ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭାରତର ପ୍ରଧାନମନ୍ତ୍ରୀ ଭାବେ ଦୀର୍ଘ ୪,୩୯୯ ଦିନ କାର୍ଯ୍ୟ କରି ଏକ ଐତିହାସିକ ମାଇଲଖୁଂଟ ଅତିକ୍ରମ କରିଥିବା ଅବସରରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସଫଳତାକୁ ୧୪୦ କୋଟି ଭାରତବାସୀଙ୍କ ଅଟୁଟ ବିଶ୍ୱାସ, ସମର୍ଥନ ଓ ଆଶାର ପ୍ରତିଫଳନ ବୋଲି କୁହାଯାଇଛି। ଏହି ଅବସରରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ଓ ଦଳୀୟ କାର୍ଯ୍ୟକର୍ତାମାନେ ମଠସାହିସ୍ଥିତ ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ। ସେଠାରେ ଦୀପଦାନ, ସନାତନ ପରମ୍ପରା ଅନୁଯାୟୀ ହୋମ-ଯଜ୍ଞ, ସାମୂହିକ ହନୁମାନ ଚାଳିଶା ପାଠ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସମସ୍ତେ ଦେଶର ସୁଖ, ଶାନ୍ତି, ସମୃଦ୍ଧି ଓ ନିରନ୍ତର ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ। ମା’ଙ୍କ ପବିତ୍ର ଚରଣରେ ପ୍ରାର୍ଥନା କରାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ଓ ଯଶସ୍ୱୀ ନେତୃତ୍ୱରେ ଭାରତ ନିରନ୍ତର ବିକାଶ, ସୁଶାସନ, ସମୃଦ୍ଧି ଓ ଆତ୍ମନିର୍ଭରତାର ପଥରେ ଆଗେଇ ଚାଲୁ ଏବଂ ବିଶ୍ୱ ଦରବାରରେ ନିଜର ଗୌରବମୟ ସ୍ଥାନକୁ ଆହୁରି ସୁଦୃଢ଼ କରୁ। ଏହି କାର୍ଯ୍ୟକ୍ରମରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ମଣ୍ଡଳ ସଭାପତିଙ୍କ ସମେତ ବହୁ ବିଜେପି ନେତୃବୃନ୍ଦ, ସଦସ୍ୟ ଓ ନିଷ୍ଠାବାନ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଦେଶର ଉନ୍ନତି, ଜନକଲ୍ୟାଣ ଓ ଜାତୀୟ ଏକତା ପାଇଁ ସମସ୍ତେ ସାମୂହିକ ଭାବେ ସଂକଳ୍ପ ଗ୍ରହଣ କରିଥିଲେ।