Odiapua.com

ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ : ନିୟମ ଉଲ୍ଲଂଘନ କରନ୍ତୁ ନାହିଁ ନହେଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୪।୫(ଓଡ଼ିଆ ପୁଅ) : ପ୍ରବାସୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ପ୍ରକାଶ କରିଛନ୍ତିଯେ, ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ଅଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି। ବହୁ ଓଡ଼ିଆ ନିଜ କର୍ମରୁ ଉର୍ଦ୍ଧ୍ବକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତି। ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ।

ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟିନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁ। ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରିବେ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର। ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ। ପ୍ରତ୍ୟେକଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହ କ୍ୱାରାଣ୍ଟାଇନର ବ୍ୟବସ୍ଥା ହୋଇଛି।