Odiapua.com

ପ୍ରବଳ ଖରାରେ ସିଝିବେ ଛାତ୍ରଛାତ୍ରୀ,ସକାଳୁଆ ସ୍କୁଲ ବଦଳରେ ୧୦-୪ ନିର୍ଦ୍ଦେଶ, ଶିକ୍ଷା ବିଭାଗର ନିଷ୍ପତିକୁ ନେଇ ଅସନ୍ତୋଷ

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଏପ୍ରିଲ ମାସ ଆରମ୍ଭରୁ ହିଁ ଖରା ର ପ୍ରକୋପ ଅସହ୍ୟ ହେଲାଣି। ପ୍ରତିବର୍ଷ ଏହି ସମୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଖର ରୌଦ୍ରତାପରୁ ରକ୍ଷା କରିବା ପାଇଁ ସରକାର ‘ସକାଳୁଆ ସ୍କୁଲ’ ନିର୍ଦ୍ଦେଶ ଦେଇଥାନ୍ତି। ମାତ୍ର ଚଳିତ ବର୍ଷ ଭଦ୍ରକ ଜିଲ୍ଲା ଶିକ୍ଷା ବିଭାଗର ଏକ ଆକସ୍ମିକ ନିଷ୍ପତି ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଗତ ବୁଧବାର ରାତିରେ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ନିମ୍ନସ୍ତରୀୟ କର୍ମଚାରୀଙ୍କୁ ହଠାତ୍ ଏକ ବାର୍ତା ପ୍ରେରଣ କରାଯାଇଛି, ଯେଉଁଥିରେ ସକାଳ ୧୦ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସମୟରେ ରାସ୍ତାଘାଟରେ ଚାଲିବା କଷ୍ଟକର ହୋଇପଡ଼ୁଛି, ସେଭଳି ସ୍ଥିତିରେ କୋମଳମତି ପିଲାମାନେ ଦିନ ୪ ଟା ପର୍ଯ୍ୟନ୍ତ କିଭଳି ବିଦ୍ୟାଳୟରେ ରହିବେ ଏବଂ ଖରାରେ ଘରକୁ ଫେରିବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣତଃ ଏପ୍ରିଲ ୨ ତାରିଖରୁ ଖରାକୁ ଦୃଷ୍ଟିରେ ରଖି ଶିକ୍ଷା ବର୍ଷର ସମୟ ନିର୍ଘଂଟ ରେ ପରିବର୍ତନ କରାଯାଇଥାଏ। ମାତ୍ର ଜିଲ୍ଲା ଶିକ୍ଷା ବିଭାଗର ଏହି ବିଳମ୍ବିତ ରାତିର ନିଷ୍ପତି ପଛରେ କି ଯୁକ୍ତି ରହିଛି, ତାହା ଅସ୍ପଷ୍ଟ। ଅଭିଭାବକମାନଙ୍କ କହିବା କଥା, “ଯଦି ପିଲାମାନେ ଅଂଶୁଘାତର ଶିକାର ହୁଅନ୍ତି, ତେବେ ଏଥିପାଇଁ କିଏ ଦାୟୀ ରହିବ। ବୁଧବାର ରାତିରେ ମେସେଜ ଜରିଆରେ ନୂଆ ସମୟ ସୂଚୀ ଜାରି କାହିଁକି ହେଲା, ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ୧୦-୪ ସମୟ ସୀମା ଅମାନୁଷିକ। ତୁରନ୍ତ ସକାଳୁଆ ସ୍କୁଲ ବ୍ୟବସ୍ଥା ଲାଗୁ କରିବାକୁ ସମସ୍ତ ଅଭିଭାବକ ମହଲରୁ ଦାବି ହେଉଛି।ସରକାର ଏବଂ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ଜରୁରୀ। ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ନିଷ୍ପତି ନେଉଥିବା ଅଧିକାରୀମାନେ ତୃଣମୂଳ ସ୍ତରର ପରିସ୍ଥିତି ଏବଂ ଖରାରେ ସ୍କୁଲ ଯାଉଥିବା ପିଲାଙ୍କ କଷ୍ଟକୁ ବୁଝିବା ଆବଶ୍ୟକ। ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।