Odiapua.com

ପ୍ରଗତିଶୀଳ ସାହିତ୍ୟିକ ଓ ସାମ୍ୟବାଦୀ ଶିକ୍ଷାବିତ୍ ଡ଼ଃ ଲକ୍ଷ୍ମୀନାରାୟଣ ରାୟସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୧୩/୬- (ଓଡ଼ିଆ ପୁଅ) ନୂଆ ଦୁନିଆର ସମ୍ପାଦକ, ପ୍ରଖ୍ୟାତ ଶିକ୍ଷକ ନେତା ଡଃ ଲକ୍ଷ୍ମୀନାରାୟଣ ରାୟସିଂହ କେବଳ ଜଣେ ସୁସାହିତ୍ୟିକ ନଥିଲେ, ସେଥିଲେ ଓଡ଼ିଶାର ପ୍ରଗତିଶୀଳ ସାହିତ୍ୟର ଅନ୍ୟତମ କର୍ଣ୍ଣଧାର। ଛାତ୍ରଜୀବନରୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ପରେ ସାମ୍ୟବାଦ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ କୃଷକ ଆନ୍ଦୋଳନରେ ଏବଂ ସୀମା ଆନ୍ଦୋଳନରେ ଅନ୍ୟତମ ଛାତ୍ର ନେତା, ଛାତ୍ରସଂଘର ରାଜ୍ୟ ସାଧାରଣ ସଂପାଦକ, ପରେ କିଛିକାଳ ପାଇଁ ‘ସମୟ’ ଓ ‘ସାମ୍ମୁଖ୍ୟ’ ପତ୍ରିକାର ପ୍ରକାଶନ ଏବଂ ଦୈନିକ ‘ଜନଶକ୍ତି’ର ସହ-ସମ୍ପାଦକ ଥିଲେ।ସେ ଏକାଧାରରେ ଶିକ୍ଷକ ମହାସଂଘର ନେତା ଓ ବାମପନ୍ଥୀ ଆନ୍ଦୋଳନ ସହ ସଂପୃକ୍ତ ଥିବା ଏହି ମାର୍କ୍ସବାଦୀ ତତ୍ତ୍ୱବିତ୍ ମୃତ୍ୟୁ ପର୍ଯ୍ୟନ୍ତ ସାପ୍ତାହିକ ‘ନୂଆଦୁନିଆ’ର ସମ୍ପାଦକ ଓ ଦୈନିକ ଉତ୍କଳ ସମାଜର ମୁଖ୍ୟ ସମ୍ପାଦକ ରୂପେ କାର୍ଯ୍ୟନିର୍ବାହ କରି ସବୁ କ୍ଷେତ୍ରରେ ତାଙ୍କ ପଦଚିହ୍ନ ରଖିଯାଇଛନ୍ତି।

ଆଜି ଭଗବତୀ ଭବନଠାରେ ‘ନୂଆଦୁନିଆ’ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ ବର୍ଗର ନେତୃବୃନ୍ଦ ଓ ବୁଦ୍ଧିଜୀବି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହା କହିଛନ୍ତି।

ଡକ୍ଟର ସୌରୀବଂଧୁ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇ ନେତା ଦିବାକର ନାୟକ, ସଂଗ୍ରାମୀ ସୋମନାଥ ପାତ୍ର, ସିପିଆଇ ରାଜ୍ୟ ସହସଂପାଦକ ଡକ୍ଟର ପ୍ରଶାନ୍ତ ମିଶ୍ର, ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ, ବିଶ୍ୱ ଶିକ୍ଷକ ସଂଘର ସାଧାରଣ ସଂପାଦକ ଡକ୍ଟର ଅମୀୟ ମହାନ୍ତି, ଶିକ୍ଷକ ମହାସଂଘର ନେତା ପ୍ରଫେସର ଦୁର୍ଯେ୍ୟାଧନ ପରିଡ଼ା, ପୂର୍ବତନ ବିଧାୟକ ନାରାୟଣ ରେଡ଼ି, ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା, ଉତ୍କଳ ମହିଳା ସମିତିର ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ, ସ୍ତମ୍ଭକାର ତୁଷାରକାନ୍ତ, ସତୀଶ ମିଶ୍ର, ପ୍ରଫୁଲ୍ଲ ତ୍ରିପାଠୀ, ରମେଶ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ପାଇକରାୟ, ଏଆଇଏସ୍ଏଫ୍ର ରାଜ୍ୟ ସଭାପତି ସଂଘମିତ୍ରା ଜେନା, ବସନ୍ତ ପାଇକରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରାରମ୍ଭରେ ନୂଆଦୁନିଆର କାର୍ଯ୍ୟନିର୍ବାହୀ ସଂପାଦକ ରମେଶ ଚନ୍ଦ୍ର ପାଢ଼ୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସହଯୋଗୀ ସମ୍ପାଦକ କିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ବହୁ ଶ୍ରମିକ, କର୍ମଚାରୀ, ଶିକ୍ଷକ, ମହିଳା, ସମ୍ବାଦିକ, ଛାତ୍ର ଓ ଯୁବକ ସଂଗଠନର ନେତୃବୃନ୍ଦ ଉପସ୍ଥିତ ଥିଲେ।