Odiapua.com

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରାଯାଉ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପ୍ରଶାସନିକ ସମୀକ୍ଷା ବୈଠକ

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଭଦ୍ର୍ରକ ଜିଲ୍ଲା ଗସ୍ତ ଅବସରରେ ଆଜି ସଦ୍‌ଭାବନା ସଭାଗୃହରେ ଏକ ପ୍ରଶାସନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ମୁଣ୍ଡା ସକାଳେ ମା’ ଭଦ୍ରକାଳୀଙ୍କୁ ଦର୍ଶନ କରି ପୂର୍ବାହ୍‌ଣ ୧୦ଘ.୩୦ମି ରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ଶାନ୍ତନୁ କୁମାର ମହାନ୍ତି, ସି.ଡ଼ି.ଓ. ପ୍ରତାପ ପ୍ରୀତିମୟ ପ୍ରମୁଖ ଯୋଗ ଦେଇଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମାନ୍ୟବର ମନ୍ତ୍ରୀ କୃଷି, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଯୋଗାଣ, ଶିଶୁ ସୁରକ୍ଷା, ସାମାଜିକ ସୁରକ୍ଷା, ଜିଲ୍ଲା ମଙ୍ଗଳ ବିଭାଗ, ଆର୍‌.ଡ଼ି. ଆଦି ବିଭାଗ ଜରିଆରେ କର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ସବୁର ରୂପରେଖ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରିବା ସହିତ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ପ୍ରଥମେ ଜିଲ୍ଲାପାଳ ଜିଲ୍ଲାର ବ୍ଲକ, ପଞ୍ଚାୟତ ସଂଖ୍ୟା, ଜନ ସଂଖ୍ୟା, ଜୀବନ ଜିବୀକା, କୃଷି ଅମୃତ ସରୋବର, ଅଙ୍ଗନବାଡ଼ି ପ୍ରକଳ୍ପ ଆଦି ସମ୍ବନ୍ଧରେ ସମ୍ୟକ୍ ସୂଚନା ପ୍ରଦାନ କଲାପରେ ସଂପୃକ୍ତ ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟଧାରା ଓ ସଫଳତା ନେଇ ଉପସ୍ଥାପନ ରଖିଥିଲେ।

ସାମାଜିକ ସୁରକ୍ଷା ଯୋଜନାରେ ଜାତୀୟ ସାମାଜିକ ସହାୟତା ପେନ୍‌ସନ୍ ଯୋଜନାରେ ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ମିଶି ଜିଲ୍ଲା ପାଇଁ ୬୨୪୬୯ ଧାର୍ଯ୍ୟ ଲକ୍ଷରେ ୬୧, ୭୯୨ ପୂରଣ ହୋଇଥିବା, ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍‌-୨୦୧୩ ଆଧାରରେ ଜିଲ୍ଲାର ୩, ୧୯, ୫୧୮ ପରିବାର ର ୧୧, ୧୮, ୫୬୮ ଲୋକଙ୍କ ପାଇଁ ମାସିକ ୬୫, ୧୧୨.୭୦ କ୍ୱି. ଚାଉଳ ଯୋଗାଣ ଏବଂ ନଭେମ୍ବର ୨୨ ସୁଦ୍ଧା ବଣ୍ଟନ ପ୍ରକ୍ରିୟା ଶେଷ ହେବା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩, ୨୬, ୩୩୨ ପରିବାର ୧୧, ୩୬, ୩୯୦ ଲୋକଙ୍କୁ ମାସିକ କ୍ୱି ୪୪୫୭.୦୯ ଚାଉଳ ଓ ୍‌କ୍ୱି ୧୧, ୩୫୭.୩୧ ଗହମ ଯୋଗାଣ ଓ ଅକ୍ଟୋବରେ ୨୨ ସୁଦ୍ଧା ଏହା ଶେଷ ହୋଇଥିବା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଏକ କୋଟିରୁ ଅଧିକ ବ୍ୟୟରେ ୧୩ଟି ନିର୍ମାଣ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନାରେ ଧାର୍ଯ୍ୟଲକ୍ଷ୍ୟ ୧୫୦୦୦ ରୁ ୫, ୨୦୦ ପ୍ରଦାନ କରାଯାଇଥିବା, କେନ୍ଦ୍ର ସରକାରଙ୍କ ପୃଷ୍ଠପୋଷକତାରେ ଶିଶୁ ସୁରକ୍ଷା ଯୋଜନାରେ ଜିଲ୍ଲାପାଇଁ ମିଶନ୍ ବାତ୍ସଲ୍ୟରେ ୨୧, ୩୧, ୦୦୦ ରୁ ଅଦ୍ୟାବଧି ୧୪, ୭୪, ୮୧୭ ବ୍ୟୟ କରାଯାଇଥିବା, ବେଟି ପଢ଼ାଓ ବେଟି ବଚାଓ ରେ ୨୫ ଲକ୍ଷରୁ ୧, ୮, ୫୨୦ ଖର୍ଚ୍ଚ ହେବା, ପି.ଏମ୍ କେୟାର୍ସ ଫର୍ ଚିଲଡ଼୍ରେନ୍ ରେ ୨ଟି ପରିବାରରୁ ୫ଟି ପିଲାଙ୍କୁ ଚିହ୍ନଟ କରାଯାଇ ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ନିଆଯିବା ଆଦି ଦିଗରେ ତଥ୍ୟ ମୂଳକ ସମୀକ୍ଷା କରିବା ସହିତ ଜିଲ୍ଲାରେ ଏସ୍‌.ଟି.ଏସ୍‌.ସି.ଙ୍କ କଲ୍ୟାଣ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଜରିଆରେ ବିଭିନ୍ନ ସ୍କୁଲ, ହଷ୍ଟେଲ, ସେବାଶ୍ରମ ସ୍କୁଲ, ୫୦ ଶତକଡ଼ା ରୁ ଅଧିକ ଏସ୍‌.ସି. ଲୋକ ବାସ କରୁଥିବା ଗ୍ରାମର ସର୍ବବିଧ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରିଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟରେ ପଛରେ ରହିଯାଉଥିବାରୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଅଧିକ ତତ୍ପର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତିହିଡ଼ି ବ୍ଲକ୍‌ରେ ଶୌଚାଳୟ ନିର୍ମାଣ ନହୋଇ ଟଙ୍କା ଉଠାଯାଇଥିବା ଘଟଣା ନେଇ ମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ଆସିଥିବାରୁ ତାର ତଦନ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ।