Odiapua.com

ପ୍ରଥମଥର ପାଇଁ ଭଦ୍ରକ ଜିଲାରେ ରବିଧାନ ସଂଗ୍ରହ କାର୍ଯ୍ୟ ହେବ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାରୁ ପ୍ରଥମଥର ପାଇଁ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ଫଳରେ ଚାଷୀମନରେ ସନ୍ତୋଷ ପ୍ରକାଶ ପାଇଛି। ଏହାପୂର୍ବରୁ ଜିଲାରେ ଅମଳ ହେଉଥିବା ରବିଧାନ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଆସୁଥିଲେ ମଧ୍ୟ ଫଳପ୍ରଦ ହେଉନଥିଲା। ଫଳରେ ଜିଲାରେ ରବି ଧାନ ଚାଷ ପାଇଁ ଚାଷୀ ଆଗ୍ରହ ପ୍ରକାଶ କରୁନଥିଲେ। ଚଳିତବର୍ଷ କୃଷି ବିଭାଗ ତରଫରୁ ଜିଲାର ରବିଧାନ ଚାଷ ସଂପର୍କରେ ସରକାରଙ୍କୁ ରିପୋର୍ଟ ଦେବା ପରେ ଏବେକାର ସରକାର ରବିଧାନ ସଂଗ୍ରହ ପାଇଁ ପ୍ରଶାସନକୁ ଗତ ତା ୧୬.୦୪.୨୫ ରିଖରେ ଅନୁମତି ଦେଇଥିଲେ। ଅନୁମତି ମିଳିବା ପରେ ପ୍ରଶାସନ ପକ୍ଷରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଚାଷୀ ପଂଜିକରଣ ପ୍ରକ୍ରିୟା ଗତ ୧୬ ତାରିଖରୁ ଆରମ୍ଭ ହୋଇ ଆଜି ରାତି ୧୨ଟା ସୁଦ୍ଧା ଶେଷ ହେବା ପାଇଁ ନିର୍ଦ୍ଦେଶ ରହିଛି। ତେଣୁ ଜିଲାପାଳ ପଂଜିକରଣ କରାଇନେବାକୁ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି। ଆଜି ସନ୍ଧ୍ୟାରେ ଧାନସଂଗ୍ରହ ନେଇ ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକରେ ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଏଆରସିଏସ୍ ପ୍ରାଚିତା ଜେନା, ଜିଲା ମୁଖ୍ୟ କୃଷି ଅଧିକାରୀ ଦିଜବର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ଆଜି ସନ୍ଧ୍ୟା ସୁଦ୍ଧା ୧୨୨୫ ଚାଷୀ ଧାନ ବିକ୍ରି ପାଇଁ ପଂଜିକରଣ କରିଥିବାର ସୂଚନା ଦିଆଯାଇଥିଲା। ରାତି ୧୨ ଟା ସୁଦ୍ଧା ଏହା ବୃଦ୍ଧି ପାଇ ୩ ହଜାରରେ ପହଂଚିବ ବୋଲି ମତ ପ୍ରକାଶ ପାଇଥିଲା। କୃଷି ବିଭାଗର ସୂଚନା ଅନୁଯାୟୀ ଚଳିତବର୍ଷ ଭଦ୍ରକ, ଚାନ୍ଦବାଲି ବ୍ଲକ୍‌କୁ ବାଦ ଦେଲେ ଅନ୍ୟ ୫ଟି ବ୍ଲକ୍‌ରେ ମୋଟ ୨୮୭୧.୪ ହେକ୍ଟର ଜମିରେ ରବି ଧାନଚାଷ କରାଯାଇଛି। ଭଦ୍ରକ-ଚାନ୍ଦବାଲି ବ୍ଲକ୍‌ରେ ଜଳସେଚନର ସୁବିଧା ନଥିବାରୁ ଚାଷ ହୋଇପାରୁନାହିଁ। ବାସୁଦେବପୁର ବ୍ଲକ୍‌ରେ ୨୬୬.୪ ହେକ୍ଟର ଜମିରେ ଧାନଚାଷ କରାଯାଇଥିବାବେଳେ ତିହିଡି ବ୍ଲକ୍‌ରେ ୧୧୦୦, ଧାମନଗର ବ୍ଲକ୍‌ରେ ୫୩୩, ଭଣ୍ଡାରିପୋଖରୀ ବ୍ଲକ୍‌ରେ ୫୬୭ ଓ ବନ୍ତ ବ୍ଲକ୍‌ରେ ୪୦୫ ହେକ୍ଟର ଜମିରେ ଧାନଚାଷ କରାଯାଇଛି। ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଭଳି ସରକାରଙ୍କ ନୀତି ନିୟମ ଅନୁଯାୟୀ ରବି ଧାନ ସଂଗ୍ରହ କରାଯିବ। ଜିଲାରେ ଆନୁମାନିକ ୫୦ ହଜାର କ୍ୱିଂଟାଲ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି।