Odiapua.com

ପ୍ରକଳ୍ପ ପୂର୍ବରୁ ଖରସ୍ରୋତା ଉପକୂଳରେ ଜନଗଣଙ୍କ ସହ ଆଲୋଚନା ଏବଂ ପୋଲିସ୍ ଆତଙ୍କରାଜ ବନ୍ଦ ହେଉ : କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ

ଭୁବନେଶ୍ୱର ୧୯ ଅଗଷ୍ଟ (ଓଡ଼ିଆ ପୁଅ) କେନ୍ଦ୍ରାପଡ଼ା ଜିଲ୍ଲାର ଭାଗିଦାର ଠାରେ ଖରସ୍ରୋତା ଜଳପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ଓ କୃଷି ଶ୍ରମିକ ମାନଙ୍କ ଉପରେ ପୋଲିସ୍ ଦମନଲିଳା ଓ ବ୍ୟାପକ ଗିରଫ ଦାରିକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ବୁଧବାରଦିନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଉପସଭାପତି ତଥା ସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ୍ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ବୈଠକରେ ଖରସ୍ରୋତା ଜଳ ପ୍ରକଳ୍ପ ଓ ଏହାର ପ୍ରତିବାଦରେ ଚାଲିଥିବା ଜନଆନ୍ଦୋଳନ ସଂପର୍କରେ ବ୍ୟାପକ ଆଲୋଚନା ପରେ ଜନଗଣଙ୍କ ଜୀବନ-ଜୀବିକା ପାଇଁ ଚାଲିଥିବା ଏହି ଆନ୍ଦୋଳନକୁ ପୁର୍ଣ୍ଣ ପ୍ରାଣରେ ସମର୍ଥନ ଘୋଷଣା କରାଯାଇଛି।

ଆଦାନୀ ପୋର୍ଟ ଓ କଂପାନୀକୁ ଜଳ ଯୋଗାଇବା ଲାଗି ଉଦ୍ଦିଷ୍ଟ ଏହି ବୃହତ ଜଳପ୍ରକଳ୍ପ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସାହାଯ୍ୟରେ ନିର୍ମାଣ କରାଯାଉଥିବାବେଳେ ଜନଗଣଙ୍କୁ ଭଦ୍ରକବାସୀଙ୍କୁ ଜଳ ଯୋଗାଇବାର ବାହାନା କରାଯାଉଛି ବୋଲି ଆଜି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ମିଳିତ ଶ୍ରମିକ ସଂଗଠନ ମଂଚ ପକ୍ଷରୁ କୁହାଯାଇଛି। ଆନ୍ଦୋଳନ ରତ ଚାଷୀ ଓ ଜନଗଣଙ୍କ ସହ ଆଲୋଚନା କରାଯିବା ଏହି ପ୍ରକଳ୍ପର ମୂଳ ଡ଼ିପିଆର ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିବା, ଖରସ୍ରୋତାର ତଳମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବା ଆଦିକୁ ଗୁରୁତର ସହିତ ସରକାର ବିଚାରକୁ ନିଅନ୍ତୁ ବୋଲି ମଂଚ ପକ୍ଷରୁ ଦାବି କରାଯାଇଛି। ଆଜିର ଏହି ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସାଧାରଣ ସଂପାଦକ କିଶୋର ଜେନା, ପ୍ରଣତି ମିଶ୍ର, ଏ.ଆଇ.ଟି.ୟୂୁ.ସିର – ରାମକୃଷ୍ଣ ପଣ୍ଡାଏଚ୍‌.ଏମ.ଏସ୍ର – ବିରେନ୍ଦ୍ର ପ୍ରତାପ ଦାସ, ସି.ଆଇ.ଟି.ୟୁ – ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଏ.ଆଇ.ୟୁ.ଟି.ୟୁ.ସି- ପୂର୍ଣ୍ଣଚନ୍ଦ୍ର ବେହେରା, ଏ.ଆଇ.ସି.ସି.ଟି.ୟୁ- ମହେନ୍ଦ୍ର ପରିଡ଼ା, ରାଧାକାନ୍ତ ସେଠୀ, ଟି.ୟୁ.ସି.ସି.ର – ଜ୍ୟୋତିରଞ୍ଜନ ମହପାତ୍ର ଓ ସେୱା – ପରିଲତା ମହାପାତ୍ର ଏବଂ ଆଇ.ଏନ୍‌.ଟି.ୟୁ.ସିର ସଂଜୀବକୁମାର ମହାନ୍ତି ପମୁଖ ଭାରତ ବଂଚାଅ ଦିବସରେ ଯୋଗ ଦେଇଥିଲେ।