Odiapua.com

ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ସମୀକ୍ଷା ପାଇଁ ବିଜେଡି ସଭ୍ୟଙ୍କ ବିରୋଧର କାରଣ କ’ଣ କେଆର ଫଣ୍ଡରୁ ଓଡିଶା କେତେ ପାଣ୍ଠି ପାଇଛି ସ୍ପଷ୍ଟ କର

ଭୁବନେଶ୍ୱର ୧୨-୭ (ଓଡ଼ିଆ ପୁଅ)କରୋନା ମୁକାବିଲା ନାମରେ ପ୍ରଧାନମନ୍ତ୍ରୀ ପଦବୀକୁ ବ୍ୟବହାର କରି ଏକ ଘରୋଇ ଟ୍ରଷ୍ଟ ଫଣ୍ଡ ଗଠିତ ହୋଇଛି। କେନ୍ଦ୍ରୀୟ ସ୍ତରରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ସ୍ୱାଧୀନତା ପରଠାରୁ ଗଠିତ ହୋଇଥିଲେ ସୁଦ୍ଧା, ଏଭଳି ଆଉ ଏକ ଘରୋଇ ଟ୍ରଷ୍ଟ ଫଣ୍ଡ ଗଠନର ଆବଶ୍ୟକତା କୁ ସବୁ ମହଲରେ ସନ୍ଦେହ ପ୍ରକଟ କରାଯାଉଛି। ଏହି ନୂତନ ଘରୋଇ ଟ୍ରଷ୍ଟ ଫଣ୍ଡରେ  ଦେଶ ବିଦେଶରୁ ହଜାର ହଜାର କୋଟି ଟଙ୍କା ଆଦାୟ ହେଉଛି। କିନ୍ତୁ ଏହାର ଅଡିଟ୍ ହୋଇପାରିବ ନାହିଁ କି, ସୂଚନା ଅଧିକାର ଆଇନ ଅନୁଯାୟୀ କୌଣସି ତଥ୍ୟ ମଧ୍ୟ ମିଳିବ ନାହିଁ, ତା’ହେଲେ ଏପରି ଏକ ଟ୍ରଷ୍ଟ ଫଣ୍ଡ ଗଠନର ଉଦ୍ଦେଶ୍ୟ କ’ଣ।

ଇତି ମଧ୍ୟରେ ଲୋକସଭାର ପବ୍ଳିକ ଆକାଉଣ୍ଟସ୍ କମିଟିର ବୈଠକରେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡର ସମୀକ୍ଷା କରିବା ପ୍ରସ୍ତାବକୁ ନାକଚ କରିବାକୁ ବିଜେପିର ସବୁ ସାଂସଦ ଏକଜୁଟ ହୋଇ ବିରୋଧ କଲାବେଳେ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ ମଧ୍ୟ ବିଜେପି ସଭ୍ୟମାନଙ୍କ ସହ ସ୍ୱର ମିଳାଇ ବିରୋଧ କରିଥିବା ସମ୍ବାଦ ପ୍ରକାଶ ପାଇଛି। ସମୀକ୍ଷା ପାଇଁ ବିଜେଡିର ବିରୋଧିତାର କାରଣ କ’ଣ। ଏଥିରେ ଓଡିଶାର ସ୍ୱାର୍ଥ କିପରି ସୁରକ୍ଷିତ ହେଉଛି।

ବରଂ ରାଜ୍ୟ ସରକାରମାନେ କୋଭିଡ୍ – ୧୯ ମୁକାବିଲା କ୍ଷେତ୍ରରେ ଆଗଧାଡିରେ ରହି ଲଢୁଛନ୍ତିା କିନ୍ତୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜି-ଏସ୍‌ଟି-ର ଭାଗ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ନିମନ୍ତେ ଆଜି ସୁଦ୍ଧା ସଂପୂର୍ଣ୍ଣ ଅର୍ଥ ଦେଇନାହାଁନ୍ତି। ପିଏମ୍‌ କେୟାର୍ସ ଫଣ୍ଡରେ ଗଛିତ ଅର୍ଥ ମଧ୍ୟ ରାଜ୍ୟମାନଙ୍କୁ ମିଳୁନାହିଁ। କେନ୍ଦ୍ର ସରକାରଙ୍କ ଦୁଇଥର ପେଟ୍ରୋଲ, ଡିଜେଲ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ଯଥାର୍ଥ ଦର୍ଶାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁକ୍ତି କରି ଏହା କୋଭିଡ୍ ମୁକାବିଲା ପାଇଁ ଖର୍ଚ୍ଚ ହେଉଛି ବୋଲି କହିଲେ। ସେଥିରୁ କେତେ ଅର୍ଥ ରାଜ୍ୟକୁ ମିଳିଛି ତାହା କେନ୍ଦ୍ର ଓ ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର।

କରୋନା ମୁକାବିଲା ଯୋଗୁଁ ଓଡିଶାରେ ଘୋର ଆର୍ଥିକ ସଙ୍କଟ ଦେଖା ଦେଇଥିବା ଆଳରେ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ବନ୍ଦ କରୁଛନ୍ତି। ନୂତନ କର୍ମ ନିଯୁକ୍ତି ଉପରେ କଟକଣା ଲଗାଇଛନ୍ତି। ଏପରି ସ୍ଥଳେ କେନ୍ଦ୍ର ସରକାରଙ୍କ ଠାରୁ ଓଡିଶାର ହକ ପ୍ରାପ୍ୟ ପାଇଁ ରାଜ୍ୟ ସରକାର ସ୍ୱର ଉତ୍ତୋଳନ ନକରିବା ଦୂର୍ଭାଗ୍ୟ ଜନକ।

ଓଡିଶାର ବିଜେଡି ସରକାର, କେନ୍ଦ୍ର ବିଜେପି ସରକାରର ପ୍ରତ୍ୟେକଟି ଜନ ବିରୋଧି କାର୍ଯ୍ୟକ୍ରମକୁ ବରାବର ସମର୍ଥନ ଦେଇ ଓଡିଶା ରାଜ୍ୟର କେଉଁ ସ୍ୱାର୍ଥ ରକ୍ଷା କରୁଛନ୍ତି।