Odiapua.com

ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କ ଗୁରୁତର ଅଭିଯୋଗ : କାର୍ଯ୍ୟାନୁଷ୍ଠାନ ନହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚେତାବନୀ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓ ବାଲେଶ୍ୱରର ସିମୁଳିଆ ବ୍ଲକ୍‌ରେ ଏକ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଜଣେ ସାବିତ୍ରୀ ବାରିକ (୪୨) ନାମ୍ନୀ ଜଣେ ବିବାହିତା ମହିଳା ଆଜି ଭଦ୍ରକର ଜିଲାପାଳଙ୍କ ନିକଟରେ ଏହି ଜିଲାର ବାସୁଦେବପୁର ବ୍ଲକ୍‌ର ଜଣେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ଜିଲାପାଳ ଜ୍ଞାନ ଦାସଙ୍କ ସମେତ ଜିଲା ଆରକ୍ଷୀ ଅଧିକ୍ଷକ, ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ତାଙ୍କର ଘର ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନସ୍ଥ ଗୌଡଦିଆ ଗ୍ରାମ ଅଟେ । ଭୀମସେନ ବାରିକ ତାଙ୍କର ସ୍ୱାମୀ ଅଟନ୍ତି । ସେ ସିମୁଳିଆ ଓ ଭଦ୍ରକ ବ୍ଲକ୍‌ରେ ଏକ ଘରୋଇ ଗଣମାଧ୍ୟମର ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଥିବାବେଳେ ବାସୁଦେବପୁର ବ୍ଲକ୍‌ର ଆରୁହା ଅଂଚଳର ଜଣେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କୋଭିଡ୍ ସମୟର ନିୟମ ଉଲ୍ଲଂଘନ ପୂର୍ବକ ସାମାଜିକ ଦୂରତ୍ୱ ନମାନି ଟ୍ୟୁସନ କରିବା ଓ ମଦ ମାଫିଆଙ୍କ ସହ ସଂପର୍କ ନେଇ ସମ୍ବାଦ ପରିବେଷଣ କରିଥିଲେ । ଫଳରେ ଉକ୍ତ ଶିକ୍ଷକ ତାଙ୍କୁ ଗତ ୮ ତାରିଖ ଦିନ ସକାଳ ପ୍ରାୟ ୫ ଘଟିକା ସମୟରେ ଏକ ନିଛାଟିଆ ରେଳଲାଇନ୍ ରାସ୍ତାରେ ତାଙ୍କୁ ଅଟକାଇ ପ୍ରେମ ନିବେଦନ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏବଂ ଏହି ଘଟଣାରେ ବାଲେଶ୍ୱର ଜିଲାପାଳ, ଏସ୍‌ପି ଓ ଭଦ୍ରକ ଜିଲା ଶିକ୍ଷାଧିକାରୀଙ୍କ ସମେତ ସମସ୍ତଙ୍କୁ ଅବଗତ କରାଇବା ସହ ସିମୁଳିଆ ଥାନାରେ ୨୨୫/୨୦ ମୂଳେ ଏକ ମାମଲା ରୁଜୁ ହୋଇଛି । ଏହି ଶିକ୍ଷକଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ଥିବା ବିଷୟ ସେ ସୂଚନା ଦେଇଛନ୍ତି । ଏହି ଘଟଣାରେ ଉକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ବାଧ୍ୟହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।