Odiapua.com

ପ୍ରକାଶ ପାଇଲା ସ୍ୱଚ୍ଛ ସର୍ବେକ୍ଷଣ ତାଲିକା, ଭାରତରେ ଭଦ୍ରକ ସହର ସ୍ଥାନ ୨୬୧, ରାଜ୍ୟରେ ୬୯

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତିମଧ୍ୟରେ ଅମୃତ ଯୋଜନାରେ ଭଦ୍ରକ ପୌରାଞ୍ଚଳ ଅନ୍ତର୍ଭୁକ୍ତ ହେବାକୁ ୪ ବର୍ଷ ବିତିଗଲାଣି । ଏହି ୪ ବର୍ଷ ମଧ୍ୟରେ ପୌର କର୍ତ୍ତୃପକ୍ଷ ସ୍ୱଚ୍ଛତା ରକ୍ଷା ଉପରେ ବିଶେଷ ଭାବେ ଗୁରୁତ୍ୱ ଦେବା କଥା କହୁଛନ୍ତି । ନିଜ ନିଜ ଅଂଚଳରେ କିପରି ସ୍ୱଚ୍ଛତା ରକ୍ଷା କରାଯାଇପାରିବ । ସେ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରୁଛନ୍ତି ବିଭାଗର ସ୍ୱଚ୍ଛସାଥୀ, କର୍ମଚାରୀ । ପ୍ରତ୍ୟେକ ଦିନ ବିଭାଗୀୟ ଟୁଇଟର ଆକାଉଣ୍ଟରେ ପୌର କର୍ତ୍ତୃପକ୍ଷଙ୍କ ସଫଳତାର ଚିତ୍ର ବଖାଣିବାରେ ହେଳା କରୁନାହାଁନ୍ତି । ମାତ୍ର ବାସ୍ତବତା ସଂପୂର୍ଣ୍ଣ ଓଲଟା । କାରଣ ଭଦ୍ରକ ସହରର ସ୍ୱଚ୍ଛତା କ୍ରମଶଃ ରସାତଳଗାମୀ ହେବାରେ ଲାଗିଛି । ଯାହାର ସ୍ପଷ୍ଟ ଚିତ୍ର ମିଳିଛି ନିକଟରେ ପ୍ରକାଶ ପାଇଥିବା ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରୁ । ଏହି ତାଲିକା ଅନୁଯାୟୀ ଭାରତର ୧୩ଟି ରାଜ୍ୟର ମୋଟ ୩୭୨ ସହର ମଧ୍ୟରୁ ଭଦ୍ରକର ସ୍ଥାନ ରହିଛି ୨୬୧ ରେ । ପରିତାପର ବିଷୟ ହେଉଛି ପୌରପାଳିକାର ସ୍ୱଚ୍ଛ ଭାରତ ବିଭାଗକୁ ପରିଚାଳନା କରୁଥିବା ୩ ଅଧିକାରୀଙ୍କ ନିକଟରେ ଏହି ର‌୍ୟାକିଂ ସଂପର୍କିତ ତଥ୍ୟ ନାହିଁ । ଯଦି ସ୍ୱଚ୍ଛ ଭାରତ ବିଭାଗକୁ ପରିଚାଳନା କରୁଥିବା ଅଧିକାରୀଙ୍କ ନିକଟରେ ଏହି ତଥ୍ୟ ନରହିବ ଓ ସେମାନେ ଯଦି ଏହା ଜାଣିବାକୁ ଆଗ୍ରହ ପ୍ରକାଶ ନକରିବେ, ସ୍ୱାଭାବିକ ଭାବରେ ସହରର ସ୍ୱଚ୍ଛତା ଅଳିଆ ଗଦାକୁ ଯିବ । ଯାହାକି ପ୍ରକାଶିତ ତାଳିକାରୁ ସ୍ପଷ୍ଟ ।

ଅପରପକ୍ଷେ ରାଜ୍ୟର ୯ ଟି ଅମୃତ ସହର ମଧ୍ୟରୁ ସ୍ୱଚ୍ଛତା ତାଲିକାରେ ଭଦ୍ରକର ସ୍ଥାନ ସବୁଠାରୁ ତଳେ ରହିଥିବାବେଳେ ରାଜ୍ୟ ତାଲିକାରେ ଭଦ୍ରକର ସ୍ଥାନ ରହିଛି ୬୯ । ସୂଚନା ଅନୁଯାୟୀ ୧ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଦେଶର ୩୭୨ ସହର ମଧ୍ୟରୁ ସ୍ୱଚ୍ଛତାକୁ ନେଇ ସର୍ବେକ୍ଷଣ କରାଯାଇଥିଲା । ଏହି ତାଲିକାରେ ଭଦ୍ରକର ସ୍ଥାନ ରହିଛି ୨୬୧ । ଯାହାକି ପୂର୍ବବର୍ଷ ତୁଳନାରେ ଅଧିକ ନୈରାଶ୍ୟଜନକ । ଯେତେବେଳେ ବିଭାଗୀୟ ଅଧିକାରୀ ନିଜ ର‌୍ୟାଙ୍କ ସଂପର୍କରେ ଜାଣି ପାରୁନାହାଁନ୍ତି । ସେତେବେଳେ ଏପରି ନୈରାଶ୍ୟଜନକ ପ୍ରଦର୍ଶନର ଉତ୍ତର ତାଙ୍କ ଠାରେ ନରହିବା ସ୍ୱାଭାବିକ । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ସହରକୁ ଏକ ସ୍ୱଚ୍ଛ ସହରରେ ପରିଣତ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି । ଅମୃତ ଯୋଜନାରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ସ୍ୱଚ୍ଛତା ଦିଗ ପ୍ରତି ଦୃଷ୍ଟି ଦେବା ନିମନ୍ତେ ଏବେ ପୌରାଞ୍ଚଳରେ ୪୧ ଜଣ ସ୍ୱଚ୍ଛ ସାଥୀ, ୧୧ ଜଣ ସୁପରଭାଇଜର କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ଅଧୀନରେ ୧୭୦ ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି । ଗଣ୍ଡା ଗଣ୍ଡା ଟ୍ରାକ୍ଟର, ବହୁ ସଂଖ୍ୟକ ସ୍ୱଚ୍ଛ ସବାରୀ ମଧ୍ୟ ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେହିପରି ସହରର ସୌନ୍ଦର୍ଯ୍ୟ ରକ୍ଷା ତଥା ସହରବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସରକାରୀ କାର୍ଯ୍ୟାଳୟ, ବାସଭବନ ଓ ଛକ ଜାଗାମାନଙ୍କରେ କାନ୍ଥବାଡକୁ ବିଭିନ୍ନ ଚିତ୍ରକଳା ମାଧ୍ୟମରେ ରଙ୍ଗାୟିତ କରାଯାଉଛି । ୟୁଡିବ୍ଲ୍ୟୁଇଆଇ (ଉଇ) ସ୍କିମ୍‌ରେ କୋଟି କୋଟି ଟଙ୍କା ସୌନ୍ଦର୍ଯ୍ୟକରଣ ବାବଦରେ ଖର୍ଚ୍ଚ କରାଯାଉଛି । ହେଲେ ଫଳ ଶୂନ । ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ର‌୍ୟାକିଂ କମୁଛି, ତାହାର ସନ୍ତୋଷଜନକ ଉତ୍ତର କାହା ନିକଟରେ ନାହିଁ । ତେବେ ଓଡିଏଫ୍ ପ୍ଲସ୍ ପ୍ରମାଣପତ୍ର ନଥିବାରୁ ର‌୍ୟାଙ୍କ କମୁଛି ବୋଲି କହିଛନ୍ତି ବିଭାଗୀୟ ପ୍ରକଳ୍ପ ଅଧିକାରୀ ଓମ୍‌ପ୍ରକାଶ ରଥ । ତେବେ ଏ ବର୍ଷ ଆମେ ଏ ଦିଗ ପ୍ରତି ଅଧିକ ସଚେତନ ରହିବୁ ବୋଲି ସେ କହିଛନ୍ତି ।