Odiapua.com

ପ୍ରକାଶିତ ହେବ ଶ୍ରୀ ଅଖଣ୍ଡଙ୍କ ରଚିତ ‘ତତ୍ୱ ଶ୍ରୀଜଗନ୍ନାଥ’

ଭୁବନେଶ୍ୱର ୧୯-୭ (ଓଡ଼ିଆ ପୁଅ) ଶ୍ରୀଜଗନ୍ନାଥଙ୍କ ନାମ, ଧାମ ଓ ମହିମାକୁ ନେଇ ପ୍ରଭୁଭକ୍ତ ଶ୍ରୀ ଅଖଣ୍ଡଙ୍କ ଦ୍ୱାରା ରଚିତ ‘ତତ୍ୱ ଶ୍ରୀଜଗନ୍ନାଥ’ ଆଧ୍ୟାତ୍ମିକ ପୁସ୍ତକ ଚଳିତମାସ ଶେଷ ସପ୍ତାହରେ ପ୍ରକାଶ ପାଇବାକୁ ଯାଉଛି। ଏଥିରେ ୯ଟି ଅଧ୍ୟାୟ ରହିଛି ଓ ପ୍ରତି ଅଧ୍ୟାୟରେ ୭ଟି ଲେଖାଁଏ ସୁଲଳିତ ଗୀତ ରହିଛି। ମୋଟ୍ ୬୩ଟି ଗୀତରେ ମହାପ୍ରଭୁଙ୍କ ମହିମା ଓ ତତ୍ୱ ବର୍ଣ୍ଣନା କରାଯାଇଛି। ଜଗନ୍ନାଥ ମହାମନ୍ତ୍ର ସମିତି, ଓଡିଶା ପକ୍ଷରୁ ଏହାକୁ ପ୍ରକାଶ କରାଯାଉଛି। ପୁରୀସ୍ଥିତ ଗୋବର୍ଦ୍ଧନ ପୀଠର ପୀଠାଧିଶ ଶ୍ରୀମଦ୍ ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ଏହି ପୁସ୍ତକ ପ୍ରକାଶ ପାଇଁ ଅନୁରୋଧ କରାଯାଇଛି। ମହାପ୍ରଭୁଙ୍କ ମହାକୃପାରୁ ଅଖଣ୍ଡଙ୍କ ଦ୍ୱାରା ରଚିତ ହୋଇଥିଲା ଦୁଇଟି ଅନବଦ୍ୟ ଓ ଅପୂର୍ବ ଧର୍ମ ସାହିତ୍ୟ ‘ଗୀତ ଶ୍ରୀଜଗନ୍ନାଥ’ ଓ ‘ତତ୍ୱ ଶ୍ରୀଜଗନ୍ନାଥ’। ପ୍ରଥମଟି ୨୦୧୮ ରଥଯାତ୍ରା ସମୟରେ ପ୍ରକାଶ ପାଇଥିଲା। ଏହାକୁ ମଧ୍ୟ ପୂଜ୍ୟ ଗୁରୁଜୀ ପୁରୀ ଶଙ୍କରାଚାର୍ଯ୍ୟ ଉନ୍ମୋଚିତ କରିଥିଲେ ଓ ତାଙ୍କର ଦିବ୍ୟ ସନ୍ଦେଶ ପ୍ରଦାନ କରିଥିଲେ। ‘ଗୀତ ଶ୍ରୀଜଗନ୍ନାଥ’ର ଦ୍ୱିତୀୟ ଭାଗ ଭାବେ ଏବେ ‘ତତ୍ୱ ଶ୍ରୀଜଗନ୍ନାଥ’ ପ୍ରକାଶ ପାଇବ।