Odiapua.com

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଲ୍ ପାଇଁ ସରପଞ୍ଚଙ୍କ ହିତାଧିକାରୀଙ୍କୁ ମାଡ ଘଟଣା, ଏସ୍‌ପିଙ୍କୁ ଭେଟିଲେ ବ୍ଳକ କଂଗ୍ରେସ ପ୍ରତିନିଧି, ଦାବି ପୂରଣ ନ ହେଲେ ଥାନା ଘେରାଓ

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଳକ ଅନ୍ତର୍ଗତ ଗୋରାମାଟି ପଞ୍ଚାୟତର ସରପଞ୍ଚ ପ୍ରଧାନମନ୍ତ୍ରୀ ଆବାସ ବିଲ୍ ପାଇଁ ଲାଞ୍ଚ ମାଗିବା ଘଟଣାକୁ ଗୋରାମାଟି (ଚକପୁର) ଗ୍ରାମର ପ୍ରହଲ୍ଲାଦ ରଣା ଓ ଖଗେଶ୍ୱର ରଣା ମୋବାଇଲରେ ରେକର୍ଡିଂ କରି ପର୍ଦ୍ଦାଫାଶ୍ କରିବାରୁ ଗୋରାମାଟି ସରପଞ୍ଚ, ତାଙ୍କର ଭାଇ ଏବଂ ସମର୍ଥକମାନେ କ୍ରୋଧାନ୍ୱିତ ହୋଇ ସେହି ଦୁଇ ଭାଇଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ କୌଶଳ କ୍ରମେ ଡକାଇ ଅମାନୁଷିକ ଭାବେ ମାଡମାରି, କ୍ଷତାକ୍ତ କରି ସେମାନଙ୍କର ମୋବାଇଲ ଓ ନଗଦ ଟ୨୦,୦୦୦/-ଙ୍କା ଛଡାଇ ନେଇଛନ୍ତି । ଜବରଦସ୍ତ ସାଧା କାଗଜରେ ଦସ୍ତଖତ କରାଇ ନେବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହି ଘଟଣାରେ ସେମାନଙ୍କ ମାଆ ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ- ୧୪୭/୨୧ରେ ମାମଲା ରୁଜୁ କରିଥିଲେ ମଧ୍ୟ ସେମାନଙ୍କ ପ୍ରତି ଅନୁକମ୍ପା ପ୍ରଦାନ ପୂର୍ବକ ସେମାନଙ୍କୁ ଗିରଫ କରୁନାହିଁ । ଅଭିଯୁକ୍ତମାନେ ଅନ୍ୟପକ୍ଷରେ ପୀଡିତ ପରିବାରକୁ ନାନାଦି ଧମକ, ଚମକ ଦେବା ସହିତ ସେମାନଙ୍କ ବିରୁଦ୍ଧରେ ଏକ ମିଥ୍ୟା ହରିଜନ ଅତ୍ୟାଚାର ମାମଲା ଆଗତ କରାଇଅଛନ୍ତି । ଯାହାକୁ ଭଦ୍ରକ ବ୍ଲକ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ମାଡଖାଇ ଗୁରୁତର ଆହତ ହୋଇ ଭଦ୍ରକ ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଦୁଇ ଭାଇଙ୍କୁ ଆଜି ଭଦ୍ରକ ବ୍ଲକ କଂଗ୍ରେସ ସଭାପତି ଆଡ୍‌ଭୋକେଟ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସେମାନଙ୍କୁ ଭେଟି ତାଙ୍କ ଦୁଃଖ କାହାଣୀ ଶୁଣିଥିଲେ । ପରେ ୨ ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରି ଏକ ଦାବିପତ୍ର ସାବରଙ୍ଗ ଥାନା ଆଇଆଇସିଙ୍କୁ ପ୍ରଦାନ କରିବା ସହିତ ଏସପି ଚରଣ ସିଂ ମୀନାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏସ୍‌ପି ୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ୫ଦିନ ମଧ୍ୟରେ ଅଭିଯୁକ୍ତ ଗିରଫ ନହେଲେ ଭଦ୍ରକ ବ୍ଲକ କଂଗ୍ରେସ କମିଟି ବାଧ୍ୟ ହୋଇ କୋଭିଡ଼ କଟକଣାକୁ ପାଳନ କରି ଜନସାଧାରଣଙ୍କ ସହଯୋଗରେ ସାବରଙ୍ଗ ଥାନାକୁ ଶାନ୍ତିପୂର୍ଣ୍ଣ ଭାବେ ଘେରାଓ କରିବ ଓ ତତ୍‌ପରେ ନ୍ୟାୟ ନମିଳିଲେ ବାଧ୍ୟ ହୋଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି । ଆଜି ଏସପିଙ୍କୁ ଭେଟିବା ଅବସରରେ ଶ୍ରୀ ସାମଲଙ୍କ ସହିତ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି, ଗୋଲକ ଚନ୍ଦ୍ର ମହାପାତ୍ର, ବିଜୟ ବାରିକ, ପୀତବାସ ଧଳ, ବରେନ୍ଦ୍ର ମହାପାତ୍ର, ଶଶିକାନ୍ତ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।