Odiapua.com

ପ୍ରଜ୍ଞାପୀଠରେ ପଦ୍ମଭୂଷଣ ରାଧାନାଥ ରଥଙ୍କ ୧୨୪ତମ ଜୟନ୍ତି ସମାରୋହ

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ସ୍ଥିତ ପ୍ରଜ୍ଞାପୀଠ ଠାରେ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅଟଳ ବିହାରୀ ନାୟକଙ୍କ ଆବାହକତ୍ୱରେ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୧୨୪ତମ ଜୟନ୍ତି ସମାରୋହ ପାଳିତ ହୋଇ ଯାଇଛି । ରାଧାମାଧବ ଥିଏଟର୍ସ, ଇରମ, ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ଭଦ୍ରକ ଏବଂ ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦ ଭଦ୍ରକ ଆନୁକୁଲ୍ୟରେ ଆୟୋଜିତ ଜୟନ୍ତି ସମାରୋହରେ ସଭାପତିତ୍ୱ କରିଥିଲେ ଆଇନଜୀବୀ ତଥା ପ୍ରଗତିଶୀଳ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଗିରିଧାରୀ ନାଥ । ପଦ୍ମଭୂଷଣ ଡଃ ରାଧାନାଥ ରଥ ଥିଲେ ସମାଜର ସମର୍ଥ ସ୍ଥପତି । ମାନବବାଦ୍‌ର ସେ ଥିଲେ ଜଣେ ଉତ୍ତମ ପୂଜାରୀ । ସାଧାରଣ ଜନଗଣଙ୍କ ପ୍ରତି ଡଃ ରଥଙ୍କର ଆବେଗ, ସମ୍ମାନର ପଟାନ୍ତର ନଥିଲା । ଦୈନିକ ଖବରକାଗଜ ‘ସମାଜ’ର ପ୍ରତିଷ୍ଠାତା ଗୋପବନ୍ଧୁ ଦାଶଙ୍କର ସେ ଥିଲେ ପଟ୍ଟଶିଷ୍ୟ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଏହି ବ୍ୟକ୍ତିତ୍ୱ ଜନଗଣଙ୍କ ଆଦର୍ଶ ହୋଇ ରହିବେ ବୋଲି ଜୟନ୍ତି ସମାରୋହରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଥିଲେ । ସମାରୋହର ଉଦ୍‌ଘାଟକ ତଥା ମୁଖ୍ୟଅତିଥି ଭାବେ ନାଟ୍ୟନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ମୁଖ୍ୟବକ୍ତା ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ସମ୍ମାନିତ ଅତିଥି ପ୍ରପେସର ଭାନୁମତୀ ମାଟିଆ, ସମ୍ମାନିତ ବକ୍ତା ରାଜକିଶୋର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ଲଲିତକଳା ଏକାଡେମୀ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ କବି ଅଶୋକ କୁମାର ମହାନ୍ତିଙ୍କୁ ୩ ସଂଗଠନ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମହାନ୍ତି ପୁରସ୍କାର କିମ୍ବା ସମ୍ବର୍ଦ୍ଧନା କାର୍ଯ୍ୟ କରିବାର ପ୍ରେରଣାକୁ ଦ୍ୱିଗୁଣିତ କରେ । ମାତ୍ର ପ୍ରତିଭାକୁ ରାଜ୍ୟ କିମ୍ବା ଜାତୀୟ ସ୍ତରର ପୁରସ୍କାର ମିଳିବା ପରେ ଲୋକେ ସେହି ପ୍ରତିଭାକୁ ଚିହ୍ନିବା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଅଗଣି ଚରଣ ଜେନା, ଫେକରର ପୂର୍ବତନ ଡିଜିଏମ ଗଙ୍ଗାଧର ମଲ୍ଲିକ, ପୂର୍ବତନ ଅଧ୍ୟକ୍ଷ ଡ. ଅବନୀ ପ୍ରଧାନ, ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ବାରିକ, ପୂର୍ବତନ ବିଡିଓ ବିଦ୍ୟାଧର ପଲାଇ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀକାନ୍ତ ବାରିକ, କବି ଅରୂପାନନ୍ଦ ନାୟକ, ସାମ୍ବାଦିକ ବଂଶୀଧର ଦାସ, ଅଧ୍ୟାପକ ଡ. ଅମିତ କୁମାର ନାୟକ, ଅଧ୍ୟାପିକା ସ୍ୱାଗତିକା ସାହୁ, ଆଲୋକ କୁମାର ନାୟକ, ତନୁଶ୍ରୀ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ରଜତ ସାହୁ କବିତା ପାଠ କରିଥିବା ବେଳେ ସାମ୍ବାଦିକ ତପନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବହୁ ବୁଦ୍ଧିଜୀବୀ, ସମାଜସେବୀ, ସାହିତ୍ୟିକ ଯୋଗ ଦେଇଥିଲେ ।