Odiapua.com

ପୌରାଞ୍ଚଳରେ ପ୍ରବାସୀ ଖାଇଛନ୍ତି ୭୦ ଲକ୍ଷ ଟଙ୍କାର ଖାଦ୍ୟ : ଖର୍ଚ୍ଚ ପରିମାଣକୁ ନେଇ ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍‌-୧୯ ଭଳ ବିଶ୍ୱ ମହାମାରୀକୁ ଭଦ୍ରକରେ କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଏନ୍‌ଜିଓମାନେ ମହାମାରୁରେ ପରିଣତ କରିଛନ୍ତି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଖୋଦ୍ ଜିଲାପାଳଙ୍କ ସନ୍ଦେହ ଓ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଏହି ଚର୍ଚ୍ଚାକୁ ଅଧିକ ସରଗରମ କରିଛି । କରୋନା ଆରମ୍ଭରେ ଭଦ୍ରକ ସହରାଞ୍ଚଳରେ ଥିବା ବିଭିନ୍ନ କ୍ୱାରେନଟାଇନ୍ ସେଣ୍ଟର, ଟ୍ରେନ୍‌ରୁ ଓହ୍ଲାଇଥିବା ପ୍ରବାସୀ ଓ ସହରରେ ରହୁଥିବା ବାସହୀନ ତଥା ଦୁସ୍ଥ ଗରିବ ଶ୍ରେଣୀର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇବାକୁ ପୌର କର୍ତ୍ତୃପକ୍ଷଙ୍କୁ ଜିଲାପାଳ ଦାୟିତ୍ୱ ଦେଇଥିଲେ । ପୌର କର୍ତ୍ତୃପକ୍ଷ ଭଦ୍ରକ ଅଂଚଳର ୪/୫ ଟି ଏନ୍‌ଜିଓଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ । ଅବଶ୍ୟ ଏହି ଏନ୍‌ଜିଓଙ୍କ ଚୟନ ପଛରେ ରାଜନୈତିକ ସମର୍ଥନ ଥିବା କଥା ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏବେ ଏହି ରନ୍ଧାଖାଦ୍ୟ ଯୋଗାଣ ବାବଦ ପାଖାପାଖି ୭୦ ଲକ୍ଷ ଟଙ୍କାର ବିଲ୍ ପମେଣ୍ଟ ପୌର ପ୍ରଶାସନ ପାଖରେ ପଡିରହିଛି । ଏତେ ଟଙ୍କାର ବିଲ୍‌କୁ ଜିଲା ପ୍ରଶାସନ ଚିଇଁକି ଉଠିଛି । ଖର୍ଚ୍ଚ ପରିମାଣକୁ ନେଇ ସନ୍ଦେହ ହେବାରୁ ଜିଲାପାଳ ଏହାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି, ଗତ ୩୧.୩.୨୦ ରିଖରେ ଏଡିଏମ୍ (ରାଜସ୍ୱ) ଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରିକ୍ଟ ଏନ୍‌ଜିଓ କାଉନ୍‌ସିଲ ଜରିଆରେ ପ୍ରୋସିଡିଙ୍ଗ ହୋଇ ସହରାଞ୍ଚଳରେ ଅସହାୟ, ଗରିବ, ଭିକ୍ଷୁକ ଓ ପ୍ରବାସୀ ଆଦି ଶ୍ରେଣୀ ରନ୍ଧାଖାଦ୍ୟ ବଣ୍ଟନ ପାଇଁ ୫ଟି ଏନ୍‌ଜିଓଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏ ବାବଦକୁ ପ୍ରାୟ ୩୦ ଲକ୍ଷ ଟଙ୍କା ମଧ୍ୟ ପୂର୍ବ ପୌରନିର୍ବାହୀ ଅଧିକାରୀଙ୍କ ସମୟରେ ପେମେଣ୍ଟ ସରିଛି ।

 

 

ଏବେ ଅବଶିଷ୍ଟ ପୈଠ ପାଇଁ ଏନ୍‌ଜିଓ ପକ୍ଷରୁ ପୌରପାଳିକାରେ ବିଲ୍ ଦାଖଲ ହୋଇଛି । ଏତେ ପରିମାଣରେ ବିଲ୍ ପେମେଣ୍ଟକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ପମେଣ୍ଟ ଅପେକ୍ଷାରେ ଥିବା ବିଲ୍ ଗୁଡିକ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲା ଶ୍ରମ ଅଧିକାରୀଙ୍କୁ ଜିଲାକୁ ଆସିଥିବା ପ୍ରବାସୀଙ୍କ ସଠିକ୍ ତାଲିକା ଦେବା ପାଇଁ ଓ ଅତିରିକ୍ତ ଜିଲାପାଳ (ସାଧାରଣ) ଙ୍କୁ ଏହା ରବିଲ୍ ପେମେଣ୍ଟର ବିଧିବଦ୍ଧ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ପଟେ ଏନ୍‌ଜିଓଙ୍କ ଦ୍ୱାରା ପୈଠ ବିଲ୍‌ର ସତ୍ୟତାକୁ ପ୍ରଶାସନ ପରଖୁଥିବାବେଳେ ଅନ୍ୟପଟେ ପୌର କର୍ତ୍ତୃପକ୍ଷ ବିଲ୍ ପେମେଣ୍ଟ ନେଇ ୧୦ ପ୍ରତିଶତ ଅର୍ଥ ଦାବି କରୁଥିବା ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁସନ୍ଧାନରୁ ଜଣାଯାଇଛି । କରୋନା ଭଳି ବିପତ୍ତି ଆଳରେ ଏହିଭଳି ହେରଫେର ଘଟଣା ଚର୍ଚ୍ଚାକୁ ନେଇ ଜିଲାପାଳ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସାଧାରଣରେ ସ୍ୱାଗତ କରାଯାଇଛି । ସୂଚନା ଥାଉକି ପୌରପାଳିକା ପକ୍ଷରୁ ପ୍ରତି ପ୍ରବାସୀଙ୍କ ଦିନକୁ ରନ୍ଧା ଖାଦ୍ୟ ଯୋଗାଇବାକୁ ୬୦ ଟଙ୍କା ଓ କ୍ୱାରେଣ୍ଟାଇନ୍‌ରେ ଥିବା ଅନ୍ତେବାସୀଙ୍କ ଲାଗି ଦିନକୁ ୧୨୦ ଟଙ୍କାର ବ୍ୟବସ୍ଥା ରହିଛି ।