ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାକିରିରୁ ଅବସର ନେବାର ଏକମାସ ପୂର୍ବରୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟ ପରିସରରେ ଏକ ନିଆରା ବନ୍ଧୁମିଳନ ଆୟୋଜନ କରିଛନ୍ତି। ତା ପୁଣି ଗ୍ରାମବାସୀ, ଅବିଭାବକ, ପାଖ ଆଖ ଅଂଚଳର ସବୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ସହିତ ଜଡ଼ିତ ସମସ୍ତ ଶୁଭେଛୁମାନଙ୍କୁ ନେଇ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଏପରି ଥିଲାଯେ ତାହା ପ୍ରକୃତରେ ବିଦାୟ କାଳୀନ ସଭାର ଭ୍ରମ ସୃଷ୍ଟି କରିଥିଲା। ଏଭଳି ଏକ ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ ଭଦ୍ରକ ବ୍ଲକ ରାହାଞ୍ଜ ପଂଚାୟତ ସ୍ଥିତ ତିଶଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଝୁରନବାଳା ଖୁଂଟିଆଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ନିଆରା ବନ୍ଧୁମିଳନ ସମାରୋହ ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗିରଥୀ ନାୟକ ସଭାପତିତ୍ୱ କରିଥିଲେ। ଏଥିରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା କେନ୍ଦୁଆପଦା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶଶିଶେଖର କରଶର୍ମା, କଳିଙ୍ଗ ଟିଭିର ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ସାମଲ, ବ୍ରଜଗୋପୀକା ସେବା ମିଶନ ଭଦ୍ରକର ବରିଷ୍ଠ ସଂଯୋଜକ ବିଷ୍ଣୁମୋହନ ପଣ୍ଡା, ପିଏମ୍ ଶ୍ରୀ ହାଇସ୍କୁଲ ଚୁନିଦାର ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡ଼ା, ସି.ଆର.ସି.ସି. ଜୟନ୍ତ ଯେନା, ଆନନ୍ଦ ବଜାର ହାଇସ୍କୁଲର ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ, କୃଷି କବି ଅରୁଣ କୁମାର ପାତ୍ର, ଭଦ୍ରକ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ଆରତୀ ଜେନା, ଗଣିଜାଙ୍ଗ ବାଳିକା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ର ସୁକାନ୍ତି ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୌରୀବଲ୍ଲଭ ପାଢ଼ୀ, ପ୍ରାକ୍ତନ ସଭାପତି ସୁଦର୍ଶନ ଲେଙ୍କା, ଅସୁରା ଗ୍ରାମ୍ୟ କମିଟିର ସଭାପତି ଅଭିମନ୍ୟୁ ବାରିକ୍, ସମାଜସେବୀ ସଂଗ୍ରାମ କେଶରୀ ଦାସ, ରୋପ୍ୟମୟୀ ମହାପାତ୍ର ପ୍ରମୁଖଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ପ୍ରଧାନ ଶିକ୍ଷୟିତ୍ରୀ ଝୁରନ୍ବାଳା ଖୁଂଟିଆ ତିଶଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୩୨ ବର୍ଷ ଧରି କିପରି ଏହି ବିଦ୍ୟାଳୟର ଶିକ୍ଷାର ବିକାଶ ସହିତ ଶିକ୍ଷାୟତନର ବିକାଶ ଦିଗରେ କାର୍ଯ୍ୟକରି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ ସେ ବିଷୟରେ ଆଲୋକପାତ କରିଥିଲେ। ଏପରିକି ବିଭିନ୍ନ ସମୟରେ ସେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ପୁରସ୍କାର ପାଇ ବିଦ୍ୟାଳୟ ଗୌରବ ବୃଦ୍ଧିରେ ସହାୟକ ହୋଇଛନ୍ତି। ତତ୍ ସହିତ ଏହି ବିଦ୍ୟାଳୟକୁ ଦୁଇ ଦୁଇଥର ପ୍ରକୃତି ମିତ୍ର ପୁରସ୍କାର ମଧ୍ୟ ଲାଭ କରାଇପାରିଛନ୍ତି। ତେଣୁ ସେହିଭଳି ଜଣେ ତ୍ୟାଗପୂତ, ନିଷ୍ଠାବାନ୍, ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଆଦର୍ଶ କାର୍ଯ୍ୟ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ଗ୍ରାମବାସୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶୁଭେଚ୍ଛୁମାନେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଖୁଂଟିଆଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ଯାହା ଏହକ ନିଆରା ନିଦର୍ଶନ ସୃଷ୍ଟି କରିଥିଲା। ଉକ୍ତ ଉତ୍ସବରେ ରାହାଞ୍ଜ, ଜଗଦଳପୁର, ରମ୍ଭିଳା, ଚରମ୍ପା ଓ ଏରେଇଁ ପଂଚାୟତର ସମସ୍ତ ପ୍ରାଇମେରୀ ତଥା ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଅସୁରା, ତିଶଳପୁର ଗ୍ରାମର ସମସ୍ତ ଗ୍ରାମବାସୀ ଯୋଗଦାନ ପୂର୍ବକ ପ୍ରଧାନ ଶିକ୍ଷୟିତ୍ରୀଙ୍କର ଗୁଣଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରଜଗୋପିକା ସେବାମିଶନ, ଭଦ୍ରକର ଦେବଦର୍ଶନ ଦାଶ, ବିରେଶ ମହାନ୍ତି, ନିର୍ମଳା ସାହୁ, ସ୍ୱର୍ଣ୍ଣଲତା ପାଢ଼ୀ, ମମତା ମହାନ୍ତି, ଉର୍ବଶୀ ଦାଶ, ଆରତୀ ସାହୁ ପ୍ରଭୃତି ସମସ୍ତ ସାଧକ ସ୍ୱାଧୀକା ମଧ୍ୟ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ବିଜୟ ଶୁକ୍ଳ, ସୁରେନ୍ଦ୍ର ପଲାଇ, ମନୋଜ କୁମାର ଦାସ, ବଟକୃଷ୍ଣ ମହାପାତ୍ର, ଦୀପକ ନାଏକ, ଚନ୍ଦ୍ରକାନ୍ତ ଶୁକ୍ଳ, ଶିକ୍ଷୟିତ୍ରୀ ମୀରାଲକ୍ଷ୍ମୀ ମହାନ୍ତି, ନୀରୂପମା ପଣ୍ଡା ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।