Odiapua.com

ପ୍ରଦେଶ ସେବା ସଂଗଠନର ଦୃଢ ଦାବି ପରେ : କାନପୁର ଘୋଷଣା ଦୁର୍ଘଟଣା ପ୍ରବଣ ଅଂଚଳ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ହେବ ପ୍ରଦେଶ ସେବା ସଂଗଠନ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର କାନପୁର ଘୋଷରାକୁ ଦୁର୍ଘଟଣା ପ୍ରବଣ ଅଂଚଳ ଭାବେ ଘୋଷଣା କରିବାକୁ ଯେଉଁ ଦାବି ହୋଇଆସୁଥିଲା, ତାହା ଆଜି ସଫଳ ହୋଇଛି। ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ପ୍ରଦେଶ ସେବା ସଂଗଠନର ଉଦ୍ୟମ ସଫଳ ହୋଇଛି। ବହୁ ପ୍ରତିକ୍ଷୀତ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର କାନପୁର ଘୋଷରାକୁ ଦୁର୍ଘଟଣା ପ୍ରବଣ ଅଂଚଳ ରୂପେ ଘୋଷଣା କରାଯାଇଛି। ଭଦ୍ରକ ଜିଲା ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଦାସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକମାନଙ୍କୁ ଟ୍ରାଫିକ୍ ନିୟମ ସମ୍ବନ୍ଧରେ ସଚେତନ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଟ୍ରାଫିକ୍ ଇନ୍ସିପେକ୍ଟର ଧନେଶ୍ୱର ନାୟକଙ୍କ ସମେତ ପୀରହାଟ ଫାଣ୍ଡି ଅଧିକାରୀ ଗୟାଧର ବେହେରା, ସିଆରସିସି ମନ୍ମଥ ଦାସ, ତପନ ଦାସ, ତପନ ନାୟକ, କମଳାକାନ୍ତ କର, ମାୟାଧର ସାହୁ, ଧରଣୀଧର ବାରିକ, ସସ୍ମିତା ପଣ୍ଡା, ସନାତନ ପାଢୀ, ସାମସଦ ଅଲ୍ଲୀ ଖାଁ, ସରୋଜ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ପ୍ରଦେଶ ସେବା ସଂଗଠନ ଦ୍ୱାରା ପ୍ରସ୍ତୁତ ଲିଫ୍‌ଲେଟ୍ ବଣ୍ଟନ କରିବା ସହିତ ମୋଟର ଯାନ ନିୟମ ପାଳନ ପାଇଁ ଆରୋହୀମାନଙ୍କୁ ସଚେତନତା କରାଇଥିଲେ। କାନପୁର ୟୁପି ସ୍କୁଲ ବାରବାଟିଆ ୟୁଜିଏମ୍‌ଇ ସ୍କୁଲ, ବାମନବିନ୍ଧା ପିୟୁପିଏସ୍ ସ୍କୁଲ ଏବଂ ହରସିଂହପୁର ପିଏସ୍ ସ୍କୁଲର ଶତାଧିକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୀରହାଟ କାଳୀ ପଡିଆ ଠାରୁ କାନପୁର ଘୋଷରା ପର୍ଯ୍ୟନ୍ତ ଏକ ବିଶାଳ ସଚେତନତା ରାଲି ମଧ୍ୟ କରାଯାଇଥିଲା। ଉଦ୍‌ଘାଟକ ଜିଲା ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଦାସ ଅଧିକାରୀଙ୍କ ଦ୍ୱାରା ଦୁର୍ଘଟଣା ପ୍ରବଣ ଅଂଚଳ ସୂଚନା ଫଳକ ଉଦ୍‌ଘାଟନ କରାଯାଇଥିଲା। ଚିହ୍ନଟ ଏହି ଦୁର୍ଘଟଣା ପ୍ରବଣ ଅଂଚଳରେ ଅତିବେଶିରେ ଗାଡିର ବେଗ ଘଣ୍ଟାପ୍ରତି ୨୦କିମି ଗତିରେ ଯିବାପାଇଁ ପରିବହନ ଅଧିକାରୀ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଭଦ୍ରକ-ଚାନ୍ଦବାଲି ୯ନଂ ରାଜ୍ୟ ରାଜପଥରେ ଏହି କାନପୁର ଘୋଷରାଟି ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ବର୍ଷକ ମଧ୍ୟରେ ୬୦ ରୁ ଉର୍ଦ୍ଧ୍ୱ ସଡକ ଦୁର୍ଘଟଣାରେ ଶୀକାର ହୋଇଥିବାବେଳେ ପ୍ରାୟ ୮ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ୨ ଜଣ କଟକ, ଭୁବନେଶ୍ୱର ବିଭିନ୍ନ ମେଡିକାଲରେ ମୂମୁର୍ଷ ଅବସ୍ଥାରେ ଅଛନ୍ତି। ପ୍ରବେଶ ସେବା ସଂଗଠନ ପକ୍ଷରୁ ଏ ବିଷୟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ପରିବହନ ସଚିବ, ଜିଲାପାଳ, ଚାନ୍ଦବାଲି ବିଧାୟକ, ଭଦ୍ରକ ଆରକ୍ଷୀ ଅଧୀକ୍ଷକ, ଜିଲା ପରିବହନ ଅଧିକାରୀଙ୍କୁ ବାରମ୍ବାର ଟ୍ୱିଟ୍ ମାଧ୍ୟମରେ ଅବଗତ କରାଯାଇଛି। ପରିବହନ ଅଧିକାରୀଙ୍କ ପକ୍ଷରୁ ଏକ ତଦନ୍ତକାରୀ ଦଳ ମଧ୍ୟ ଏହି ସ୍ଥାନ ପରିଭ୍ରମଣ କରି ଦୁର୍ଘଟଣା ପ୍ରବଣ ଅଂଚଳ ବୋଲି ସ୍ୱୀକାର କରିଛନ୍ତି। ସଂଗଠନ ତରଫରୁ ଆଲୋକୀକରଣ, ସ୍ପିଡ୍ ବ୍ରେକ୍‌ର, ଦୁର୍ଘଟଣା ପ୍ରବଣ ଅଂଚଳ ସୂଚନା ଫଳକ, ସିସିଟିଭି କ୍ୟାମେରା ଲଗାଇବା ପାଇଁ ବାରମ୍ବାର ଦାବି କରାଯାଇଥିଲା।