Odiapua.com

ପ୍ରତିରକ୍ଷା ମନ୍ତ୍ରୀଙ୍କ ସିଆଚୀନ ଗସ୍ତ

ନୂଆ ଦିଲ୍ଲୀ ୩-୬ (ଓଡ଼ିଆ ପୁଅ) ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ବିଶ୍ୱର ସର୍ବୋଚ୍ଚ ଯୁଦ୍ଧଭୂମି ସିଆଚୀନକୁ ପ୍ରଥମ ଗସ୍ତ କରିଛନ୍ତି। ଏହି ଗସ୍ତ ସିଆଚୀନ ଗ୍ଲାସିଅରର ଗୌରବଜ୍ଜ୍ୱଳ ଇତିହାସରେ ଲିପିବଦ୍ଧ ହୋଇ ରହିବ। ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ଥୋଇସ ଏଆର ଫିଲ୍ଡରେ ପହଁଚିବା ପରେ ତାଙ୍କୁ ଉତର କମାଣ୍ଡ ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ରଣବୀର ସିଂ ସ୍ୱାଗତ କରିଥିଲେ। ପ୍ରଥମେ ସ୍ୱାଗତ ସମ୍ବର୍ଦ୍ଧନା ଓ ସଂକ୍ଷିପ୍ତ ଆଲୋଚନା ସମ୍ପନ୍ନ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ସିଆଚୀନ ଗ୍ଲାସିଅରକୁ ଆକାଶମାର୍ଗରୁ ନିରୀକ୍ଷଣ କରି ଏହି ଦୁର୍ଜୟ ଯୁଦ୍ଧକ୍ଷେତ୍ରର ବିସ୍ତାରକୁ ଅନୁଧ୍ୟାନ କରିଥିଲେ। ଏହାପରେ ସେ ସିଆଚୀନ ଗ୍ଲାସିଅରର ଫରୱାର୍ଡ ପୋଷ୍ଟରେ ଅବତରଣ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ସେନା ଯବାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ସିଆଚୀନ ବେସ କ୍ୟାମ୍ପଠାରେ ନିଜର ଉଦବୋଧନରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ “ସିଆଚୀନରେ କର୍ତବ୍ୟରତ ପ୍ରତ୍ୟେକ ସେନା ଯବାନଙ୍କୁ ନେଇ ମୁଁ ଗର୍ବିତ ଯେଉଁମାନେ ଆମର ମାତୃଭୂମିର ସୁରକ୍ଷା ପାଇଁ ନିଜକୁ ସମର୍ପି ଦେଇଛନ୍ତି। ମୁଁ ମଧ୍ୟ ସେହି ମାତାପିତାଙ୍କୁ ନେଇ ଗର୍ବିତ ଯେଉଁମାନେ ନିଜ ପିଲାମାନଙ୍କୁ ରାଷ୍ଟ୍ର ସେବା ଲାଗି ସେନାବାହିନୀରେ ଯୋଗ ଦେବା ଲାଗି ପଠାଉଛନ୍ତି। ମୁଁ ବ୍ୟକ୍ତିଗତ ଭାବେ ସେମାନଙ୍କ ନିକଟକୁ ଧନ୍ୟବାଦ ବାର୍ତ୍ତା ପଠାଇବି।”

ଦୃଢ଼ ସଂକଳ୍ପ ଏବଂ ଅସୀମିତ ପ୍ରତିବଦ୍ଧତା ସହ ଅତ୍ୟନ୍ତ ପ୍ରତିକୂଳ ପାଣିପାଗ ଏବଂ ଅତ୍ୟୁଚ୍ଚ ପର୍ବତ ଶିଖରରେ ରହି ରାଷ୍ଟ୍ରର ସୀମାକୁ ସୁରକ୍ଷିତ ରଖୁଥିବା ତଥା ନିଜ ଦେଶବାସୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଥିବା ‘ସିଆଚୀନ ଯୋଦ୍ଧା’ମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ବିଶ୍ୱର ସବୁଠୁ ଅସ୍ୱାସ୍ଥ୍ୟକର ପରିବେଶରେ କାର୍ଯ୍ୟ କରିବା ଲାଗି ସବୁକିଛି ତ୍ୟାଗ କରି ରାଷ୍ଟ୍ରସେବାକୁ ସର୍ବୋପରି ଭାବୁଥିବା ଯବାନମାନଙ୍କ ପ୍ରତି ସେ ଦେଶବାସୀଙ୍କ ତରଫରୁ କୃତଜ୍ଞତା ବ୍ୟକ୍ତ କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ ସିଆଚୀନ ଗ୍ଲାସିଅରରେ ସୁରୁଖୁରରେ କାର୍ଯ୍ୟ କରିବା ଲାଗି ସମସ୍ତ ପରିଚାଳନାଗତ ଏବଂ ପ୍ରଶାସନିକ ଆବଶ୍ୟକତା ବିଷୟରେ ସରକାର ସମ୍ପୂର୍ଣ୍ଣ ରୂପେ ଅବଗତ ଅଛନ୍ତି। ଆମର ସାହସୀ ‘ସିଆଚୀନ ଯୋଦ୍ଧା’ମାନଙ୍କ ସମସ୍ତ ଆବଶ୍ୟକତାକୁ ପ୍ରାଥମିକତା ଭିତିରେ ପୂରଣ କରିବା ଲାଗି ସବୁ ପ୍ରକାର ସରକାରୀ ସହଯୋଗ ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ।

ସେ ‘ସିଆଚୀନ ଯୁଦ୍ଧ ସ୍ମାରକ’ ଠାରେ ରାଷ୍ଟ୍ର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସହିଦ ଯବାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।