Odiapua.com

ପୌରାଞ୍ଚଳରେ ବିଜେଡି ପ୍ରାର୍ଥୀ ସ୍ୱରୂପଙ୍କ ମାରାଥନ୍ ପ୍ରଚାର

ବାଲେଶ୍ୱର, ୨୦ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦଳମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ କ୍ରମଶଃ ଜୋରଦାର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବାଲେଶ୍ୱର ସହରର ବିଭିନ୍ନ ଓା୍ୱର୍ଡରେ ଘରକୁ ଘର ଯାଇ ମାରାଥନ୍ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ପୁରୁଣା ବାଲେଶ୍ୱରର ବାବା ବାଣେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରୀ ଦାସ ନିଜ ସାଥୀ ସମର୍ଥକଙ୍କୁ ଧରି ଆରମ୍ଭ କରିଥିଲେ ଡୋର କ୍ୟାମ୍ପନିଂ। ସେ ସହରର ପାତ୍ରପଡା ହନୁମାନ ମନ୍ଦିର, ବଡଖୁଆ ମୁନିପଦା, ସୁନହଟ, କାଦରାବାଦ ମାହାଦେବ ମନ୍ଦିର, ମାନସିଂ ବଜାର, କଂସେଇ ମୋହଲ୍ଲା, ମଛୁଆ ସାହି, ମଠସାହି, ଈଶାନନଗର ଶିବମନ୍ଦିର, ବିକାଶ ନଗର, ନୁରପୁର ରୋଡ, ଦାମୋଦରପୁର, ମାକଲପୁର, ବଟେଶ୍ୱର, ଆଜିମାବାଦ ପ୍ରଭୃତି ଅଂଚଳରେ ଘରକୁ ଘର ବୁଲି ଆଶୀର୍ବାଦ ଭିକ୍ଷା କରିଥିଲେ। ବାଲେଶ୍ୱର ସହରର ବିକାଶକୁ ବିଜେଡି ସବୁବେଳେ ଅଗ୍ରାଧିକାର ଦେଇ ଆସିଥିବା ବେଳେ ଚଳିତ ନିର୍ବାଚନରେ ତାଙ୍କୁ ଅଧିକ ମାତ୍ରାରେ ସମର୍ଥନ ପାଇଁ ସେ ନିବେଦନ କରିଥିଲେ। ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ ଓ ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତଙ୍କ ସମେତ ପ୍ରତ୍ୟେକ ୱାର୍ଡ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ରାଜ୍ୟସ୍ତରୀୟ ନେତାମାନେ ଏହି ପ୍ରଚାର କାର୍ଯ୍ୟରେ ଯୋଗଦେଇ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ସାଙ୍ଗକୁ ନିର୍ମଳ ଭାବମୂର୍ତ୍ତିକୁ ଗୁରୁତ୍ୱ ଦେଇ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ବିଜୟ ପାଇଁ ନିବେଦନ କରିଥିଲେ। ବାଲେଶ୍ୱର ସହର ତଥା ଜିଲ୍ଲାର ବିକାଶ ଏବଂ ଜନସାଧାରଣଙ୍କ ସମସ୍ୟାର ସାମାଧାନ ପାଇଁ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ସମର୍ଥନ ଜଣାଇବାକୁ ବିଜେଡି ନେତାମାନେ ଭୋଟରମାନଙ୍କୁ ନିବେଦନ କରିଥିଲେ।