Odiapua.com

ପୌରପାଳିକାର ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳିତ, ନିଜେ ସୁସ୍ଥ ରହିବା ସହରକୁ ସୁସ୍ଥ ରଖିବା ନାରା ଉପରେ ଗୁରୁତ୍ୱ

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ପକ୍ଷରୁ ପୌରପାଳିକା ସଭାଗୃହରେ ‘ସ୍ୱଚ୍ଛ ଚର୍ଚ୍ଚା ଦିବସ’ ପାଳନ କରାଯାଇଛି । ଏଥିରେ ସହରାଞ୍ଚଳର ସ୍ୱଚ୍ଛତା ସମୀକ୍ଷା କରାଯିବା ସହିତ ଆଗାମୀ ସମୟ ପାଇଁ ଖସଡ଼ା ପ୍ରସ୍ତ୍ରୁତ କରାଯାଇଥିଲା । ପୌରନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଆଲୋଚ୍ୟ ବିଷୟ ଉପରେ ସହରାଞ୍ଚଳକୁ ସ୍ୱଚ୍ଛ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହା ବ୍ୟତୀତ ସହରରେ ଜାରି ରହିଥିବା ଅମୃତ ଯୋଜନାରେ ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଆଲୋଚ୍ୟ ବିଷୟ ସହରକୁ ସ୍ୱଚ୍ଛ କିପରି ରଖାଯାଇ ପାରିବ ଏବଂ ସେ ଦିଗରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜରମାନଙ୍କ କାର୍ଯ୍ୟାବଳୀ ଉପରେ ଆଲୋଚନା କରାଯାଇଥିଲା । ବ୍ୟବସାୟୀମାନେ ସେମାନଙ୍କ ପ୍ରତିଷ୍ଠାନ ସମ୍ମୁଖରେ ଅଳିଆ ଡବା (ଡଷ୍ଟବିନ୍‌) ରଖିବେ ଏବଂ ସମସ୍ତ ଅଳିଆକୁ ସେଥିରେ ପକାଇବେ । ପୌର ପରିଷଦ ପକ୍ଷରୁ ଉକ୍ତ ଅଳିଆ ସଂଗ୍ରହ କରିବେ । ଏହାଛଡା ପ୍ରତ୍ୟେକ ପରିବାର ସେମାନଙ୍କ ଅଳିଆକୁ ବାହାରେ ନ ଫିଙ୍ଗି ଘର ପାଖକୁ ଯାଉଥିବା ଅଳିଆ ଗାଡିରେ ସ୍ୱଚ୍ଛସାଥୀଙ୍କୁ ଦେବାକୁ ଅନୁରୋଧ କରାଯାଇଥିଲା । ଏହାର ବ୍ୟତିକ୍ରମ ଯେପରି ନହୁଏ ସେଥିପ୍ରତି ସ୍ୱଚ୍ଛ ସୁପରଭାଇଜରମାନେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା । ଯେଉଁ ସ୍ୱଚ୍ଛସାଥୀ କିମ୍ବା ସ୍ୱଚ୍ଛ ସୁପରଭାଇଜର ଭଲ କାର୍ଯ୍ୟ କରିବେ, ଅମୃତ ଯୋଜନା ପରିଚାଳନାରେ ସହଯୋଗ କରିବେ, ସେମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ନାୟକ କହିଥିଲେ । ପୌରପାଳିକା ଅଧିବାସୀ ବାହାରେ ମଳ ତ୍ୟାଗ ନକରି ନିଜସ୍ୱ ଶୌଚାଳୟ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା । ଏହା ବ୍ୟତୀତ ସହରରେ ଜାରି ରହିଥିବା ଅମୃତ ଯୋଜନାରେ ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା କରାଯାଇଥିଲା ।

ଯେଉଁମାନେ ଏହି ଯୋଜନାରେ ପାନୀୟ ଜଳ ପାଇବା ପାଇଁ ସଂଯୋଗ ନେଇ ନାହାନ୍ତି, ସେମାନେ ତୁରନ୍ତ ସଂଯୋଗ ନେବାକୁ ଅନୁରୋଧ କରାଯାଇଥିଲା । ଯେଉଁ ଅଞ୍ଚଳରେ ଜଳ ଯୋଗାଣକୁ ନେଇ କୌଣସି ସମସ୍ୟା ସୃଷ୍ଟି ହେଉଛି, ତାହାର ସମାଧାନ ପାଇଁ ସ୍ୱଚ୍ଛ ସୁପରଭାଇଜର ମାନେ ସହଯୋଗ କରିବାକୁ କୁହାଯାଇଛି । ଏହି ଆଲୋଚନାରେ ପାନୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଇଂ ମଧୁସୂଦନ ସିଂ ଯୋଗଦେଇ କହିଥିଲେ । ସେହିପରି ସହର ମଧ୍ୟରେ ଯାନବାହନ ଚାଳକ ମାନେ ଟ୍ରାଫିକ ଓ ମୋଟର ଭେହିକିଲ ଆକ୍ଟ ମାନିବେ ସେ ଦିଗରେ ଆର୍‌ଟିଓ ସନତ ଜେନା କହିଥିଲେ । ଲୋକେ ହେଲମେଟ ପିନ୍ଧିବେ, ସାଙ୍ଗରେ ବସିଥିବା ଯାତ୍ରୀ ମଧ୍ୟ ହେଲେମେଟ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରତି ମାସ ୨୦ ତାରିଖରେ ଏହି କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ସ୍ୱଚ୍ଛସାଥ, ସ୍ୱଚ୍ଛ ସୁପରଭାଇଜର, ବ୍ୟବସାୟ ପ୍ରତିଷ୍ଠାନର ମାଲିକ, ବୁଦ୍ଧିଜୀବୀ, ପୌର କର୍ମଚାରୀ ଓ ଅଧିକାରୀ ଯୋଗ ଦେଇଥିଲେ ।