Odiapua.com

ପୌରପାଳିକାରେ ରହୁ ନଥିବା ଲୋକଙ୍କ ନାମ ଭୋଟର ତାଲିକାରେ ସଂଯୋଗ ନେଇ ଅଭିଯୋଗ

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ୨ ନଂ ୱାର୍ଡ଼ ନଂ ପାଇଁ ପ୍ରକାଶିତ ହୋଇଥିବା ପ୍ରାଥମିକ ଭୋଟର ତାଲିକାରେ କ୍ରମିକ ସଂଖ୍ୟା ୧୨୭୦ ଓ ୧୨୭୧ରେ ଥିବା ରଂଜନ ଜେନା ଓ ତାଙ୍କ ସ୍ତ୍ରୀ ଲୋପାମୁଦ୍ରା ମଲ୍ଲିକଙ୍କ ଭୋଟର ଲିଷ୍ଟରେ ସ୍ଥାନ ପାଇବା ପାଇଁ ଚଂଚକତା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଭଦ୍ରକ ପୌରପାଳିକାର ପୂର୍ବତନ କାଉନସିଲର କାମେଶ ପରିଡ଼ା ଏବଂ କିଛି ୱାର୍ଡବାସୀ କରିଥିବା ଅଭିଯୋଗରୁ ଜଣା ଯାଇଛି ଯେ ୱାର୍ଡ଼ ନଂ ୨ ପାଇଁ ପ୍ରକାଶିତ ହୋଇଥିବା ପ୍ରାଥମିକ ଭୋଟର ତାଲିକାରେ କ୍ରମିକ ସଂଖ୍ୟା ୧୨୭୦ ଓ ୧୨୭୧ରେ ରଂଜନ କୁମାର ଜେନା, ପିତା- ନିରାକାର ଜେନା ଓ ତାଙ୍କ ପତ୍ନୀ ଲୋପାମୁଦ୍ରା ମଲ୍ଲିକ, ସ୍ୱାମୀ- ରଂଜନ ଜେନାଙ୍କ ନାମ ଅଛି ବୋଲି ପ୍ରକାଶ ପାଇଛି । କିନ୍ତୁ ପ୍ରକୃତରେ ସେ ଚରମ୍ପା ଗ୍ରାମପଂଚାୟତର ଅଧିବାସୀ ଅଟନ୍ତି । ତାଙ୍କ ସମ୍ପୂର୍ଣ୍ଣ ପରିବାର ଓ ସେ ଚରମ୍ପା ଗ୍ରାମପଂଚାୟତରେ ବାସ କରନ୍ତି । କିନ୍ତୁ ଚଂଚକତା କରି ଭଦ୍ରକ ବିଧାନସଭା ବୁଥ ଭୋଟର ଲିଷ୍ଟରେ ୭୦ ନମ୍ବର ବି.ଏଲ.ଓ.କୁ କରାୟତ୍ତ କରି ନିଜ ନାମକ଼ୁ ଭୋଟର ତାଲିକାରେ ରଖିଛନ୍ତି । ବାରମ୍ବାର ଭୋଟର ତାଲିକାର ସଂଶୋଧନ ହେଉଥିବା ବେଳେ ରହୁ ନଥିବା ଏହି ପରିବାରର ନାମ କିପରି କଟୁ ନାହିଁ ଏବଂ ଏଥିରେ ବିଏଲଓଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଚରମ୍ପା ଗ୍ରାମ ପଂଚାୟତର ରିଟେଲର ପ୍ରକାଶ ମଳିକଙ୍କ ପାଖରୁ ରାସନକାର୍ଡ ନମ୍ବର ୪୦୨୧୩୩୧୦୪୬୫ ରେ ଉକ୍ତ ପରିବାର ବହୁଦିନ ଧରି ଚାଉଳ ଇତ୍ୟାଦି ଉଠାଇବା ସହ ରାସନକାର୍ଡ ଦ୍ୱାରା ମିଳୁଥିବା ସମସ୍ତ ପ୍ରକାରର ସରକାରୀ ସହାୟତା ନେଉଥିବା ଜଣା ପଡ଼ିଛି । ଗତ କିଛିଦିନ ତଳେ ନିଜର ବି.ଏସ.କେ. ଆଇ. ହେଲ୍‌ଥ କାର୍ଡ଼ ନେଇଥିବା ବେଳେ ଗତ ୫ା୨ା୨୨ରେ ରାସନ ସାମଗ୍ରୀ ମଧ୍ୟ ଉଠାଣ ହୋଇଛି । କୋଉ ପ୍ରମାଣପତ୍ର ଦେଇ ସଂପୃକ୍ତ ପରିବାର ରାସନକାର୍ଡ ହାତେଇଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଦାବି କରାଯାଇଛି । ୱାର୍ଡ ନଂ ୨ ଭୋଟର ତାଲିକାରେ ଥିବା ଘର ସଂଖ୍ୟା ୧୭୬ରେ ସେମାନେ ରହନ୍ତି ନାହିଁ ।

୨୦୦୬ ମସିହାରେ ତାଙ୍କ ମାଆ ଉକ୍ତ ଚରମ୍ପା ଗ୍ରାମ ପଂଚାୟତରେ ସରପଂଚ ପ୍ରାର୍ଥୀ ହୋଇଥିଲା ବେଳେ ସେ ଭୋଟ୍ ଦେଇଥିଲେ । ତାଙ୍କ ପତ୍ନୀଙ୍କ ନାମ ମଧ୍ୟ ଯୋଗ ତାଲିକାରେ ଯୋଗ କରାଇଥିଲେ । ପରେ ବିଏଲଓମାନେ ତାଙ୍କ ନାମକୁ ୨ ନଂ ୱାର୍ଡରୁ କଟାଇ ଦେଇଥିବା ବେଳେ ପୁଣି ପରବର୍ତ୍ତୀ ସମୟରେ ବି.ଏଲ୍‌.ଓ କୁ କରାୟତ୍ତ କରି ୨୦୧୯ରେ ନିଜ ନାମକୁ ବୁଥ ଲିଷ୍ଟରେ ଚଂଚକତା କରି ରଖିଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ପରିବାର ଚରଂପା ଗ୍ରାମପଂଚାୟତରେ ପିତା ନିରାକାର ଜେନାଙ୍କ ଘରେ ବାସ କରନ୍ତି । ୨୦୦୮ ମସିହାରେ ଚରଂପା ଗ୍ରାମପଂଚାୟତ ବୁଥ ସଂଖ୍ୟା ୧୮ ଅନୁଯାୟୀ ତାଙ୍କର ପରିଚୟ ପତ୍ର ନମ୍ବର ଓଆର/୦୩/୦୧୯/୦୭୪୦୨୧ ଥିବା ବେଳେ ପୌରପାଳିକାରେ ଥିବା ପରିଚୟ ପତ୍ର ନମ୍ବର ହେଉଛି ୱାଇଏକ୍ସଏଲ୦୫୮୨୬୬୮ ଯାହାକି ନିର୍ବାଚନ ଆଇନ ଅନୁଯାୟୀ ଦୁଇଟି ପରିଚୟ ପତ୍ର ହାତେଇବା ସମ୍ପୂର୍ଣ୍ଣ ଅପରାଧ ଅଟେ । ସେମାନେ ଜାଣିଶୁଣି ନିଜର ନାମକୁ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ଲାଭ ପାଇବା ପାଇଁ ଉଭୟ ଚରଂପା ଗ୍ରାମପଂଚାୟତ ଓ ଭଦ୍ରକ ପୌରପାଳିକା ୨ ନମ୍ବର ୱାର୍ଡ଼ରେ ବାରମ୍ବାର ମିଥ୍ୟା ଘୋଷଣାନାମା ଦ୍ୱାରା ନିଜର ଓ ତାଙ୍କ ସ୍ତ୍ରୀ ଙ୍କ ନାମ ଦର୍‌ଜ କରାଇବା ଦ୍ୱାରା ରିପ୍ରେଜେଣ୍ଟେସନ ଅଫ୍ ପିଓପ୍‌ଲ ଆକ୍ଟ ଧାରା ୩୧ ଓ ଧାରା ୧୭ (ଏ-୭) ପରିମାପ ଅନୁଯାୟୀ ଜଣେ ଅପରାଧୀ ଅଟନ୍ତି ବୋଲି ଶ୍ରୀଯୁକ୍ତ ପରିଡ଼ାଙ୍କ ସମେତ ୱାର୍ଡବାସୀ ହରିହର ରାଉତ, ବନମାଳୀ ମଲ୍ଳିକ, ଦୟାନିଧି ନାୟକ, ନିହାର ସୂତ୍ରଧର, ରାଜେଶ ମଲ୍ଲିକ, ଉମାକାନ୍ତ ସାମଲ, କମଳାକାନ୍ତ ନାୟକ ପ୍ରମୁଖ ଉପଜିଲ୍ଲାପାଳ, ଜିଲ୍ଲାପାଳ, ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଉକ୍ତ ରଂଜନ ଜେନା ଓ ତାଙ୍କ ସ୍ତ୍ରୀ ପ୍ରକୃତରେ ଚରଂପା ଗ୍ରାମପଂଚାୟତର ସ୍ଥାୟୀ ବାସିନ୍ଦା ହୋଇଥିବା ଦୃଷ୍ଟିରୁ ତାଙ୍କ ନାମକୁ ଭଦ୍ରକ ପୌରପାଳିକା ୨ ନମ୍ବର ୱାର୍ଡ଼ ୨୦୨୨ ପାଇଁ ଧାର୍ଯ୍ୟ ଭୋଟର ଲିଷ୍ଟରୁ ବାଦ୍ ଦିଆଯିବା ସଙ୍ଗେ ସଙ୍ଗେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।