Odiapua.com

ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଉତ୍ସବ ଲାଗି ଭଦ୍ରକ ମୁସଲିମ ଜମାତର ବୈଠକ, ୨୬ରେ ସହର ପରିକ୍ରମା କରିବ ଜୁଲୁସ ଓ କାଫେଲା, ଶୋଭାଯାତ୍ରାରେ ଡିଜେ ଉପରେ କଟକଣା

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ବଜ଼ାର ମଦିନା ମଇଦାନ ଠାରେ ଗୁରୁବାର ସନ୍ଧ୍ୟା ୭ଘଟିକା ସମୟରେ ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ତଥା ଯଶ୍ନ-ଏ- ଇଦ ମିଲାଦୁନ ନବୀ ପାଳନ ଲାଗି ଭଦ୍ରକ ମୁସଲିମ ଜମାତ ର ବୈଠକ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜମାତର ସାଧାରଣ ସମ୍ପାଦକ ହାଜି ଇନାମ ମହମ୍ମଦ, ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ, କାର୍ଯ୍ୟନିର୍ବାହୀ ସଦସ୍ୟଗଣ , ୬୧ ଟି ବସ୍ତିର ସର୍ଦାରମାନେ, ମୁଦ୍ରିତ ଗଣମାଧ୍ୟମ ଶେଖ ଅନୱର ଏବଂ ବୈତ୍ୟୁତିକ ଗଣମାଧ୍ୟମ ନସିମ ଅଖତର ଉପସ୍ଥିତ ଥିଲେ । ଚନ୍ଦ୍ରଗଣନା ୧୪୪୮ ହିଜ଼ରୀ ଅନୁଯାୟୀ ୧୪ ଅଗଷ୍ଟରେ ଚନ୍ଦ୍ର ଦୃଶ୍ୟ ହୋଇଥିଲା, ଚନ୍ଦ୍ର ଦୃଶ୍ୟରୁ ୧୨ ଦିନ ବ୍ୟାପି ପର୍ବ ପାଳନ କରାଯିବ । ଶେଷ ଦିନ ତଥା ୨୬ ଅଗଷ୍ଟ ବୁଧୁବାର ରେ ୧୫୦୧ ତମ ଯଶ୍ନ-ଏ-ଇଦ ମିଲାଦୁନ ନବୀ ପର୍ବ ପାଳନ କରାଯିବ ବୋଲି ସିଦ୍ଧାନ୍ତ ହୋଇଥିଲା । ଏହି ପର୍ବ ଦିନ ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ବିରାଟ ଶୋଭାଯାତ୍ରା ୨୬ ଅଗଷ୍ଟରେ ବାହାରିବ । ଏହି ଶୋଭାଯାତ୍ରା ଅପରାହ୍ନ ୪ ଘଟିକା ସମୟରେ ପୁରୁଣା ବଜ଼ାର ସ୍ଥିତ ଚୌଖଣ୍ଡି ରୁ “ଫାତେହା ଓ ସଲାତୋ ସଲାମ’ କାର୍ଯ୍ୟକ୍ରମ ସାରି ଆରମ୍ଭ ହେବ ଓ ସମସ୍ତ ଜୁଲୁସ (ମେଢ଼) ଓ କାଫେଲା ବାଙ୍କା ଛକ, ପୁରୁଣା ବଜ଼ାର ଛକ , ହେଲାସାହି, ଲାହାପଟ୍ଟୀ, ନଂଘା ମହଲ୍ଲା, ହଜ଼ାରୀ ନଗର, କଚେରୀ ବଜ଼ାର, ନୂଆ ବଜ଼ାର, ଗୋଶାଳା, ମୁଲ୍ଲାସାହି ଛକ ହୋଇ ମଦିନା ମଇଦାନରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଏହି ଜୁଲୁସ ଓ କାଫେଲା ସହର ପରିକ୍ରମା ସମୟରେ କୌଣସି ମେଢ଼ରେ ଡିଜେ ସାଉଣ୍ଡ ବାଜିବ ନାହିଁ ଓ ହଜରତ ମହମ୍ମଦଙ୍କ ନୀତିବାଣୀ ଉପରେ ନାତଶରିଫ ପଢିପଢି ମଦିନା ମଇଦାନ ପହଁଚିବେ ଏବଂ ରାତ୍ରି ୯ ଘଟିକାରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ମଦିନା ମଇଦାନ ଠାରେ ଏକ ଧର୍ମସଭାର ଆୟୋଜନ କରାଯିବ । ଏହି ଧର୍ମସଭାରେ ଆମ ରାଜ୍ୟ ଓ ରାଜ୍ୟ ବାହାରୁ ମୌଲାନା (ପଣ୍ଡିତ) ଓ ସାଏର (କବି) ମାନେ ଯୋଗଦାନ କରି ହଜରତ ମହମ୍ମଦଙ୍କ ନୀତିବାଣୀ ଉପରେ ଆଲୋକପାତ କରିବେ ।