Odiapua.com

ପ୍ରଜ୍ଞାପୀଠରେ ‘ଆମେ’ର ଅମାବାସ୍ୟା ଆସର

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ର ଚିତାଲାଗି ଅମାବାସ୍ୟା ଆସର ପାଳିତ ହୋଇ ଯାଇଛି । ତୃତୀୟ ବର୍ଷ ସ୍ୱନକ୍ଷତ୍ର ଦିବସରେ ଭାରତବର୍ଷର ସୁସାହିତ୍ୟିକ, ରାଜନେତା, ପୂର୍ବତନ ମନ୍ତ୍ରୀ ‘ଡଗର’ ପତ୍ରିକାର ସମ୍ପାଦକ, କେନ୍ଦ୍ର ତଥା ରାଜ୍ୟ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ କାନ୍ତକବିଙ୍କ ସୁପୁତ୍ର ନିତ୍ୟାନନ୍ଦ ମହାପାତ୍ରଙ୍କ ସାହିତ୍ୟ କୃତି ଉପରେ ବିଶଦ ଆଲୋଚନା କରାଯାଇଥିଲା । ହିଡ଼ମାଟି, ଭଙ୍ଗା ହାଡ଼, ଘରଡିହ, ନାହଂ ତିଷ୍ଠାମି ବୈକୁଣ୍ଠେ, ଜିଅନ୍ତା ମଣିଷ ଇତ୍ୟାଦି ସାହିତ୍ୟ ପୁସ୍ତକ ଉପରେ ମୁଖ୍ୟବକ୍ତା ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ, ଡ. ରାଧାରାଣୀ ମହାପାତ୍ର, ଡ. ଭାନୁମତି ମାଟିଆ. ପ୍ରଫେସର ଅଟଳ ବିହାରୀ ନାୟକ, ନବନିଯୁକ୍ତ ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦିକା ତଥା ଆଡଭୋକେଟ ଅମିତାବାଳା ଆଚାର୍ଯ୍ୟ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ସବରେ ସଭାପତିତ୍ୱ କରିଥିଲେ ନାଟ୍ୟ ନିର୍ଦ୍ଦୋକ ଲଲାଟେନ୍ଦୁ ମହାନ୍ତି । ଅନ୍ୟତମ ଅତିଥି ଭାବେ ଭଦ୍ରକ ଲାୟନ୍ସ କ୍ଲବର ସଭାପତି ଅଶୋକ ମହାନ୍ତି ଯୋଗ ଦେଇଥିଲେ । ନୂତନ ସଦସ୍ୟ ଭାବେ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ଉକ୍ତ ସାହିତ୍ୟ ଆସରକୁ ଡାକ୍ତର ରବିନାରାୟଣ ମହାପାତ୍ର, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାନସିକ ଅଧିକାରୀ ବିଦ୍ୟାଧର ପଲେଇ, ଶିକ୍ଷାବିତ ଲକ୍ଷ୍ମୀକାନ୍ତ ବାରି. କବୟିତ୍ରୀ ଗୀତାରାଣି ଆଇଚ, ଶକୁନ୍ତଳା ନାୟକ, ନାଟ୍ୟଶ୍ରୀ ନିର୍ମଳ ରାଉତ, ନାଟ୍ୟାଭିନେତା କାଳନ୍ଦୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସେମାନଙ୍କର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଅମିତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତଙ୍କୁ ଚିତଉ ପିଠା ଓ ମିଷ୍ଟାନ୍ନରେ ଆପ୍ୟାୟିତ କରାଯାଇଥିଲା ।