Odiapua.com

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

କଟକ ୨୧ ମଇ (ଓଡ଼ିଆ ପୁଅ) – ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ସକାଳ ୯ଟାରେ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଦିନ ୧୧ ଟା ଠାରୁ ବୋର୍ଡର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବୋର୍ଡ ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏସି .ଇନ୍ ଏବଂ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏନଆଇସି.ଇନ୍ ରେ ଲଗଇନ୍ କରି ରେଜଲ୍ଟ ଜାଣିପାରିବେ। ସେହିପରି ଏସଏମଏସ୍ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। ମୋବାଇଲରେ ଓଆର୍୧୦ ପରେ ରୋଲ୍ ନମ୍ବର ଲେଖି ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ପାଇପାରିବେ।
୭୦.୭୮ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୧୮୧ ଜଣ A ଗ୍ରେଡ୍ ୯୯୩୮ ଜଣ- A2 ୨୪ ହଜାର ୯୯୧ ଜଣ- B1 ପାଇଛନ୍ତି।

 

ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ୩ ଲକ୍ଷ ୯୭ହଜାର ୧୨୫ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ସେଥିରୁ ୧ଲକ୍ଷ ୯୧ ହଜାର ୬୫୫ଜଣ ଛାତ୍ର ପାସ୍ ହୋଇଥିବା ବେଳେ ୨ ଲକ୍ଷ ୫ ହଜାର ୪୭୦ ଛାତ୍ରୀ ପାସ୍ ହୋଇଛନ୍ତି। ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ହୋଇଥିବା ବେଳେ ୨୮୯ଟି ସ୍କୁଲରେ ରେଜଲ୍ଟ ଶତ ପ୍ରତିଶତ ହୋଇଛି।

 

ସୂଚନାଯୋଗ୍ୟ ଚଳିତ ବର୍ଷ ୨ହଜାର ୮୩୦ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୮୦ ପିଲା ପରୀକ୍ଷା ଦେଇଥିଲେ। ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୮ ମଧ୍ୟରେ ହୋଇଥିଲା ମାଟ୍ରିକ ପରୀକ୍ଷା। ଏଥିସହ ୪୪ ଟି କେନ୍ଦ୍ରରେ ୩ ହଜାର ୯ ଜଣ ପରୀକ୍ଷାର୍ଥୀ ମଧ୍ୟମା ଓ ୭୯ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୧୨ ଜଣ ଓପନ ସ୍କୁଲ ପରୀକ୍ଷା ଦେଇଥିଲେ। ୫ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହୋଇଥିଲା। ଚଳିତବର୍ଷର ମାଟ୍ରିକ ପରୀକ୍ଷା ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହୋଇଥିଲା। ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ୍ ୬ରେ ଶେଷ ହୋଇଥିଲା। ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ବରିତ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନଲାଇନରେ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ମାର୍କ ପୋଷ୍ଟିଂ ହୋଇଥିଲା। । ଓଏମଆର୍ ଉତ୍ତରଖାତାର ସ୍କାନ କପି ବୋର୍ଡ ୱେବସାଇଟ www.bseodisha.ac.inରେ ଛଡ଼ାଯିବ। ପରୀକ୍ଷାର୍ଥୀମାନେ ଏହି ଓଏମଆର୍ କପିକୁ ୱେବସାଇଟରୁ ଡାଉନଲୋଡ୍ କରିପାରିବେ।
ଗଣଶିକ୍ଷା ସଚିବ ପ୍ରଦୀପ କୁମାର ମହାପାତ୍ରଏହି ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଫନି ଯୋଗୁଁ ଫରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା।
ଚଳିତବର୍ଷ ପ୍ରଥମଥର ନିମନ୍ତେ ୪ଟି ସମାନ୍ତରାଳ ପ୍ରଶ୍ନପତ୍ରର ବ୍ୟବସ୍ଥା ହୋଇଥିଲା। ଅନ୍ୟପକ୍ଷରେ ଚଳିତ ମାଟ୍ରିକ ପରୀକ୍ଷାରେ ଓଡ଼ିଆ, ଗଣିତ ଓ ସାମାଜିକ ବିଜ୍ଞାନ ବିଷୟର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।