Odiapua.com

ପୌର ପ୍ରଶାସନର ପାତରଅନ୍ତର ନୀତିକୁ ନେଇ ଅସନ୍ତୋଷ, ବିଜେପି ପକ୍ଷରୁ ପୌରପାଳିକା ଆଗରେ ବିକ୍ଷୋଭ

ବାଲେଶ୍ୱର, ୨୯ା୯(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ପୌରପାଳିକାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ନଗର କମିଟି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ବିଜେପି ନଗର କମିଟି ସଭାପତି ଚିତ୍ତରଂଜନ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ଓ ଘେରାଓ କାର୍ଯ୍ୟକ୍ରମରେ କର୍ମୀଙ୍କ ସମେତ ଜିଲ୍ଲା ବିଜେପିର ବହୁ ନେତା ଯୋଗଦେଇ ମୁରବୀ ବିହୀନ ପୌରପାଳିକାରେ ଚାଲିଥିବା ଦୁର୍ନୀତି ତଥା ଅନିୟମିତତାର ତୀବ୍ର ସମାଲେଚନା କରିଥିଲେ। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସଦର ନିର୍ବାଚନମଣ୍ଡଳୀ ସଂଯୋଜକ ମାନସ ଦତ୍ତ, ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ଶୁଭଙ୍କର ମହାପାତ୍ର ଗୌରାଙ୍ଗ ଦାସ, ସଂଯୁକ୍ତା ମହାପାତ୍ର, ଶୋଭନା ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ପୌର ପ୍ରଶାସନ ଶାସକ ଦଳର ହାତବାରିସି ଭଳି କାର୍ଯ୍ୟ କରୁଥିବା ଆରୋପ ଉଠାଇଥିଲେ। ବିଶେଷ କରି ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଯୋଜନାରେ ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କାର ସହାୟତା ଓ ୧୦ ହଜାର ଟଙ୍କାର ଋଣ ପ୍ରଦାନରେ ଅନିୟମିତତା, ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାରକୁ ସରକାର ଘୋଷିତ ଆର୍ଥିକ ସହାୟତା ପ୍ରଦାନରେ କାଳକ୍ଷେପଣ ନୀତି, ମରଣଯନ୍ତା ପାଲଟିଥିବା ସହର ରାସ୍ତା ନବୀକରଣରେ ଅହେତୁକ ବିଳମ୍ବ, ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସରକାରୀ ଦଳର ସୁପାରିଶ କ୍ରମେ ହେଉଥିବା ହିତାଧିକାରୀ ଚୟନ ପ୍ରକ୍ରିୟା ଆଦିକୁ ବିଜେପି ନେତାମାନେ ତୀବ୍ର ବିରୋଧ କରିଥିଲେ। ବାଲେଶ୍ୱର ପୌର ପ୍ରଶାସନର ଦଳୀୟ ପ୍ରୀତି ଯୋଗୁଁ ସାଧାରଣ ଲୋକେ ସରକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ପୌର କର୍ତ୍ତୃପକ୍ଷ ତୁରନ୍ତ ଏହି ନୀତି ପରିତ୍ୟାଗ କରି ପ୍ରକୃତ ହିତାଧିକାରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ ନ କଲେ ଆଗାମୀ ଦିନରେ ବିଜେପି ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ବିଜେପି ନଗର କମିଟି ପକ୍ଷରୁ ଏକ ଦାବିପତ୍ର ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ବୈଲୋଚନ ଦାଶ, ଲୋକନାଥ ଭୂୟାଁ, ଯୋଗେନ୍ ରଣା, ବିକାଶ ପାଢ଼ର, ଶଶିଶେଖର ମହାନ୍ତି, ଧୀରଜ ମହାନ୍ତି, ଉପେନ୍ଦ୍ର ଶତପଥୀ, ସତ୍ୟଜିତ୍ ମିଶ୍ର, ପ୍ରବୀର ଶଙ୍କର ଦାଶ, ମିହିର ପାଣି, ପ୍ରଦୀପ ପତି, ବିଭୂପଦ ଦାସ, ମଣ୍ଟୁ ପେରିୱାଲ, ମହୁଆ ପ୍ରଧାନ, ରଣଜିତ୍ ପ୍ରଧାନ, ବିବେକାନନ୍ଦ ରାଉତ, ସୁସ୍ମିତା ପଣ୍ଡା, ସସ୍ମିତା ଚାନ୍ଦ, ସସ୍ମିତା ଦାସ, ଶ୍ରୀୟା ଦାସ, ଅରୁପ ଜେନା, ପବନ କମିଳା, ଶ୍ରୀନିବାସ ପ୍ରଧାନ, ଶେଖ୍ ହଲିମ୍ ପ୍ରମୁଖଙ୍କ ସମେତ ନଗର ବିଜେପିର ବହୁ କର୍ମୀ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।