Odiapua.com

ପ୍ରତି ଜିଲ୍ଲା ଓ ବ୍ଲକସ୍ତରରେ ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ

ଭୁବନେଶ୍ୱର ୨.୩ (ଓଡ଼ିଆ ପୁଅ) – ଓଡିଶା ପଂଚାୟତିରାଜ ସଂଗଠନ ପକ୍ଷରୁ ନାଗରିକତା ସଂଶୋଧନ ଆଇନ୍ ଜାତୀୟ ନାଗରିକ ପଞ୍ଜିକା ଓ ଜାତୀୟ ଜନ ପଞ୍ଜିକାକୁ ବିରୋଧ କରି ପଂଚାୟତ ଓ ବ୍ଲକ ସ୍ତରରେ ସତ୍ୟାଗ୍ରହ କରିବା ପାଇଁ ଡାକରା ଦିଆଯାଇଛି। ଓଡିଶାରେ ଏହାର ଆରମ୍ଭ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ନାଗରିକ ସତ୍ୟାଗ୍ରହ ସମ୍ମିଳନୀମାନ ଅନୁଷ୍ଠିତ ହେଉଛି। ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଢେଙ୍କାନାଳ ଇତ୍ୟାଦି ଜିଲ୍ଲାରେ ଏହା ସମାପ୍ତ ହୋଇଯାଇଛି। ଆସନ୍ତା ଏପ୍ରିଲ୍ ମାସ ୧୫ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ଏବଂ ମଇ ମାସ ସୁଦ୍ଧା ରାଜ୍ୟର ସମସ୍ତ ବ୍ଲକରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ସି.ଏ.ଏ., ଏନ୍‌.ଆର.ସି. ଓ ଏନ୍‌.ପି.ଆର. କୁ ସତ୍ୟାଗ୍ରହ ମାଧ୍ୟମରେ ବିରୋଧ କରିବା ପାଇଁ ଏହି ସମ୍ମିଳନୀମାନ ଅନୁଷ୍ଠିତ ହେବା ସହିତ ଓଡିଶାର ପ୍ରତ୍ୟେକଟି ବ୍ଲକ ଅଫିସ ସମ୍ମୁଖରେ ମଧ୍ୟ ପ୍ରତିବାଦ ସତ୍ୟାଗ୍ରହ ଅନୁଷ୍ଠିତ ହେବ। ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯାଇଛି।

ଏହି ବିଜ୍ଞପ୍ତିରେ କୁହାଯାଇଛିଯେ,  ଆସନ୍ତା ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ପଂଚାୟତିରାଜ ଦିବସ ପାଳନ କରୁଛନ୍ତି। ଏହା ଏକ ପ୍ରବଂଚନା ବ୍ୟତୀତ ଅନ୍ୟ କିଛି ନୁହଁ। ବିଜେଡି ସରକାର ପଂଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱକୁ ଅବମାନନା କରି ଆସୁଛନ୍ତି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀ ଦେଶର ବିକାଶ କ୍ଷେତ୍ରରେ ପଂଚାୟତିରାଜ ବ୍ୟବସ୍ଥାକୁ ଗୁରୁତ୍ୱ ଏବଂ ପ୍ରାଥମିକତା ଦେଇ ସମ୍ବିଧାନ ସଂଶୋଧନ ପାଇଁ ପ୍ରୟାସ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ୍ ଭାବରେ ପରିଗଣିତ। ଏହି ଆଇନ୍ ଦ୍ୱାରା ପଂଚାୟତ ବ୍ୟବସ୍ଥାକୁ ସଶକ୍ତ, ସୁଦୃଢ଼ ଏବଂ ସ୍ୱତନ୍ତ୍ର କରିବାର ପରିକଳ୍ପନା କରାଯାଇଥିଲା। ମାତ୍ର ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ଉପରୋକ୍ତ ସମ୍ବିଧାନ ସଂଶୋଧନ ଆଇନ୍‌କୁ ଓଡିଶା ସରକାର କେବଳ ଅବମାନନା କରୁନାହାନ୍ତି, ପଂଚାୟତିରାଜ ବ୍ୟବସ୍ଥାକୁ ଅଫିସରରାଜର କବଳରେ କବଳିତ କରି ଏହାର ସ୍ୱାତନ୍ତ୍ର‌୍ୟକୁ ଭୂଲୁଣ୍ଠିତ କରୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ଗତ ଫେବୃଆରୀ ୧୭ ତାରିଖରେ ରାଜ୍ୟ ସରକାରଙ୍କର ପଂଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଡି.କେ. ସିଂହ ଜିଲ୍ଲାପାଳମାନଙ୍କୁ ପଠାଇଥିବା ଏକ ଚିଠି ଯେଉଁଥିରେ କୁହାଯାଇଛି ଯେ ବିଡିଓଙ୍କ ଦସ୍ତଖତ ବିନା ପଂଚାୟତର କୌଣସି ପ୍ରକଳ୍ପ ଅନୁମୋଦିତ ହୋଇପାରିବ ନାହିଁ କିମ୍ବା ଅର୍ଥ ରାଶି କାହାକୁ ସେ ବାବଦକୁ ଦିଆଯାଇ ପାରିବ ନାହିଁ। ଏହି ଚିଠି ପଂଚାୟତିରାଜ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାରଙ୍କର ନକରାତ୍ମକ ଆଭିମୁଖ୍ୟ ପ୍ରମାଣ ଦିଏ। ଏହି ଚିଠିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ଦାବି କରୁଛି।

ଗ୍ରାମ ସଭା ଏବଂ ପଲ୍ଲୀସଭା ହେଉଛି ପଂଚାୟତ ବ୍ୟବସ୍ଥାର ମୂଳପିଣ୍ଡ। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସବୁଠୁ ତୃଣମୂଳ ସ୍ତରରେ ବିକାଶକୁ ନେଇ ଯୋଜନା ଏବଂ ତା’ର କାର୍ଯ୍ୟକାରିତା ଏହି ଦୁଇଟି ଅନୁଷ୍ଠାନ ଉପରେ ନିର୍ଭର କରେ। ମାତ୍ର ରାଜ୍ୟର ବିଜେଡି ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଦୀର୍ଘଦିନ ଧରି ପଲ୍ଲୀ ସଭା ହେଉନାହିଁ, ଗ୍ରାମସଭା କେବଳ ଜାନୁଆରୀ ୨୬ ଏବଂ ଅକ୍ଟୋବର ୨ ତାରିଖରେ ବ୍ରତ ଭାବରେ ପାଳନ କରାଯାଉଛି। ନିୟମିତ ଭାବରେ ଗ୍ରାମସଭା ଓ ପଲ୍ଲୀସଭାର ଆୟୋଜନ କରିବା ଏବଂ ଗ୍ରାମସଭା ଓ ପଲ୍ଲୀସଭାର ବିନା ଅନୁମୋଦନରେ କୌଣସି କାର୍ଯ୍ୟ ନକରିବାକୁ ଆମେ ଦାବି କରୁଛୁ। ଏତଦ୍‌ବ୍ୟତୀତ ସରପଂଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ଭତା ବୃଦ୍ଧି କରାଯିବା ସହିତ ସେମାନଙ୍କୁ ଯଥାଯଥ ମର୍ଯ୍ୟାଦା ଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଆବଂଟନରେ ସଂପୃକ୍ତ ୱାର୍ଡ ସଭ୍ୟ / ସଭ୍ୟାଙ୍କର ଅନୁମୋଦନକୁ ବାଧ୍ୟତାମୂଳକ କରିବାକୁ ଦାବି କରୁଛୁ।

ଆସନ୍ତା ୫ ତାରିଖକୁ ପଂଚାୟତିରାଜ ସୁରକ୍ଷା ଦିବସ ଭାବରେ ପାଳନ କରାଯିବ ଏବଂ ଉପରୋକ୍ତ ଦାବିଗୁଡିକୁ ନେଇ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ରାଜଭବନ ଠାରେ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜୀବ ଗାନ୍ଧୀ ପଂଚାୟତରାଜ ସଂଗଠନର ସାଧାରଣ ସଂପାଦକ ରାଜକୁମାର କିରାଡୁ, ଆବାହକ ସୁଦର୍ଶନ ଦାସ, ପ୍ରଶିକ୍ଷଣ ସଂଯୋଜକ ଶୁଭେନ୍ଦୁ ମହାନ୍ତି, ଓଡିଶା ପଂଚାୟତିରାଜ ସଂଗଠନର ସଭାପତି ପ୍ରଦ୍ୟୁମ୍ନ ଜେନା, ଜ୍ଞାନଦେବ ବେଉରା, ମାନସ ମଲ୍ଲିକ, ସମିତି ସଭ୍ୟ ସଂଘର କାର୍ଯ୍ୟକାରୀ ସଭାପତି ଗୋପବନ୍ଧୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।