Odiapua.com

ପ୍ରଣବ ଦା’ ପାଞ୍ଚ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ଅବିସ୍ମରଣୀୟ ଛାପ ଛାଡିଥିଲେ – ଧର୍ମେନ୍ଦ୍ର ପ୍ରଧାନ

ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

– ଭାରତର ଜଣେ ସର୍ବକନିଷ୍ଠ ଅର୍ଥମନ୍ତ୍ରୀ ଠାରୁ ଭାରତର ୧୩ତମ ରାଷ୍ଟ୍ରପତି ହୋଇ ପାରିଥିଲେ
– ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ପ୍ରଣବ ଦା’
– ତାଙ୍କର ରାଜନୈତିକ ଆଭିମୁଖ୍ୟ ପାଇଁ ସେ ସର୍ବଦା ମୂଲ୍ୟବାନ ଥିଲେ
– ଭାରତୀୟ ରାଜନୀତିରେ ତାଙ୍କ ସ୍ଥାନ ପୂରଣ କରିବା କଷ୍ଟକର

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୩୧ (ଓଡ଼ିଆ ପୁଅ) – ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜଣେ ସମ୍ମାନିତ ରାଜନେତା, ଅପାର ଜ୍ଞାନର ବ୍ୟକ୍ତି ଥିଲେ। ପ୍ରଣବ ଦା’ ପାଞ୍ଚ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ ବୋଲି ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ ପ୍ରଣବ ଦା’ ଭାରତର ଜଣେ ସର୍ବକନିଷ୍ଠ ଅର୍ଥମନ୍ତ୍ରୀ ଠାରୁ ଭାରତର ୧୩ତମ ରାଷ୍ଟ୍ରପତି ହୋଇ ପାରିଥିଲେ ଏବଂ ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କର ରାଜନୈତିକ ଆଭିମୁଖ୍ୟ ପାଇଁ ସେ ସର୍ବଦା ମୂଲ୍ୟବାନ ଥିଲେ। ସଂସଦୀୟ କାର୍ଯ୍ୟ ଏବଂ ଦଳୀୟ ରେଖା ଆଧାରରେ ସହମତି ସୃଷ୍ଟି କରିବାର କ୍ଷମତା ପାଇଁ ତାଙ୍କୁ ସର୍ବଦା ସମ୍ମାନ କରାଯାଉଥିଲା।

ଶ୍ରୀ ପ୍ରଧାନ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିଚାରଣ କରି କହିଛନ୍ତି ଯେ ୨୦୧୭ ମସିହାରେ ଜାନଗିପୁର ପରିଦର୍ଶନରେ ଥିବା ବେଳେ ସେ ଏକ ସରକାରୀ କାର୍ଯ୍ୟକ୍ରମରେ ପ୍ରଣବ ଦା’ଙ୍କୁ ସାକ୍ଷାତ୍ କରିଥିଲେ। ଏହି ଅବସରରେ ପ୍ରଣବ ମୁଖାର୍ଜୀ ନିଜର ପୂର୍ବତନ ଲୋକସଭା ନିର୍ବାଚନ ମଣ୍ଡଳିରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୨-୫ କୋଟିତମ ଏଲପିଜି ସଂଯୋଗ ପ୍ରଦାନ କରିଥିଲେ। ଏହା ତାଙ୍କ ପାଇଁ ଭାବପ୍ରବଣୀୟ ମୁହୂର୍ତ ଥିଲା ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

ସେହିପରି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉତ୍ସବର ବର୍ଷବ୍ୟାପୀ ପାଳନ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜେ ରାଷ୍ଟ୍ରପତି ଭବନ ଯାଇ ପ୍ରଣବ ମୁଖାର୍ଜୀଙ୍କୁ ଏହି ଉତ୍ସବକୁ ଉଦ୍‌ଘାଟନ କରିବାକୁ ଅନୁରୋଧ କରିଥିଲେ। ଏହି ନିମନ୍ତ୍ରଣକୁ ଗ୍ରହଣ କରି ସେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ପ୍ରଭାବଶାଳୀ ବ୍ୟକ୍ତିତ୍ୱ, ଭାରତୀୟ ରାଜନୀତିର ପ୍ରମୁଖ ଚେହେରା ପ୍ରଣବ ଦା’ଙ୍କ ବିୟୋଗ ନିଜ ପାଇଁ ବ୍ୟକ୍ତିଗତ କ୍ଷତି। ଭାରତୀୟ ରାଜନୀତିରେ ତାଙ୍କ ସ୍ଥାନ ପୂରଣ କରିବା କଷ୍ଟକର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।