Odiapua.com

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା ୧ ଅଗଷ୍ଟ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଞ୍ଚଳରେ ସେହି ସୁବିଧା ପାଇବେ ଛାତ୍ରଛାତ୍ରୀ। କାରଣ ଗ୍ରାମାଞ୍ଚଳରେ ପ୍ରତିଯୋଗିତା ମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ନିର୍ମାଣ ହୋଇଛି ଅତ୍ୟାଧୁନିୁକ ଥ୍ରୀ-ଡି ପାଠାଗାର। ଏପରି ପାଠାଗାର ନିର୍ମାଣ ହୋଇଛି କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କେଶପୁର ପଞ୍ଚାୟତର ଅରୁଆକଦଳିବଣ ଉଚ୍ଚ ବିଦ୍ୟାଳୟ ପରିସରରେ। ଏହି ପାଠାଗାରରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ପାଠାଗାରକୁ ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ମଧ୍ୟ କରାଯାଇଛି। ଅତ୍ୟାଧୁନିକ ବେଞ୍ଚ ଓ ଟେବୁଲ ପଡିଛି। ସେହିପରି ସବୁ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟରର ବ୍ୟବସ୍ଥା କରାଯାଇଛି। ଏଥିସହ ଇଣ୍ଟରନେଟ୍ ସେବା ପାଇଁ ୱାଇ ଫାଇର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଦ୍ୟୁତ ସରବରାହ ବନ୍ଦ ହୋଇଗଲେ ଭୟ କରିବାର କୈାଣସି କାରଣ ନାହିଁ। କାହିଁକି ନା ଇନ୍‌ଭର୍ଟରର ବ୍ୟବସ୍ଥା କରାଯାଇଛି। ତେଣୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ହେବାକୁ ଛାତ୍ରଛାତ୍ରୀମାନେ କୌଣସି ସମସ୍ୟାରେ ସମ୍ମୁଖିନ ହେବେ ନାହିଁ ବୋଲି ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି। ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଛନ୍ତି ଯେ ୫-ଟିରେ ଯେଉଁ ୫ଟି ଲକ୍ଷ ରହିଥିଲା ସେଥି ମଧ୍ୟରୁ ଗୋଟିଏ ଲକ୍ଷ ଥିଲା ଟ୍ରାନ୍‌ସଫର୍ମେଶନ। ଏହାକୁ ଏଠାରେ ଅନୁସରଣ କରାଯାଇଛି। ପୂର୍ବରୁ ଘର ଥିଲା, ଏହାକୁ କେବଳ ଅତ୍ୟାଧୁନିକ ବ୍ୟବସ୍ଥାରେ ପରିପୂର୍ଣ୍ଣ କରାଯାଇଛି। ଏଥିରେ ବୁକ ସେଲ୍ଫ, ଆଇଟିସି ଲ୍ୟାବ ଓ ଏକ ଲମ୍ବା ଅଧ୍ୟୟନ ଗୃହ ମଧ୍ୟ ରହିଛି। ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନେ ଏହି ପାଠାଗାରର ଲାଭ ଉଠାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ଜଲ୍ଲାପାଳ କହିଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ବିଡିଓ ଅଶ୍ୱିନି କୁମାର ଦାସ କହିଛନ୍ତି ଯେ ଏହା ଏକ ଜାତୀୟ ସ୍ତରୀୟ ପାଠାଗାର ଠାରୁ ଅଧିକ ଆଧୁନିକ ଢାଞ୍ଚାରେ ନିର୍ମାଣ ହୋଇଛି। ବିଡିଓ ଶ୍ରୀ ଦାସ କହିଛନ୍ତି ଏହି ପାଠାଗାର ପାଇଁ ଗୃହ ଥିଲା। ଏଥିରେ କମ୍ପ୍ୟୁଟର, ଶୀତତାପ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ପଞ୍ଚାୟତ ପାଣ୍ଠିରୁ ହିଁ ଏହି ଅର୍ଥ ବ୍ୟୟ ହୋଇଛି। ପଞ୍ଚାୟତ ପାଣ୍ଠିରେ ପୂର୍ବରୁ ଅର୍ଥ ଖର୍ଚ୍ଚ ନ ହୋଇ ପଡି ରହୁଥିଲା। ତେଣୁ ଜିଲ୍ଲାପାଳଙ୍କ ପରାମର୍ଶ ଅନୁଯାଇ ଛାତ୍ରଛାତ୍ର୍ରୀଙ୍କ ପାଇଁ କିଛି ନୂଆ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଥିଲା। ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ପରାମର୍ଶ ଏଥିରେ ପ୍ରତିଫଳିତ ହୋଇଛି ବୋଲି ବିଡିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ କେଶପୁର ସରପଞ୍ଚ ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡ଼ାଇ କହିଛନ୍ତି ଯେ କେନ୍ଦ୍ରାପଡ଼ା ବ୍ଲକର ଏହା ହେଉଛି ଏକ ବିରାଟ ସଫଳତା। ଏହାଦ୍ୱାରା ପଞ୍ଚାୟତର ଛାତ୍ରଛାତ୍ରୀମାନେ ବେଶ ଉପକୃତ ହୋଇ ପାରିବେ। ଏଥିସହ ଆଖାପାଖ ପଞ୍ଚାୟତ ଗୁଡିକର ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହୋଇପାରିବେ। ବର୍ତ୍ତମାନ କମ୍ପ୍ୟୁଟରର ଯୁଗ ହୋଇଥିବାରୁ ପିଲାମାନେ ଏଠାରେ ଇଣ୍ଟରନେଟ୍‌ରୁ ବହୁତ କିଛି ତଥ୍ୟ ସଂଗ୍ରହ କରି ଲାଭବାନ ହୋଇପାରିବେ।