Odiapua.com

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା , ଉତ୍କଳକେଶରୀଙ୍କ ଜନ୍ମମାଟିରେ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଅ- ପିଡ଼ି

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ାର ପୁରୁଷଣ୍ଢ ଓ ବିଟିପୁର ପଞ୍ଚାୟତକୁ ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁ ସୂଦନ ଦାସ ପରିଦର୍ଶନରେ ଆସି ନବ ଉତ୍କଳର ନିର୍ମାତା ଡ଼ଃ. ହରେକୃଷ୍ଣ ମହତାବ ଉତ୍କଳକୁ ପୂର୍ଣ୍ଣାଙ୍ଗ କରି ଗଢିତୋଳିବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ଜନ୍ମମାଟିରେ ବିକାଶର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ତାଗିଦ କରିଥିଲେ । ପ୍ରଥମେ ପୁରୁଷଣ୍ଢ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନେବାକୁ ନେଇ ପଞ୍ଚାୟତ ପ୍ରତିନିଧି ଓ କ୍ଷେତ୍ର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଦାସସାହି ଓ ବଣିଆ ସାହିର ହିତାଧିକାରୀଙ୍କୁ ଭେଟି ନିର୍ମାଣାଧିନ କାର୍ଯ୍ୟର ତଦାରଖ କରିବା ସହିତ ଗୃହ ତିଆରିରେ ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ଚଣ୍ଡୀମନ୍ଦିର ନିକଟସ୍ଥ ଆଦିବାସୀ ସାହିକୁ ଭଲରାସ୍ତା ନଥିବାରୁ ଉକ୍ତ ସାହି ରାସ୍ତାଟିକୁ କଂକ୍ରିଟ ରାସ୍ତାରେ ପରିଣତ କରିବାକୁ ପଞ୍ଚାୟତ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଡ଼ାଏଟ ନିକଟସ୍ଥ ପଞ୍ଚାୟତ ଭବନ ଗୃହ କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ କହିଥିଲେ । ପରେ ବିଟିପୁର ପଞ୍ଚାୟତର ନୂତନ ଗୃହରେ ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ଜାଣିବାକୁ ପାଇଥିଲେ ଯେ ଦୀର୍ଘ ୩ ବର୍ଷ ଧରି ନୂତନ ପଞ୍ଚାୟତ ଗୃହ ନିର୍ମାଣରେ ବିଳମ୍ବ ହୋଇ କେବଳ ଗୋଟିଏ ଗୃହ କାର୍ଯ୍ୟକ୍ଷମ ହୋଇଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ଆସନ୍ତା ନଭେମ୍ବର ୨୦ ସୁଦ୍ଧା କବାଟ, ଝରକା, ରଙ୍ଗ ଲଗାଇ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବାକୁ ତାଗିଦ କରିଥିଲେ । ଏହି ଅବସରରେ ପୋଷ୍ଟ ଅଫିସ ଗୃହଟି ଭଡ଼ାଘରେ ଚାଲୁଥିବାରୁ ଏହାକୁ ପଶୁ ଡ଼ାକ୍ତରଖାନା ଓ ପଞ୍ଚାୟତ ପରିସରରେ କରିବାକୁ ଆଲୋଚନା କରିଥିଲେ । ଆଜିର ଏହି ପରିଦର୍ଶନ ସମୟରେ ବିଟିପୁର ସରପଞ୍ଚ ସତ୍ୟବାନ ଦାସ, ପୁରୁଷଣ୍ଢ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ଜେନା, ସହକାରୀଯନ୍ତ୍ରୀ ବଳରାମ ମହାନ୍ତି, କନିଷ୍ଠଯନ୍ତ୍ରୀ ପ୍ରଜ୍ଞା ମହାନ୍ତି, ବିଟିପୁର ଓ ପୁରୁଷଣ୍ଢ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିକାଶ ଚନ୍ଦ୍ର ରାଉତ, ବୀରକିଶୋର ନାୟକ, ଗ୍ରାମ୍ୟ ରୋଜଗାର ସେବକ ସରୋଜ ସାମଲଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।