Odiapua.com

ପ୍ରଫେଟ୍ ମହମ୍ମଦ ଜୟନ୍ତୀ ଓ ବଡ଼ ସର୍କାର ବାବାଙ୍କ ଫତେହପର୍ବ ପାଇଁ ପ୍ରସ୍ତୁତି ବୈଠକ, ଜୁଲୁସ୍ ଶୋଭାଯାତ୍ରାରେ ଡିଜେବନ୍ଦ ପାଇଁ ନିଷ୍ପତ୍ତି

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଡ଼ ସର୍କାର ବାବାଙ୍କ ଉର୍ସ ଉତ୍ସବ ଓ ପ୍ରଫେଟ୍ ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ, ଭଦ୍ରକଙ୍କ ଅଧ୍ୟକ୍ଷତାରେ ଅନୁଷଠିତ ଏହି ବୈଠକରେ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯେଗ ଦେଇଥିଲେ । ମୁସଲିମ୍ ଜମାତ, ଗୁଲସାନି ଗସପାକ୍‌, ଗୁଲସାନି ନସିମ୍‌, ହିନ୍ଦୁସୁରକ୍ଷା ସମିତିର ସଦସ୍ୟ ଏବଂ ସଂପୃକ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଉକ୍ତ ଦୁଇଉତ୍ସବ, ଚାଦର ଶୋଭାଯାତ୍ରା ଓ ଜୁଲୁସ୍ ଶୋଭାଯାତ୍ରା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବଡ଼ ସରକାରଙ୍କ ବାର୍ଷିକ ଫତେହା ଉତ୍ସବ ଉର୍ସ ସେପ୍ଟେମ୍ବର ୨୩ ଓ ୨୪ ରେ ପାଳିତ ହେବ । ୨୩ରେ ଅପରାହ୍ଣ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଫଳ ଗ୍ରହଣ କରାଯାଇ ୧୧ଟାରୁ ଫଳକଟିବା ଆରମ୍ଭ ହେବ । ୨୪ ତାରିଖ ସକାଳେ ପ୍ରାର୍ଥନା, ଭୋଗ ବଣ୍ଟନ, ଚଦର ଚଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏଥିପାଇଁ ସ୍ଥାନୀୟ ଶ୍ରାଦ୍ଧାଳୁଙ୍କ ସହ ଜିଲ୍ଲା ଓ ରାଜ୍ୟ ବାହାରୁ ୮୦ ହଜାରରୁ ଏକଲକ୍ଷ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ର ସମ୍ଭାବନା ଥିବାରୁ ବିଶେଷକରି ଟ୍ରାଫିକ୍ ନିୟନ୍ତ୍ରଣ, ସଫେଇ, ପାନୀୟ ଜଳ ଯୋଗାଣ, ଅଗ୍ନି ନିରାପତ୍ତା, ଆମ୍ବୁଲାନସ୍ ବ୍ୟବସ୍ଥା, ରେଲେୱେ ଷ୍ଟସନରେ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ କାଉଣ୍ଟର ଆଦି ସୁବିଧା ସୁଯୋଗ ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପଦକ୍ଷେପ ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ଗୁଲସାନି ଗସପାକ୍‌ର ସମ୍ପାଦକ ସେକ୍ ଅତାବ ମୋହି ଉଦ୍ଧିନ୍ ଉର୍ସ ର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସେହିପରି ସରକାରୀ ବାବାଙ୍କ ପୀଠର ବିପରୀତ ପାଶ୍ୱର୍ରେ ରାସ୍ତା ଆର ପାଖରେ ଥିବା ଜାଗାରେ ଗୁଲସାନି ନସିମ୍ ଦ୍ୱାରା ତୀର୍ଥଯାତ୍ରାଙ୍କ ଆଶ୍ରୟ ପାଇଁ ଖାଦ୍ୟ, ପାନୀୟ ୨୪ ତାରିଖ ସନ୍ଧ୍ୟାରେ ଧର୍ମସଭା, ଜାତୀୟ, ଆନ୍ତର୍ଜାତୀୟ ସ୍ତରର କବି ସମ୍ମିଳନୀ ଆଦି ବ୍ୟବସ୍ଥା ସମ୍ବନ୍ଧରେ ଅନୁଷ୍ଠାନର ସଭାପତି ହବିବୁଲ୍ଲା ଓ ସମ୍ପାଦକ ଅକତଲ ପ୍ରକାଶ କରିଥିଲେ । ମୁସଲିମ୍ ଜମାତର ସଭାପତି ଅବଦୁଲ ବାରି, ସମ୍ପାଦକ ଆବଦୁଲ ମୋକିମ୍ ଙ୍କ ଦ୍ୱାରା ମହମ୍ମଦ ଜୟନ୍ତୀ ପାଳନ ଓ ଜୁଲୁସ୍ ଶୋଭାଯାତ୍ରା ନେଇ ଉପସ୍ଥାପିତ ବିବରଣୀ ଆଧାରରେ ସଦସ୍ୟମାନଙ୍କ ପ୍ରସ୍ତାବ କ୍ରମେ ଆଲୋଚନା କରାଯାଇଥିଲା । ସେପ୍ଟେମ୍ବର ୧୬ ଓ ୧୭ ରେ ଜହ୍ନ ଦର୍ଶନପରେ ୨୭ ପର୍ଯ୍ୟନ୍ତ ୧୧ ଦିନ ଧରି ପ୍ରତି ସନ୍ଧ୍ୟାରେ ଭୋଗଲାଗି, ଜହ୍ନ ଦେଖିବା ଅନୁଯାୟୀ ୨୮ କିମ୍ବା ୨୯ରେ ଉତ୍ସବ ପାଳନ ଓ ଜୁଲୁସ୍ ଶୋଭାଯାତ୍ରା ସମ୍ବନ୍ଧରେ ଟିକିନିଖି ଆଲୋଚନା କରାଯାଇଥିଲା । ଏହି ଶୋଭାଯାତ୍ରାରେ ପ୍ରାୟ ୬୦ଟି ମେଢ଼ ବାହାରିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଚଉଖଣ୍ଡିରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ମଲ୍ଲିକ୍ ମଇଦାନରେ ପହଞ୍ôଚବ ଓ ସେଠାରେ ରାତି ୩ଟା ପର୍ଯ୍ୟନ୍ତ ଧର୍ମ ସଭାହେବ । ଏହି ଶୋଭାଯାତ୍ରାରେ ଡିଜେ ନ ବାଜିବା ପାଇଁ ମୁସଲିମ୍ ଜମାତ ଓ ସ୍ଥାନୀୟ ସର୍ଦ୍ଦାର ମାନଙ୍କ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଥିଲା । ଜିଲ୍ଲା ଓ ପୋଲିସ୍ ପ୍ରଶାସନ ତରଫରୁ ଏଦିଗରେ ସମ୍ପୂର୍ଣ୍ଣ ସହଯୋଗ ଓ ପଦକ୍ଷେପ ନିଆଯିବା ପାଇଁ ଏସ୍‌.ପି ପ୍ରକାଶ କରି ଡି.ଜେ ବ୍ୟବହାର ନେଇ ପୂର୍ବ ସୂଚନା ଥିଲେ ପୋଲିସ୍‌କୁ ଜଣାଇବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । କେବଳ ଗଣେଶ ପୂଜା କି ମହମ୍ମଦ ଜୟନ୍ତୀ ନୁହେଁ ଅନ୍ୟ ସବୁ ପର୍ବପର୍ବାଣିରେ ଜିଲ୍ଲା ତମାମ୍ ଡିଜେ ବନ୍ଦ ପାଇଁ ନିଷ୍ପତ୍ତି ଏବଂ ପଦକ୍ଷେପ ନେବାକୁ ହିନ୍ଦୁସୁରକ୍ଷା ସମିତି ତଥା ଶାନ୍ତି କମିଟି ସଦସ୍ୟ ବିଦ୍ୟାଧର ସାହୁ ଓ ଅତିସ୍ କୁମାର ବେହେରା ମତ ପ୍ରଦାନ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ୍ ମୂତୟନ, ଟ୍ରାଫିକ୍ ନିୟନ୍ତ୍ରଣ, ପୋଲିସ୍ ପେଟ୍ରୋଲିଂ ଶୋଭାଯାତ୍ରାରେ ନିଶାସେବନ ନିଷେଧ ଆଦି ସମ୍ବନ୍ଧରେ ମଧ୍ୟ ଏସ୍‌.ପି. ଆଲୋଚନା କରିଥିଲେ । ଜୁଲୁସ ଶୋଭାଯାତ୍ରା ପାଇଁ ମୁଖ୍ୟ ରାସ୍ତାରେ କ୍ରସ୍ ଗେଟ୍ ନ ହେବା, ଶୋଭାଯାତ୍ରା ହେବାକୁ ଥିବା ରାସ୍ତା ମରାମତି ହେବା ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ଡି.ଏସ୍‌.ପି. ଡି.ଆଇବି କମଳଲୋଚନ ଭୂୟାଁ ସିଟି.ଡି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ ଏବଂ ସଂପୃକ୍ତ ଥାନାଧିକାରୀ ଏହି ବୈଠକରେ ଯୋଗଦେଇ ମତାମତ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।