Odiapua.com

ପୌର କର୍ତ୍ତୃପକ୍ଷଙ୍କ ଦୋକାନ ସିଲ୍ ଅଭିଯାନର ପ୍ରତିବାଦ ଜିଲ୍ଲାପାଳଙ୍କଠାରେ ସହର ଦୋକାନୀଙ୍କ ଫେରାଦ

ବାଲେଶ୍ୱର, ୧୫ା୭(ଓଡ଼ିଆ ପୁଅ/ଅଭୟ ଦାସ) : କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ କ୍ରମେ ବାଲେଶ୍ୱର ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବଜାରରେ ଜନଗହଳି ନିୟନ୍ତ୍ରଣ ପାଇଁ ହେଉଥିବା ଦୋକାନ ସିଲ୍ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ ଜଣାଇଛନ୍ତି ସହରର ଦୋକାନୀମାନେ।ଏହି ପରିପ୍ରେକ୍ଷୀରେ ଯୁବନେତା ରଘୁନାଥ ଲେଙ୍କାଙ୍କ ନେତୃତ୍ୱରେ ଦୋକାନୀ ସଂଘର ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କୁ ଭେଟି ପୌରପାଳିକା ଟିମ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆପତ୍ତି ଜଣାଇଛନ୍ତି। ପ୍ରଶାସନର ନିର୍ଦ୍ଦେଶ କ୍ରମେ କରୋନା ସଂକ୍ରମଣ ରୋକିବା ଦିଗରେ ଦେକାନୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ପାଇଁ ସର୍ବଦା ଯତ୍ନବାନ ହେଉଛନ୍ତି। ଏମିତିକି ଗ୍ରାହକମାନଙ୍କୁ ମଧ୍ୟ ସାମାଜିକ ଦୂରତା ରକ୍ଷା ପାଇଁ ବୁଝାଉଛନ୍ତି। ମାତ୍ର ଗ୍ରାହକମାନେ ସର୍ବଦା ବ୍ୟସ୍ତତାର ଆଚରଣ ଦେଖାଇ ସାମଗ୍ରୀ ନେବାକୁ ଦୋକାନରେ ଭିଡ଼ କରୁଛନ୍ତି। ଏମିତିକି ଖାସ ଏଇଥି ପାଇଁ କିଛି ଅମାନିଆ ଦୋକାନୀଙ୍କୁ ସାମଗ୍ରୀ ନଦେଇ ଦୋକାନୀ ଫେରାଇ ଦେଉଥିବା ନେଇ ଦୋକାନୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଅମାନିଆ ଗ୍ରାହକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ଗ୍ରହଣ ପରିବର୍ତ୍ତେ ଦୋକାନୀଙ୍କର ଭୁଲ ନଥାଇ ସେମାନଙ୍କ ଦୋକାନକୁ ସିଲ କରାଯିବା ଆଦୌ ସମୀଚୀନ ନୁହେଁ ବୋଲି ଦୋକାନୀ ସଂଘ ପକ୍ଷରୁ କୁହାଯାଇଛି। ସିଲ୍ ହୋଇଥିବା ଦୋକାନ ଖୋଲିବାକୁ ଅନୁମତି ଦେବା ସହ ପ୍ରତି ସଂଧ୍ୟାରେ ୭ଟା ପରିବର୍ତ୍ତେ ୭ଟା ୨୦ ମିନିଟ ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବା ନିମନ୍ତେ ସମୟ ଦେବାକୁ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ସ୍ମାରକପତ୍ର ପ୍ରଦାନ ବେଳେ ଶ୍ରୀ ଲେଙ୍କାଙ୍କ ସମେତ ଗିରିଜାଶଙ୍କର ଦାସ, ମହମ୍ମଦ ଇକବାଲ ଖାନ୍‌, ପ୍ରଦୀପ ଶତପଥୀ, ନରେନ୍ଦ୍ର ବାରିକ, ଗୋପାଲ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।