Odiapua.com

ପ୍ରତାପଙ୍କ ଭଳି ସଂଗ୍ରାମୀ ଆଉ ଜନ୍ମ ନେବା ଅସମ୍ଭବ, ପ୍ରତାପ ପଣ୍ଡାଙ୍କ ୧୨ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବ ଭାରତୀୟ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା, ଅଖିଳ ଭାରତୀୟ ଖଣିଜ ଧାତୁ ମଜଦୂର ମହାସଂଘର ରାଷ୍ଟ୍ରିୟ ସହସମ୍ପାଦକ ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ୧୨ତମ ଶ୍ରାଦ୍ଧ ସମାରୋହ ଭଦ୍ରକ ସହର ସ୍ଥିତ ଶହୀଦ୍ ସ୍ମୃତି ଭବନ (ଟାଉନ ହଲ) ଠାରେ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ହୋଇ ଯାଇଛି । ସକାଳେ ବିଷ୍ଣୁପୁର ଛକ ସ୍ଥିତ ସ୍ୱର୍ଗତ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବହୁ ବୁଦ୍ଧିଜୀବୀ, ଭାରତୀୟ ମଜଦୂର ସଂଘର କର୍ମକର୍ତ୍ତା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ବାଢିଥିଲେ । ପରେ ପ୍ରତାପ ପଣ୍ଡା ସ୍ମୃତି ସଂସଦ ଆନୁକୂଲ୍ୟରେ ଟାଉନହଲରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ମୃତି ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କ ପୌରୋହିତ୍ୟ ଏବଂ ପ୍ରଧାନ ଶିକ୍ଷକ ବିଜୟ ମିଶ୍ରଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବରିଷ୍ଠ ଡାକ୍ତର ପ୍ର. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ବରେଣ୍ୟ ଅତିଥି ଭାବେ ଧମାନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ପଣ୍ଡା ଛାତ୍ର ଜୀବନରୁ ସମାଜର ତଳ ଶ୍ରେଣୀ ଲୋକମାନଙ୍କ ହକ୍ ପାଇଁ ଲଢ଼େଇ ଆରମ୍ଭ କରିଥିଲେ । ଭାରତୀୟ ମଜଦୂର ସଂଘ ସହିତ ସାମିଲ ହୋଇ ସର୍ବଭାରତୀୟ କାର୍ଯ୍ୟକର୍ତ୍ତା ଭାବେ ନିଜର ପ୍ରତିଭାର ପରିଚୟ ଦେଇଥିଲେ ।

ଅଦମ୍ୟ ସାହସ, ନିର୍ଭୀକତା, ପ୍ରବଳ ଇଚ୍ଛାଶକ୍ତି ତାଙ୍କୁ କେବେ ହାର ମାନିବାକୁ ଦେଇ ନଥିଲା । ସେଭଳି ଜଣେ ସଂଗ୍ରାମୀଙ୍କର ଯେ ପୁନର୍ଜନ୍ମ ହେବ ତାହା କଳ୍ପନା କରି ହେଉ ନାହିଁ । ପ୍ରତାପ ଜଣେ ପ୍ରଚଣ୍ଡ ପ୍ରତାପୀ ଶ୍ରମିକ ନେତା ଭାବେ ବିଭିନ୍ନ ବର୍ଗରେ କାର୍ଯ୍ୟରତ ଶ୍ରମିକ, ଖଟିଖିଆମାନଙ୍କ ପାଇଁ ଲଢେଇ କରୁଥିଲେ । ସଂଘୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଏକ ସଡ଼କ ଦୁର୍ଘଟଣାରେ ୨୦୧୧ ମସିହା ଅଗଷ୍ଟ ୨୩ ତାରିଖରେ ତାଙ୍କର ନାଗପୁର ଠାରେ ଦେହାନ୍ତ ହୋଇଥିଲା । ତାଙ୍କ ନିଧନ ସମଗ୍ର ଶ୍ରମିକ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ତାଙ୍କ ସ୍ମୃତିରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା କରାଯାଇ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ଏଥରେ ପ୍ରଥମ ହୋଇଥିବା ଚିଙ୍ଗୁଡ଼ିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ସଦାନନ୍ଦ ପଣ୍ଡା, ଦ୍ୱିତୀୟ ଜଳମଣ୍ଡୁଆ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ଅଭିସ୍ମିତା ସାମଲ, ତୃତୀୟ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାପୀଠ ଚୁନିଦାର ଛାତ୍ରୀ ସମ୍ପଦାପ୍ରୀତି ପାଣିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ସେହପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଷ୍ଣୁପୁର ପଞ୍ଚାୟତରେ ସର୍ବୋଚ୍ଚ ନମ୍ବର ରଖିଥିବା ଚିଙ୍ଗୁଡ଼ିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ନେହଲତା ପଣ୍ଡାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ପ୍ରତିଭା ଭାବେ ସାହିତ୍ୟିକ ହରମୋହନ କୁଅଁର, କଳା ପ୍ରତିଭା ନିର୍ମଳ ରାଉତ, କୃଷି ପ୍ରତିଭା ରଣଜିତ୍ ମାଟିଆ, ଶ୍ରମିକ ନେତା ଅଶୋକ କୁମାର ସ୍ୱାଇଁ, ଶ୍ରେଷ୍ଠ ଆଶାକର୍ମୀ ଲକ୍ଷ୍ମୀପ୍ରିୟା ରାଉତଙ୍କୁ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଧର ସେଠୀ, ତପନ ପାତ୍ର, ସୁରେଶ ସାମଲ, ବିକାଶ ସାମଲ, ଶାନ୍ତନୁ ମହାପାତ୍ର, ରାମଚନ୍ଦ୍ର ରାଉତ, ସୁରେନ୍ଦ୍ର କୁମାର ନାୟକ, ପ୍ରଦୀପ କୁମାର ପଣ୍ଡା, ଅରୁଣ ଖିଲାର, ପୂର୍ଣ୍ଣଚନ୍ଦ୍ର ସେଠୀ, ଜୀବନ ସେଠୀ, ନିର୍ମଳ ସ୍ୱାଇଁ, ବିଜୟ ଖିଲାର, ଅମୂଲ୍ୟ କୁମାର ନାୟକ, ଭାରତୀୟ ମଜଦୂର ସଂଘ ଜିଲ୍ଳା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ ନାଥ ଧଳ, ବସନ୍ତ ରାଉତ ପ୍ରମୁଖ ପରିଚାଳନା କରିଥିଲେ । ସମ୍ପାଦକ ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥପାନ କରିଥିବା ବେଳେ ପ୍ରଫୁଲ୍ଲ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁକ୍ତିକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିଳ୍ପା ସେଠୀ ଓ ସାଇ ଜନ୍ମେଜୟ ପଣ୍ଡା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।