Odiapua.com

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଦୁର୍ନୀତିର ଗନ୍ଧ: ମୋରମ ବିଛାଇ ୪୦ ଲକ୍ଷ ୪୬ ହଜାର ଚଳୁ!

କୋଦଳା :୨୮/୦୭ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି ଏବଂ ଶହ ଶହ ସଂଖ୍ଯାରେ ଅଭିଯୋଗ ପ୍ରଶାସନ ପାଖରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ମାଧ୍ୟମରେ ବ୍ୟାପକ ଅନିୟମିତତା ହେଉଥିବା ଏବଂ ଖୁଲମଖୁଲା ନିର୍ଧାରିତ ଗାଇଡଲାଇନ ବାହାରେ ସମସ୍ତ କାମ ହେଉଥିବା ଦେଖିବାକୁ ମିଳିଛି।ପୂର୍ବରୁ ବ୍ଲକର ତାଳସର ସମେତ ଅନ୍ୟାନ୍ୟ ରାସ୍ତାରେ ବେଆଇନ କାର୍ଯ୍ୟ ହୋଇଥିବା ଅଭିଯୋଗ ଆସୁଥିବା ବେଳେ ଗ୍ରାମ୍ଯଉନ୍ନୟନ ବିଭାଗ ତ୍ରୁଟି ସୁଧାରିବା ପରିବର୍ତ୍ତେ ଠିକାଦାର ଓ ଯନ୍ତ୍ରୀ ମଧୁଚନ୍ଦ୍ରିକା କରି ବେଆଇନ୍ କାର୍ଯ୍ଯକୁ ଆଇନରେ ପରିଣତ କରୁଛନ୍ତି। ବ୍ଲକର ମଠ ବରିଡା ପରେ ପରେ ଆମ୍ବଠାପଲ୍ଲୀ ପୁର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରୁ ମାଗୁରାଣି ଚାଞ୍ଚରା ଯାଏଁ ମୋଟ ୧ କିମି ୧୪୦ ମିଟର ଲମ୍ବ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୪୦ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ପିଚୁ ରାସ୍ତା ନିର୍ମାଣ ପାଇଁ ୩୦ ଜୁନ୍ ୨୦୧୮ ରେ କାମ ଆରମ୍ଭ ହୋଇଥିବା ସରକାରୀ ସୂଚନା ଫଳକରେ ଉଲ୍ଲେଖ ରହିଛି। ଏବଂ ଏହି କାର୍ଯ୍ଯ ୨୯ ମାର୍ଚ୍ଚ ୨୦୧୯ ରେ ସରିଥିବା କଥା ଦର୍ଶାଯାଇଛି। କିନ୍ତୁ ବାସ୍ତବ ଚିତ୍ର କହୁଛି ପିଚୁ ତ ପଡ଼ିବା ଦୂରର କଥା, କେବଳ ମୋରମ ବିଛେଇରେ ସୀମିତ ରହିଛି ନିର୍ମାଣ କାର୍ଯ୍ୟ। ଗ୍ରାମ୍ଯ ନିର୍ମାଣ ବିଭାଗ ଦ୍ଵାରା ସଂପାଦିତ ହେଉଥିବା ଏହି ରାସ୍ତା ନିର୍ମାଣର ଠିକାଦାର ନଟବର ପ୍ରଧାନ ବୋଲି ସୂଚନା ଦିଆଯାଇଛି। ଏଭଳି ସୂଚନା ଫଳକକୁ ନେଇ ଏବେ ସଂଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ। ସରକାରଙ୍କ ପ୍ରତିଟି ଉନ୍ନୟନ କାର୍ଯ୍ୟର ସଠିକ୍ ସୂଚନା ଦିଆଯିବାକୁ ନିୟମ ରହିଛି ସତ, କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତୁରା ଯୋଗୁଁ କେନ୍ଦ୍ରୀୟ ଅନୁଦାନ ଚଳୁ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।ରାସ୍ତା ନିର୍ମାଣ ନକରି ଅର୍ଥ ହରିଲୁଟ୍ ହୋଇଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସଂଦେହ କରିଛନ୍ତି ଗ୍ରାମବାସୀ। ପୂର୍ବରୁ ସଡ଼କ ଯୋଜନାରେ ଦୁର୍ନୀତି ନେଇ ଗଂଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଏକାଧିକ ମାମଲା ହାଇକୋର୍ଟରେ ରୁଜ୍ଜୁ ହୋଇଥିବା ବେଳେ ଏହି ରାସ୍ତାକୁ ନେଇ ଅଧିକ ଅନୁସନ୍ଧାନ କରି ଆବଶ୍ୟକ ପଡିଲେ ହାଇକୋର୍ଟ ଯିବୁ ବୋଲି କହିଛନ୍ତି ମଞ୍ଚର ଜିଲ୍ଲା ସଭାପତି ସମରଜିତ ମହାନ୍ତି।