Odiapua.com

ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ସମ୍ମାନଜନକ ‘ଫୁଲବ୍ରାଇଟ’ ଆର୍ନ୍ତଜାତିକ ସମ୍ମାନ

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ଆର୍ନ୍ତଜାତିକ ଖ୍ୟାତିସମ୍ପନ୍ନ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ସମ୍ମାନଜନକ ‘ଫୁଲବ୍ରାଇଟ’ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ‘ଆମେରିକା-ଭାରତ ଶିକ୍ଷା ସହଯୋଗ ଫାଉଣ୍ଡେସନ’ର ୭୫ ବର୍ଷ ପୁର୍ତ୍ତି ପାଳନ ଅବସରରେ ଉଚ୍ଚମାନର ଗବେଷଣା, ଗୁଣାତ୍ମକ ଶିକ୍ଷା ପ୍ରସାର, ଶିକ୍ଷାଦାନ ଓ ଶିକ୍ଷା ପ୍ରଶାସନ ପ୍ରତି ଥିôବା ଅବଦାନକୁ ସ୍ୱୀକୃତି ସ୍ୱରୂପ ପ୍ରଫେସର ମହାନ୍ତିଙ୍କୁ ଏକମାତ୍ର ଫେଲୋସିପ ଭାବେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ୧୯୫୦ ମସିହାରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ଭାରତରେ ଅବସ୍ଥାପିତ ମାର୍କିନ ରାଷ୍ଟ୍ରଦୂତ ଲୟ ପି ଆଣ୍ଡରସନଙ୍କ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ସହଯୋଗ ନିମନ୍ତେ ହୋଇଥିବା ଦ୍ୱିପାକ୍ଷିକ ବୁଝାମଣା ଅନୁଯାୟୀ ‘ଆମେରିକା-ଭାରତ ଶିକ୍ଷା ଫାଉଣ୍ଡେସନ’ ଗଠନ କରାଯାଇଥିଲା । ଏହି ଫାଉଣ୍ଡେସନ ପ୍ରତିବର୍ଷ ବହୁ ସଂଖ୍ୟକ ଛାତ୍ର, ଶିକ୍ଷକ ଓ ଗବେଷକଙ୍କୁ ‘ଫୁଲବ୍ରାଇଟ’ ବିଦ୍ୟାବୃତ୍ତି ପ୍ରଦାନ କରିଅସୁଛି । ଏ ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ପ୍ରାୟ କୋଡିଏ ହଜାର ବୃତ୍ତିଧାରୀଙ୍କ ମଧ୍ୟରୁ ପ୍ରଫେସର ମହାନ୍ତି ଏକମାତ୍ର ଗବେଷକ ଭାବେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ପ୍ରଫେସର ମହାନ୍ତିଙ୍କର ଇଂରାଜୀ ସାହିତ୍ୟରେ ପ୍ରକାଶିତ ଗବେଷଣାତ୍ମକ ସନ୍ଦର୍ଭ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭାଗୀୟ ମୁଖ୍ୟଭାବେ ଅଧ୍ୟାପନା, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି, ଭାରତ ପକ୍ଷରୁ ୟୁନେସ୍କୋ ଶିକ୍ଷା ମିଶନର ସଦସ୍ୟ, ପଣ୍ଡିଚେରୀ ଅରୋଭିଲ ଫାଉଣ୍ଡେସନ ପରିଚାଳନା ବୋର୍ଡ ସଦସ୍ୟ, ବ୍ରିଟିଶ କାଉନସିଲ, ଚାର୍ଲସ ୱାଲେସ, ସାଲଜବର୍ଗର ପୁରସ୍କାରପ୍ରାପ୍ତ ଶିକ୍ଷକ ଭାବେ ଖ୍ୟାତି ଅର୍ଜ୍ଜନ କରିଥିବାରୁ ‘ଫୁଲବ୍ରାଇଟ’ ସମ୍ମାନ ପାଇଁ ମନୋନୀତ କରାଯାଇଥିଲା । ଅକ୍ସଫୋଡ ଭଳି ବହୁ ନାମୀଦାମୀ ପ୍ରକାଶନ ସଂସ୍ଥାଙ୍କ ପକ୍ଷରୁ ତାଙ୍କ ଚରିତ ବହୁ ପୁସ୍ତକ ପ୍ରକାଶିତ ହୋଇଛି । ଓଡିଶା ସରକାରଙ୍କ ପୂର୍ବତନ ଅର୍ଥ ପରାମର୍ଶଦାତା ସ୍ୱର୍ଗତ ପଞ୍ଚାନନ ମହାନ୍ତି ଓ ମାତା ପ୍ରଖ୍ୟାତ ନାରୀ କବି ବିଦ୍ୟୁତପ୍ରଭା ଦେବୀଙ୍କ କୋଳମଣ୍ଡନ କରି ଜନ୍ମଲାଭ କରିଥିବା ପ୍ରଫେସର ମହାନ୍ତିଙ୍କ ଏହି ବିରଳ ସମ୍ମାନ ପାଇଁ ଦେଶ ବିଦେଶର ବହୁ ବ୍ୟକ୍ତି ଓ ଅନୁଷ୍ଠାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯିବା ସହ ତାଙ୍କର ନିରାମୟ ଜୀବନ କାମନା କରାଯାଇଛି ।