Odiapua.com

ପ୍ରକୃତି ଦାଉ ସାଧିଲା ଅମଳବେଳକୁ ଅଦିନିଆ ବର୍ଷା

ନୟାଗଡ଼, ୯ା୧୨ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଅମଳବେଳକୁ ଦାଉ ସାଧିଛି ପ୍ରକୃତି। ଅଦିନିଆ ବର୍ଷାରେ ଧାନଚାଷ ଉଜୁଡ଼ି ଯାଉଥିବାବେଳେ ଚାଷୀକୂଳ ବେସାହାରା ହୋଇପଡ଼ିଛି। ପ୍ରଥମେ ଲଗାଣ ବର୍ଷା, ତା’ପରେ ଚକଡ଼ା ପୋକ ଲାଗି ଧାନଚାଷ ଏକପ୍ରକାର ଉକ୍ସୁଡ଼ିବା ବସିଥିବାବେଳେ ଜସ୍ୱାଦ ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ମରୁ ମର ଟିକେ ବଂଚିବାକୁ ଯାଉଥିବାବେଳେ ଏବେ ଜସ୍ୱାଦ ପରେ ପୁଣି ଅଦିନିଆ ବର୍ଷା ଚାଷୀକୁ ହତାସ କରିଦେଇଛି। ବର୍ଷାଯୋଗୁଁ ବିଲରେ ପଡ଼ି ରହିଥିବା ଧାନ ଏବେ ଗଜା ହୋଇଥିବା ଦେଖିବାକୁ ମିଳିଛି। ଚାଷୀ କ’ଣ କରିବ ନକରିବ ଏବେ ମୁଣ୍ଡରେ ହାତଦେଇ ବସିଛି। ବର୍ଷା ଦାଉରୁ ଧାନଚାଷ ମୁକୁଳିବା ଆଶା ପୁରା କ୍ଷୀଣ ହୋଇଯାଇଛି। ଜସ୍ୱାଦରୁ ମୁକୁଳୁ ମୁକୁଳୁ ଏବେ ପୁଣି ଅଦିନିଆ ବର୍ଷା ଚାଷୀପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଅନେକ ଚାଷୀ ଧାନଚାଷ ପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣିଥିଲେ। ଚଳିତ ବର୍ଷ ଧାନ ଅମଳ ବେଳକୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ପଡ଼ି ରହିଥିବା ପାଚିଲା ଧାନରେ ଏବେ ପାଣି ଭର୍ତ୍ତି ହୋଇ ରହିଛି। ଚଳିତବର୍ଷ ୧ଲକ୍ଷ ୩ହଜାର ହେକ୍ଟର ଜମିରେ ଚାଷକାର୍ଯ୍ୟ ହେବାର ଲକ୍ଷ୍ୟଧାର୍ଯ୍ୟ ଥିଲାବେଳେ ମାତ୍ର ୨ ହଜାର ୯ଶହ ୯୦ ହେକ୍ଟର ଜମିରେ ଧାନବୁଣା ହୋଇଥିବା ଏବଂ ଅବଶିଷ୍ଟ ଧାନଜମିରେ ଧାନରୁଆ ହେବାର ଜିଲା କୃଷି କାର୍ଯ୍ୟାଳୟରୁ ଜଣାପଡ଼ିଛି। ଏଥିମଧ୍ୟରୁ ୨୦ହଜାର ୫୬୫ ହେକ୍ଟର ଢିପ , ୪୫ହଜାର ୩୦୭ ହେକ୍ଟର ମଧ୍ୟମ ଓ ୩୬ ହଜାର ୧୩୮ ହେକ୍ଟର ଖାଲ ଜମିରେ ଧାନ ଚାଷ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼ କରିବାକୁ ଚାଷୀ ମହଲରୁ ଦାବି ହେଉଛି।