Odiapua.com

ପ୍ରଧାନମନ୍ତ୍ରୀ ଆବାସ ହାତେଇବାକୁ ସ୍ୱାମୀଠୁ ସ୍ତ୍ରୀ ଅଲଗା, ଜାନୁଆରୀ ସୁଦ୍ଧା ସରିବ ୧୨ ଶହ ଘର ନିର୍ମାଣ

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ମାର୍ଚ୍ଚ ପୂର୍ବରୁ ସାରା ଜିଲାରେ ୩୯ ହଜାହର ଓ ତିହିଡି ବ୍ଲକ୍‌ରେ ୫ ହଜାର ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ଆରମ୍ଭ କରିବାକୁ ଜିଲା ପ୍ରକଳ୍ପ ଅଧିକାରୀ କଡା ନିର୍ଦ୍ଦେଶ ଦେଇଛନ୍ତି । ସାରା ଜିଲାର ଏହି ୩୯ ହଜାର ଘର ଆରମ୍ଭ ହେଲା ବୋଲି କାଗଜପତ୍ର ଅନ୍‌ଲାଇନ୍‌ରେ ଫଟୋ ସହ ଗଲେ ୨୦୨୧-୨୨ ପାଇଁ ଜିଲାକୁ ପୁଣି ୪୦ ହଜାରରୁ ଅଧିକ ଘର ନିର୍ମାଣ ପାଇର୍ ଅର୍ଥ ଆସିବ । ଏଥିପାଇଁ ଜାନୁଆରୀ ଶେଷସୁଦ୍ଧା ସବୁ ବ୍ଲକ୍‌ରେ ୧ ହଜାରରୁ ୧୫ ଶହ ଲେଖାଏଁ ଘର ନିର୍ମାଣ ଆରମ୍ଭ କରିବାକୁ ଏବେ ବିଡିଓଙ୍କ ମାର୍ଫତ୍‌ରେ ଚାଲିଛି ହିତାଧିକାରୀ ସମ୍ମିଳନୀ । ବ୍ଲକ୍‌ରେ ଅଧିକାରୀଙ୍କୁ ବସାଇ ନଦେଇ ବିଭିନ୍ନ ପଂଚାୟତର ସୁପରଭାଇଜିଂ ଦାୟିତ୍ୱ ପ୍ରଦାନ କରାଯାଇଛି । ତିହିଡି ବ୍ଲକ୍‌ର ଏବିଡିଓ ଗୁଲ୍ ଫିରଦୋସଙ୍କୁ ପାଳିଆବିନ୍ଧା, ନୟାନନ୍ଦ, କୁବେରା, କୋହ୍ଲ, ସିନ୍ଦୋଳ ଓ ଦୌଲତପୁର ପଂଚାୟତ ଦାୟିତ୍ୱ ଦିଆଯାଇଛି । ସେହିପରି ଆକାଉଣ୍ଟ ଅଫିସର ସୌମ୍ୟ ନନ୍ଦନ ପଟ୍ଟନାୟକଙ୍କୁ ଭାଟପଡାହ ଓ ଫତେପୁର ପଂଚାୟତ, ଆସିଷ୍ଟାଣ୍ଟ ଇଂଜିନିୟର ରଶ୍ମିରଂଜନ ମହାପାତ୍ରଙ୍କୁ ତାଳପଦା, ମୁକୁନ୍ଦପୁର, ମହରମପୁର, ବାମନବିନ୍ଧା, ସାହାପୁର ଓ ଗୋବିନ୍ଦପୁର ପଂଚାୟତ ଦାୟିତ୍ୱ ଦିଆଯାଇଛି । ସେହିପରି ମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର ସାମଲଙ୍କୁ ଶ୍ୟାମସୁନ୍ଦରପୁର, କାଁପଡା, ବାରୋ, ତଳଗୋପବିନ୍ଧା, ବାରସର ଓ ହରସିଂହପୁର ପଂଚାୟତ ଦାୟିତ୍ୱ ଦିଆଯାଇଥିବାବେଳେ ଜିପିଓ ତରଣୀ ସେନ ବାରିକଙ୍କୁ ଜାମଯୋଡି, ରାଜନଗର, ନରେନ୍ଦ୍ରପୁର, ସୟା ଓ ବାହାବଳପୁର ପଂଚାୟତ ଦାୟିତ୍ୱ ଦିଆଯାଇଛି । ସେହିପରି ବିପିଏମ୍ ରଶ୍ମିତା ନାୟକଙ୍କୁ ଦୋଳସାହି, ଗୁଆମାଳ, ମଙ୍ଗଳପୁର, ଅଚକ, ବିଲଣା ଓ ବୋଡକ ପଂଚାୟତର ଦାୟିତ୍ୱ ଦିଆଯାଇଛି । ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ଲୋକେ କେମିତି ଆରମ୍ଭ କରିବେ, ତାହାକୁ ନେଇ ଗାଁ ଗାଁ ବୁଲି ସୁପରଭାଇଜିଂ କରିବେ । ବିଶେଷକରି ବୋଡକ ପଂଚାୟତର ୨୪୭, ସାହାପୁରରେ ୨୩୫, ବାରୋ ୨୩୪ ଓ ବାରସର ପଂଚାୟତରେ ୨୩୪ ଘର ପୂର୍ବ ବର୍ଷରୁ ନିର୍ମାଣ ହୋଇ ନପାରି ବାଲାନ୍ସ ତାଲିକାରେ ଚାଲିଛି । ଅନ୍ୟପକ୍ଷରେ ପ୍ରକୃତ ହିତାଧିକାରୀ ଘର ଖଣ୍ଡିଏ ପାଇଁ ବ୍ଲକ୍‌କୁ ଦଉଡୁଥିବା ବେଳେ ଏହି ମାଗଣା ଯୋଜନା ପାଇଁ ସ୍ୱାମୀର ଶଂଖା ସିନ୍ଦୂରକୁ ବି ପର କରିବାକୁ ପଛାଉ ନାହାଁନ୍ତି କେତେକ ବ୍ୟକ୍ତି ।

ଏମାନଙ୍କ ପାଇଁ ମାଗଣା ଯୋଜନାରେ ସାମିଲ ହେବା ବଡକଥା । ଯେମିତି ବି ହେଉ ସରକାରୀ ସହାୟତା ହାତେଇବାକୁ ପଡିବ । ସବୁ ସରକାରୀ ନୀତି ନିୟମକୁ ପଛରେ ପକାଇ ଯେକୌଣସି ଉପାୟରେ ହେଉ ମଧ୍ୟ ଯୋଜନା ହାତେଇବା ଲକ୍ଷ୍ୟରେ ଅଛନ୍ତି ଅନେକ ଆଶାୟୀ । ପରିବାରର ଯେତେ ସଦସ୍ୟ ଅଛନ୍ତି, ସମସ୍ତେ କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଦୁଇଚାରିଟା ଘର ପାଇପାରିବେ, ସେଥିପାଇଁ ସ୍ୱାମୀ-ସ୍ତ୍ରୀ ଠାରୁ ଅଲଗା ହୋଇଥିବା ପ୍ରମାଣ ଦେବାକୁ ମଧ୍ୟ ପଛାଉ ନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆଗରୁ ପରିବାରର ବାପପୁଅ ଓ ଭାଇ ଭାଇ ଆବେଦନ କରୁଥିବାବେଳେ ଏବେ ସ୍ୱାମୀ ଅଲଗା ଓ ସ୍ତ୍ରୀ ଅଲଗା ମଧ୍ୟ ଆବେଦନ କରୁଛନ୍ତି । ଏଥିପାଇଁ ସ୍ୱାମୀ ଠାରୁ ସ୍ତ୍ରୀ ଅଲଗା ହୋଇଥିବା ବା ସ୍ୱାମୀ ସ୍ତ୍ରୀକୁ ବାହାର କରିଦେଇଥିବା ଲିଖିତ ଭାବେ ବିଡିଓଙ୍କୁ କିଛି ମହିଳା ଜଣାଇଛନ୍ତି । ସେମାନଙ୍କ ସ୍ୱାମୀ ତାଙ୍କୁ ବାହାର କରିଦେଇଛନ୍ତି ବା ସ୍ୱାମୀ ଠାରୁ ସେ ଅଲଗା ହୋଇଯାଇଛନ୍ତି । ତେଣୁ ରହିବା ପାଇଁ ତାଙ୍କର ବାସଗୃହଟିଏ ନିହାତି ଆବଶ୍ୟକ ହୋଇପଡିଛି । ସରକାର ଯଥାଶୀଘ୍ର ଆମକୁ ଖଣ୍ଡିଏ ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରଦାନ କରିବାକୁ ଆବେଦନ କରୁଛନ୍ତି । ଏହି ଆବେଦନ କରିବା ଫର୍ମୁଲା ଏବେ ବ୍ଲକ୍‌ର ପ୍ରାୟ ସବୁ ପଂଚାୟତକୁ ବ୍ୟାପିଗଲାଣି । ପ୍ରତିଦିନ ବିଡିଓଙ୍କ ଟେବୁଲକୁ ଏପରି ଆବେଦନ ପତ୍ର ଧରି ମହିଳାମାନେ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଅନେକ ଅନିୟମିତତା ସାମ୍ନାକୁ ଆସୁଥିବା ବେଳେ ବହୁ ପ୍ରକୃତ ହିତାଧିକାରୀ ଆଜିଯାଏ ଘର ଖଣ୍ଡିଏ ପାଇଁ ପଂଚାୟତରୁ ବ୍ଲକ୍ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ଅନ୍ୟପକ୍ଷରେ କେତେକ ଅଯୋଗ୍ୟ ଏହି ଯୋଜନାକୁ ହାତେଇ ମହଲା ପରେ ମହଲା ଗଢି ଚାଲିଛନ୍ତି । ଏପରି ସ୍ଥଳରେ ସରକାରୀ ଟଙ୍କାରେ ଗୋଟିଏ ଗୋଟିଏ ବିଶାଳ ଅଟାଳିକା ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି କିଛି ସ୍ୱାର୍ଥଲୋଭୀ ବ୍ୟକ୍ତି । ସ୍ୱାର୍ଥ ପାଇଁ ଏମାନେ ବି ନିଜ ସ୍ତରକୁ ଖସି ଯାଉଛନ୍ତି । ଏପରିକି ନିଜ ଶଂଖା ସିନ୍ଦୂରକୁ ମଧ୍ୟ ଅଲଗା କରିଦେଉଛନ୍ତି । ଏବେ ଏପରି ହୀନ ମାନସିକତା ବ୍ୟକ୍ତିଙ୍କ ପାଇଁ ବହୁ ସରକାରୀ ଯୋଜନା ଅବାଟରେ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।