Odiapua.com

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ଶ୍ରୀ ଅମିତ ଶାହ

– ରାଜପଥ କଡ଼ରେ ସହାୟତା ଶିବିର ପ୍ରତିଷ୍ଠା ଲାଗି ରାଜ୍ୟ ସରକାରଙ୍କୁ ପରାମର୍ଶ
– ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦିଆଯିବ
– କୋଭିଡ-୧୯ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର ଉପଯୋଗ ପାଇଁ ରାଜ୍ୟଗୁଡ଼ିକୁ କ୍ଷମତା ଦେଲା ଗୃହ ମନ୍ତ୍ରଣାଳୟ

ନୂଆ ଦିଲ୍ଲୀ ୩୦-୩ (ଓଡ଼ିଆ ପୁଅ) କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ।

ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଛନ୍ତି ଏବଂ ଏଭଳି ପ୍ରୟାସ ଜାରି ରଖିଛନ୍ତି। ତେଣୁ ସେମାନଙ୍କ ପାଇଁ ତୁରନ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଶିବିର ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଗୃହ ସଚିବ ରାଜ୍ୟଗୁଡ଼ିକୁ ଅନୁରୋଧ କରି ପତ୍ର ଲେଖିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଯଥାସମ୍ଭବ ସହାୟତା କରିବା ଲାଗି ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧବୋଲି ସେ କହିଥିଲେ।

ସହାୟତା ଶିବିର ପ୍ରତିଷ୍ଠା କରିବା ସହିତ ଏଠାରେ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରିଲିଫ ପ୍ୟାକେଜ ଘୋଷଣା କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ପ୍ରଶାସନ ଦ୍ୱାରା ମଧ୍ୟ ପଦକ୍ଷେପ ନିଆଯାଉଛି।

ଏସବୁ ସମ୍ପର୍କରେ ଏନଜିଓ ଏବଂ ଅନ୍ୟାନ୍ୟ ସଂସ୍ଥା ଜରିଆରେ ପ୍ରଯୁକ୍ତିର ଉପଯୋଗ କରି ବ୍ୟାପକ ସଚେତନତା ଏବଂ ପ୍ରଚାର କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ରାଜପଥ ଦେଇ ପ୍ରବାସୀ ଶ୍ରମିକମାନେ ଗୃହରାଜ୍ୟ ଅଭିମୁଖେ ଯାତ୍ରା କରୁଥିବାରୁ ସେଠାରେ ସହାୟତା ଶିବିର ପ୍ରତିଷ୍ଠା କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି। ସେମାନଙ୍କ ରହିବା ପାଇଁ ଟେଂଟ ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି। ଯାହାଫଳରେ ସେମାନେ ଲକଡାଉନ ଜାରି ହେବା ସମୟରେ ସେଠାରେ ରହିପାରିବେ। ସାମାଜିକ ଦୂରତା, ଯଥେଷ୍ଟ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱତନ୍ତ୍ର ସଙ୍ଗରୋଧ ଏବଂ ଡାକ୍ତରଖାନାରେ ଭର୍ତି ହେବା ସୁବିଧା ସହିତ ଏସବୁ ଆଶ୍ରୟସ୍ଥଳୀ ନିର୍ମାଣ କରିବା ଲାଗି କୁହାଯାଇଛି।

ଏପରି ସହାୟତା ବ୍ୟବସ୍ଥା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅର୍ଥ ବିନିଯୋଗ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କ୍ଷମତା ଦିଆଯାଇଛି। ଏହି ସମସ୍ୟାର ମୁକାବିଲା ନିମନ୍ତେ ଏସବୁ ପଦକ୍ଷେପ ସହାୟକ ହୋଇପାରିବ।