Odiapua.com

ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା ୨୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର -ସାହାସପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୁଧବାର କଂସାର – ସାହାସପୁର ଉଚ୍ଚ ବିଦ୍ୟାଳୟର ଗ୍ରାମ୍ୟ ଶିକ୍ଷା କମିଟିର ଏକ ବୈଠକ ଥିଲା। ବୈଠକ ଆରମ୍ଭ ହେବାରେ ଗୋଟିଏ ଗୋଷ୍ଠି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ସମସ୍ତ ଅଭିଭାବକମାନଙ୍କୁ ଠିକ ଭାବରେ ନୋଟିସ ପ୍ରଦାନ କରାଯାଇନଥିବାରୁ ଆଜିର ବୈଠକକୁ ବାତିଲ କରାଯାଇ ଅନ୍ୟ ଏକ ଦିନକୁ ବୈଠକ ଡକାଯାଉ। କିନ୍ତୁ ଅନ୍ୟ ଏକ ଗୋଷ୍ଠି ଦାବି କରିଥିଲେ ଯେ ଆଜି ବୈଠକ ନକରି ଯାଇପାରିବ ନାହିଁ। ଏହି ସମୟରେ ପ୍ରଧାନ ଶିକ୍ଷକ ଶ୍ରୀ ରାଉଳଙ୍କୁ ଜୋର ଜବରଦସ୍ତ ଟାଣି ନେଇ କେତେକ ବିଧା ଚାପୁଡା ମାରି ଏକ ଶ୍ରେଣୀ ଗୃହରେ ପୁରାଇ ଦେଇଥିଲେ। ଏସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ପ୍ରଧାନ ଶିକ୍ଷକ ଶ୍ରୀ ରାଉଳଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି।