Odiapua.com

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଇଁ ଅନୁଷ୍ଠିତ ସେବା ସପ୍ତାହ – ଓଡିଶା ବନ୍ୟା ପ୍ରପୀଡିତଙ୍କ ପାଇଁ ଦିଲ୍ଲୀରୁ ପଠାଗଲା ରିଲିଫ ସାମଗ୍ରୀ

ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ-ପି-ନଡ୍ଡା ପତକା ଦେଖାଇ ଯାତ୍ରାର ଶୁଭାରମ୍ଭ କଲେ

– ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର
– ସାମାଜିକ ଦାୟୀତ୍ୱକୁ ପାଳନ କରି ରାଜ୍ୟର ବନ୍ୟା ପ୍ରପିଡୀତଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଇଥିବାରୁ ରାଜ୍ୟ ବିଜେପି ତରଫରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ

ନୂଆଦିଲ୍ଲୀ / ଭୁବନେଶ୍ୱର, ୨୧/୦୯ (ଓଡ଼ିଆ ପୁଅ) : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମ ଦିନ ଅବସରରେ ଦେଶବ୍ୟାପୀ ସେବା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଏକ ରିଲିଫ ସାମଗ୍ରୀ ବୋଝେଇ ଟ୍ରକ ଓଡିଶାରେ ବନ୍ୟା ପ୍ରପୀଡିତଙ୍କ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ୧୦ହଜାର ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ଆସୁଛି। ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ ପ୍ରକାଶ ନଡ୍ଡା ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦ ତଳେ ପଦ୍ମ ଫୁଲ ଅର୍ପଣ କରି ପ୍ରାର୍ଥନା କରିବା ସହ ସମସ୍ତଙ୍କ ଶୁଭକାମନା କରିଥିଲେ। ଏହା ପରେ ଶ୍ରୀ ନଡ୍ଡା ପତକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ଡାଃ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚଳିତ ବର୍ଷ ବନ୍ୟା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲା ବ୍ୟାପକ ଜଳମଗ୍ନ ହୋଇ ବ୍ୟାପକ ଧନସଂପତି ନଷ୍ଟ ହୋଇଛି। ବନ୍ୟା କାରଣରୁ ପୁରୀ ଜିଲ୍ଲା ଡେଲାଙ୍ଗ ଏବଂ କଣାସ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହେବା ସହ ସ୍ଥାନୀୟ ବାସିନ୍ଦାମାନେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏହି ଟ୍ରକରେ ଆସୁଥିବା ରିଲିଫ ସାମଗ୍ରୀଗୁଡିକୁ ଡେଲାଙ୍ଗ ଓ କଣାସ ବ୍ଲକର ବିଭିନ୍ନ ୭୦ଟି ଗ୍ରାମରେ ବଂଟନ କରାଯିବ। ଭାରତୀୟ ଜନତା ପାର୍ଟୀ ନିଜର ସାମାଜିକ ଦାୟୀତ୍ୱକୁ ପାଳନ କରି ରାଜ୍ୟର ବନ୍ୟା ପ୍ରପିଡୀତଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଇଥିବାରୁ ରାଜ୍ୟ ବିଜେପି ତରଫରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।