Odiapua.com

ପ୍ରଭାରୀ ଲିଷ୍ଟରେ ଛାତ୍ର କଂଗ୍ରେସର ମୋହର: ବିଭୁତିଙ୍କୁ କଳାହାଣ୍ଡି ନୂଆପଡା ନବରଙ୍ଗପୁର

କେନ୍ଦ୍ରାପଡ଼ା, ୨୪ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଘୋଷଣା ହୋଇଛି ଜିଲ୍ଲା ଛାତ୍ର କଂଗ୍ରେସ ର ପ୍ରଭାରୀ ଦାୟିତ୍ୱ। ରାଜ୍ୟ ସାଧାରଣ ସମ୍ପାଦକ ବିଭୁତି ଭୂଷଣ ମହାପାତ୍ରଙ୍କୁ ସର୍ବାଧିକ ତିନୋଟି ଜିଲ୍ଲାର ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି ଛାତ୍ର କଂଗ୍ରେସ। କଳାହାଣ୍ଡି, ନୂଆପଡା ଓ ନବରଙ୍ଗପୁର ଭଳି ୩ଟି ଜିଲ୍ଲାର ଦାୟିତ୍ୱ ରହିଛି ତାଙ୍କ ହାତରେ। କେନ୍ଦ୍ରାପଡାର ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ବିଧୁଭୂଷଣ ମହାପାତ୍ରଙ୍କ ପୁତ୍ର ବିଭୁତି ଭୂଷଣ ମହାପାତ୍ର କଟକସ୍ଥିତ ଭୁବନାନନ୍ଦ ଯାନ୍ତ୍ରିକ ବିଦ୍ୟାଳୟରେ ପଢୁଥିବା ବେଳେ ବିଭିନ୍ନ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ଚର୍ଚ୍ଚାକୁ ଆସିଥିଲେ। ଛାତ୍ର ଆନ୍ଦୋଳନରୁ ରାଜନୀତି ଆରମ୍ଭ କରିଥିବା ବିଭୁତି ବିଭିନ୍ନ ସଂଗଠନରେ କାର୍ଯ୍ୟ କରିବା ସହିତ ଅଲ ଓଡିଶା ଡିପ୍ଲୋମା ଛାତ୍ର ସଂଙ୍ଘର କାର୍ଯ୍ୟକାରୀ ସଭାପତି ମଧ୍ୟ ରହି ସାରିଛନ୍ତି। ଛୋଟବେଳୁ ରାଜନୀତିରେ ରୁଚି ରଖୁଥିବା ବିଭୁତି ଛାତ୍ର ସମାଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ଆନ୍ଦୋଳନ ଜଡିତ ହେବା ସହ ବହୁବାର ଜେଲ ଯାଇଥିବା ନଜିର ରହିଛି। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଓ ରାଷ୍ଟ୍ରୀୟ ସମ୍ପାଦିକା ଅନୁଲେଖା ବୋଷଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଓଡିଶାର ପ୍ରତି କୋଣ ଅନୁକୋଣରୁ ଛାତ୍ରଛାତ୍ରୀଙ୍କ ହକ ପାଇଁ ଓ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ସ୍ୱରକୁ ଆହୁରି ଶାଣିତ କରିବା ସହିତ ସଂଗଠନକୁ ସୁଦୃଢ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଛନ୍ତି ବିଭୁତି।