କେନ୍ଦ୍ରାପଡ଼ା ୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନିକିରାଇସ୍ଥିତ ମହାବୀର ନୋଡାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥସାରଥୀ ବେହେରାଙ୍କୁ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶ କ୍ରମେ ୬୭ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଅବସରରେ ଡାଙ୍ଗମାଳସ୍ଥିତ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ବନଖଣ୍ଡ ଅଧିକାରୀ ଡଃ. ଯଜ୍ଞଦତ୍ତ ପତି ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର, ଉତ୍ତରୀୟ ସମେତ ପ୍ରୋତ୍ସାହନ ରାଶି ନଗଦ ୧୦ହଜାର ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏସିଏଫ ନାରାୟଣ ସାମଲଙ୍କ ସମେତ ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀ ବେହେରା କରୋନା ମହାମାରୀ ସମୟରେ ୨୦ହଜାରରୁ ଅଧିକ ଚାରା ରୋପଣ କରିବା ସହ ଦୈନିକ ବିଦ୍ୟାଳୟକୁ ଯିବା ବାଟରେ ଲୋକଙ୍କୁ ଚାରା ବଣ୍ଟନ କରନ୍ତି। କେନ୍ଦ୍ରାପଡା ଜିଲାକୁ ସବୁଜିମା ଜିଲା ଭାବେ ପରିଣତ କରିବା ଲକ୍ଷ୍ୟରେ ସେ ଏହି ଅଭିଯାନ ଆରମ୍ଭ କରିଥିଲେ। ସେହିପରି ପରିବେଶରେ ଯେପରି ଅମ୍ଳଜାନର ଅଭାବ ନରୁହେ ସେଥିପାଇଁ ସେ ନିଜେ ଚାରା ରୋପଣ କରିବା ସହ ଅନ୍ୟକୁ ଚାରା ରୋପଣ କରିବା ପାଇଁ ଉତ୍ସାହିତ କରୁଥିଲେ। ତାଙ୍କର ଏହି କାର୍ଯ୍ୟ ସମଗ୍ର ଜିଲାରେ କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ବେଶ ପ୍ରସଂଶନୀୟ ହୋଇଥିଲା। ତେଣୁ ରାଜ୍ୟ ସରକାର ତାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରିଛନ୍ତି।