Odiapua.com

ପ୍ରଫେଟ୍ ହଜରତ ମହମ୍ମଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ, ଭଦ୍ରକ ମୁସଲିମ୍ ଜମାତ ପକ୍ଷରୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଫେଟ ହଜରତ ମହମ୍ମଦଙ୍କ ବିରୋଧରେ କଟୁ ମନ୍ତବ୍ୟ ନେଇ ଭଦ୍ରକ ମୁସଲିମ୍ ଜମାତ, ଭଦ୍ରକ ର ସବୁ ମସ୍‌ଜିଦ ଗୁଡିକର ମୌଲାନା ଓ ଚଉଦ ମହଲା ବସ୍ତିର ସର୍ଦ୍ଦାରମାନେ ତୀବ୍ର କ୍ଷୋଭ ପ୍ରକାଶ କରି ଏହାକୁ ନିନ୍ଦା କରିଛନ୍ତି । ପ୍ରକାଶ ଥାଉକି, ମହାରାଷ୍ଟ୍ର ବାସିନ୍ଦା ମହନ୍ତ ରାମଗିରି ମହାରାଜ ତାଙ୍କ ଅଶାଳୀନ ମନ୍ତବ୍ୟରେ ଇସଲାମ୍ ଧର୍ମଗୁରୁ ପ୍ରଫେଟ ହଜରତ ମହମ୍ମଦ ଓ ତାଙ୍କ ପତ୍ନୀ ହଜରତ ଆଇସା ସିଦ୍ଦିକାଙ୍କ ସମ୍ପର୍କରେ ଅଶାଳୀନ କଟୁ ମନ୍ତବ୍ୟ, ସମଗ୍ର ବିଶ୍ୱ ଓ ଦେଶରେ ମୁସ୍‌ଲିମ ସମାଜରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ସଂପୃକ୍ତ ମହନ୍ତ ରାମଗିରି ମହରାଜଙ୍କ ବିରୁଦ୍ଧରେ କଠୋର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଭଦ୍ରକ ମୁସଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀଙ୍କ ନେତୃତ୍ୱରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । କୌଣସି ଧର୍ମ ବିରୋଧରେ ଆକ୍ଷେପ ମୂଳକ ମନ୍ତବ୍ୟ ନଦେଇ ସବୁ ଧର୍ମ ପ୍ରତି ସମାଦର ମନୋଭାବ ପୋଷଣ କରିବାକୁ ମୁସଲିମ ଜମାତ ପକ୍ଷରୁ ଦାବି ହୋଇଛି । ଭବିଷ୍ୟତରେ ଏପରି ଆକ୍ଷେପମୂଳକ ରୁଗ୍‌ଣ ପରମ୍ପରା ର ମୂଳୋତ୍‌ପାଟନ ଲାଗି ସରକାର ଜାଗ୍ରତ ରହିବାକୁ ଦାବି ହୋଇଛି । ଏହି ଦାବିପତ୍ରକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଡ କଲେକ୍ଟର କାର୍ତିକ ନାଥ ମଣ୍ଡଳଙ୍କୁ ପ୍ରଦାନ କରାଯାଇଛି । ଏହାର ଏକକିତା ନକଲ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ ଓ ଭଦ୍ରକ ଏସ୍‌ପିଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଛି । ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ମୁସଲିମ ଜମାତର ଉପସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସମ୍ପାଦକ ହାଜି ଏନାମ ମହମ୍ମଦ, ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ୍‌, ସମ୍ପାଦକ ସେକ ସିରାଜୁଦ୍ଦିନ୍ , ହାଜି ଅନୱାର ହୋସେନ, ଜମିଲ ଅକ୍ତର ଖାନ୍‌, ଅସରଫ ଅଲ୍ଲି ଖାନ୍‌, ଇଂ.ରେଜାଏ ରସୁଲ, ହାଜି ଅବୁ ହୋସେନ୍‌, ମେହେବୁବ୍ ଖାନ୍‌, ମିଡିଆ ସେଲ ସଂଯୋଜକ ଶେଖ ଅନୱର(ବାବୁ), ମୀର୍ଜା ଏକ୍ରମ ବେଗ, ଜାମା ମସଜିଦ ଇମାମ୍ ସାହେବ ହାଫିଜ ମହମ୍ମଦ ସାଦ୍ଦିକ୍ ହୋସେନ, ହଜାରି ନଗର ଇମାମ କାରୀ ଅବଦୁଲ ଜବାର, ହାଫିଜ ଅସଲମ ଖାନ୍‌, ହାଫିଜ ରଫିକ, ହାଫିଜ ମୁଜାହିଦ୍‌, ହାଫିଜ ଅବଦୁଲ କରିମ୍ ଏବଂ ଚଉଦ ମହଲା ବସ୍ତିମାନଙ୍କର ସର୍ଦ୍ଦାରମାନେ ଉପସ୍ଥିତ ଥିଲେ ।