାରରେ ମନ୍ତ୍ରୀ ହେବାକୁ ଯାଉଛନ୍ତି, ସେମାନଙ୍କୁ ଗୁପ୍ତ ଭାବରେ ସୂଚାଇ ଦିଆସାରିଲାଣି। ଏବେ କେବଳ ବିଜେଡ଼ି କର୍ମୀ ଓ ନେତାଙ୍କୁ ଭୁଆଁ ବୁଲେଇବା ପାଇଁ ଚାଲିଛି ରାଜନୈତିକ କସରତ। ସାମ୍ଭାବ୍ୟ ମନ୍ତ୍ରୀ ମଣ୍ଡଳରେ କିଛି ମହିଳା ପ୍ରାର୍ଥୀଙ୍କୁ ସାମିଲ କରାଯିବ। କିଛି ନୂଆ ମୁହଁକୁ ମନ୍ତ୍ରୀ ମଣ୍ଡଳରେ ନିଆଯିବ। ବାକି ସେହି ନୂଆ ମଦ ପୁରୁଣା ବୋତଲ ଢାଞ୍ଚାରେ ବିଜେଡ଼ି ମନ୍ତ୍ରୀ ମଣ୍ଡଳ ଗଠନ ହେବ।