Odiapua.com

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିରେ, ଜିଆରଏସ୍ ବହିଷ୍କୃତ, କନିଷ୍ଠଯନ୍ତ୍ରୀ ଓ ପିଇଓ ନିଲମ୍ବିତ

ହରିଚନ୍ଦନପୁର,ତା ୩ ସେପ୍ଟେମ୍ବର,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପିଠାଗୋଳା ପଞ୍ଚାୟତର ପିଠାଗୋଳା ଓ ଖରବା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଉଥିଲା । ଏନେଇ ବାରମ୍ବାର ଅନେକ ଗଣମାଧ୍ୟମରେ ପ୍ରକାଶ ସତ୍ବେ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଶୂନ ରହୁଥିବାକୁ ନେଇ ରାଜ୍ୟ ବିଜେପି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏକ ରାଜ୍ୟ ଟିମ୍ ଏଠାକୁ ଆସି ସରଜମିନ ତଦନ୍ତ କରିଥିଲେ । ପରେ ତାହାକୁ ନେଇ ଏହି ଅନିୟମିତତାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜିଲ୍ଲାପାଳ ଆଶିଷ ଠାରେ ପଞ୍ଚାୟତର କନିଷ୍ଠଯନ୍ତ୍ରୀ ମୃନମୟ ରାଉତରାୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ ନାଏକଙ୍କୁ ନିଲମ୍ବନ କରିବା ସହ ଗ୍ରାମ ରୋଜଗାର ସେବକ(ଜିଆରଏସ୍) ବୈଦ୍ୟନାଥ ମହାନ୍ତ(ପିଣ୍ଟୁ)ଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସହ ସହକାରୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବିଡିଓ ଦାୟିତ୍ବରେ ଥିବା ଏବିଡିଓ ବିପ୍ରଚରଣ ପ୍ରଧାନ ସୂଚନା ଦେଇଛନ୍ତି । ଏଥିସହ ପିଠାଗୋଳା ଓ ଖରବା ଗ୍ରାମରେ କେତେକ ହିତାଧିକାରୀଙ୍କ ଆବାସ ଘରର ପ୍ଲିନ୍ଥ ପର୍ଯ୍ୟନ୍ତ କରାଯାଇ ୧ ଲକ୍ଷ ଟଙ୍କା ଲେଖାଏଁ ଉଠାଇ ନିଆଯାଇଛି । ବିଜେପି ରାଜ୍ୟ ଟିମର ସରଜମିନ ତଦନ୍ତ ପରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝୀ ଖରବା ଗ୍ରାମକୁ ଆସି ତଦନ୍ତ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।